ସାବାସ ପୋଲିସ … ଖାକି ଭିତରେ ବି ବଂଚିଛି ମାନବିକତା

ଭୁବନେଶ୍ବର () କଥାରେ ଅଛି ପୋଲିସବାଲାଙ୍କ ସହ ଶତ୍ରୁତା କରିବନି କି ମିତ୍ରତା କରିବନି । ତେଣୁ ଆମ ସମାଜରେ ପୋଲିସ ପ୍ରତି ସାଧାରଣରେ ଏକ ଭୟ ରହିଛି । ଯଦିଓ ଗତ କିଛି ବର୍ଷ ଧରି କମିଶନରେଟ ପୋଲିସ ପବ୍ଲିକ ଫ୍ରେଣ୍ଡଲି ପୋଲିସିଂ ଉପରେ ଗୁରୁତ୍ବ ଦେଉଛନ୍ତି, ସାଧାରଣ ଲୋକଙ୍କ ମାନସିକତାରୁ କିନ୍ତୁ ପୋଲିସ ଭୟ ଦୂର ହୋଇନି । କିନ୍ତୁ ପୋଲିସ ପ୍ରଶାସନରେ ଏବେ ବି ଯେ, ମାନବିକତା ବଂଚିତ ଆଉ ତାଙ୍କର ବି ହୃଦୟ ଅଛି ଏକଥା ଗତକାଲି ରାତିରେ ସହିଦ ନଗର ଥାନା ଅଧିକାରୀଙ୍କ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମରୁ ବାରି ହୋଇଥିଲା ।

ସକାଳୁ ରାତି ଯାଏଁ ଚୋର, ତସ୍କର, ଡ଼କାୟତ, ଗଣ୍ଡଗୋଳକାରୀଙ୍କ ସହ ଜୁଝି ହେଉଥିବା ଖାକି ବର୍ଦ୍ଦି ତଳର ମଣିଷ ହୃଦୟରେ ଯେ, ସ୍ନେହ, ସହାନୁଭୁତି ରହିଛି ତାହା ଗତ ରାତିରେ ଏକ ଘଟଣାରୁ ବାରି ହୋଇପଡୁଥିଲା । ରାତି ପ୍ରାୟ ୧୦ ଟା ୩୦ । ହଠାତ ସହିଦନଗର ଥାନା ପୋଲିସ ଭ୍ୟାନ ଆସି ପହଞ୍ଚିଥିଲା ବାଣୀବିହାର ଓଭରବ୍ରିଜ ତଳେ । ଗାଡି ରୁ ଓଲ୍ହାଇଥିଲେ ଥାନାଧିକାରୀ ପଦ୍ମନାଭ ପ୍ରଧାନ । ସାଙ୍ଗରେ ଥିଲେ ଥାନାର ଯୁବ ତଥା କର୍ମଠ ସବ ଇନ୍ସପେକ୍ଟର ସୁବ୍ରତ କୁମାର ଦାସ । କଥା କିଛି ବୁଝା ପଡୁନଥାଏ । କଣ ପାଇଁ ଦୁହେଁ ଗାଡି ରୁ ଓଲ୍ହାଇଲେ, କଣ ପାଇଁ ଫୁଟପାଥରେ ଚାଲି ଚାଲି ଗଲେ ।

ତେବେ କିଛି ସମୟ ଭିତରେ ସବୁ କଥା ସ୍ପଷ୍ଟ ହୋଇଗଲା । ରାଜଧାନୀ ଫୁଟପାଥ ଉପରେ ଶୀତ କଷ୍ଟ ରେ ଥରୁଥିବା ଲୋକଙ୍କୁ ସାହା ହୋଇଥିଲେ ଏହି ପୋଲିସ ବାବୁ । ଗାଡି ରେ ଆଣିଥିବା କିଛି କମ୍ବଳ ଏହି ଲୋକମାନଙ୍କୁ ବଣ୍ଟନ କରିବା ସହ ତାଙ୍କ ସହ କଥା ହୋଇଥିଲେ । କେବଳ ଗୋଟିଏ ଜାଗା ନୁହେଁ , ସହିଦନଗର ର ଅନେକ ସ୍ଥାନରେ ଏହି ପୋଲିସ ବାବୁ ମାନେ ଏଭଳି ମହତ କାର୍ଯ୍ୟ କରୁଥିବା ଦେଖାଯାଇଥିଲା । ପୋଲିସ ର ଏତାଦୃଶ କାର୍ଯ୍ୟ ଦେଖି କିଛି ସାମ୍ବାଦିକ ଓ ସ୍ଥାନୀୟ ଲୋକେ ମଧ୍ୟ ସେମାନଙ୍କ ସାଥ ଦେଇଥିଲେ । ଦେଖେଣାହାରି କହୁଥିଲେ, ସାବାସ ପୋଲିସ । ପୁଣି ଆଉ କିଏ କହି କହି ଯାଉଥିଲେ, ପୋଲିସ ହେବ ତ ଏମିତି ।

Share

Leave a Reply

Your email address will not be published. Required fields are marked *

1 × 1 =