ହାତୀ ପାଇଁ ଗ୍ରାମବାସୀ ଓ ବନ କର୍ମଚାରୀ ମୁହାଁମୁହିଁ

ହାତୀ ପାଇଁ ହାତାହାତି । ନୀଳଗିରି ବନଖଣ୍ଡରେ ଗତ କିଛି ଦିନ ହେବ ୬୦ରୁ ଅଧିକ ହାତୀ ଉତ୍ପାତ ଚଳାଇଛନ୍ତି । ଗାଁ ଭିତରେ ପଶି ଘର ଭାଙ୍ଗିବା ସହ ଜମିରେ ପଶି ଧାନ ଫସଲ ନଷ୍ଟ କରୁଛନ୍ତି । ଏହାକୁ ନେଇ ଗ୍ରାମବାସୀ ଓ ବନ କର୍ମଚାରୀ ମୁହାଁମୁହିଁ ହୋଇଛନ୍ତି । ହାତୀ ଘଉଡାଇବାରେ ବନବିଭାଗ ବିଫଳ ହେବାରୁ ବନ କର୍ମଚାରୀଙ୍କୁ ଆକ୍ରମଣ କରିଛନ୍ତି ଗ୍ରାମବାସୀ । ଗ୍ରାମବାସୀଙ୍କ ମାଡରେ ୫ବନ କର୍ମଚାରୀ ଆହତ ହୋଇଥିବା ଅଭିଯୋଗ ହୋଇଛି । ବନ କର୍ମଚାରୀଙ୍କ ଗାଡିକୁ ମଧ୍ୟ ଗ୍ରାମବାସୀ ଭାଙ୍ଗି ଦେଇଛନ୍ତି । ଆକ୍ରମଣ ପରେ ଭୟରେ ବନ କର୍ମଚାରୀମାନେ ତିନିକୋଶିଆ ଜଙ୍ଗଲରେ ଲୁଚି ରହିଥିଲେ । ପୋଲିସ ପହଂଚି ସେମାନଙ୍କୁ ଉଦ୍ଧାର କରିଛି । ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ କେତେଜଣ ଗ୍ରାମବାସୀଙ୍କୁ ଅଟକ ରଖି ପଚରାଉଚରା କରୁଛି । ଏପଟେ ସମସ୍ୟାର ସମାଧାନ ନହେଲା ଯାଏଁ ହାତୀ ଘଉଡାଇବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି ନୀଳଗିରି ଓ କୁଲଡିହା ବନ କର୍ମଚାରୀ ।
କଟକ ବନଖଣ୍ଡ ଅନ୍ତର୍ଗତ ଡ଼ାଳିଯୋଡ଼ି ରେଂଜ ହଳଦୀ ବସନ୍ତ ନିକଟରେ ୫ବର୍ଷର ହାତୀ ଆହତ ହୋଇଛି । ଟାଙ୍ଗି ପ୍ରମୋଦ ଉଦ୍ୟାନ ନିକଟରେ ଦୀର୍ଘଦିନ ହେବ ହାତୀପଲ ରହି ସ୍ଥାନୀୟ ଅଂଚଳରେ ଆତଙ୍କ ସୃଷ୍ଟି କରୁଛନ୍ତି । ସେହି ହାତୀ ପଲରୁ ଏକ ଛୁଆ ହାତୀ ଖାଦ୍ୟ ପାଇଁ ଆସିଥିବାବେଳେ ଅସୁସ୍ଥ ହୋଇ ଧାନ ବିଲରେ ପଡ଼ି ଛଟପଟ ହେଉଥିବା ଦେଖିବାକୁ ମିଳିଛି । ତେବେ ଛୁଆ ହାତୀର ଅସୁସ୍ଥତାର କାରଣ ଜଣାପଡ଼ିନାହିଁ । ଧାନରେ ପଡ଼ିଥିବା କୀଟନାଶକ ଔଷଧ ଯୋଗୁଁ ହାତୀ ଛୁଆ ଅସୁସ୍ଥ ହୋଇଥିବା ଅନୁମାନ କରାଯାଉଛି । ତେବେ ଏନେଇ ବନବିଭାଗ ପକ୍ଷରୁ କିଛି ପ୍ରତିକ୍ରିୟା ମିଳିପାରିନାହିଁ ।

Share

Leave a Reply

Your email address will not be published. Required fields are marked *

4 × 5 =