ଅନେକଙ୍କ ଭବିଷ୍ୟତ ନଷ୍ଟ କରିଦେବ ଅଣ୍ଡାମାଡ

ଭୁବନେଶ୍ୱର : ରାଜ୍ୟରେ ଏବେ ଅଣ୍ଡାମାଡ ଟ୍ରେଣ୍ଡ ଚାଲିଥିବାବେଳେ ଏହା ଅନେକ ଯୁବକ ଗୋଷ୍ଠିକଙ୍କ ଭବିଷ୍ୟତକୁ ନଷ୍ଟ କରିଦେବ । ଅଣ୍ଡାମାଡରେ ମାତିଥିବା ଅନେକ ଯୁବକ ନିଜ ଅଜଣାତରେ ମାମଲା ଖାଇବେ ଓ ସବୁକିଛି ଥମି ଗଲାପରେ କୋର୍ଟ କଚେରୀ ଓ ଥାନାକୁ ଦଉଡିବେ ବୋଲି ସୁରକ୍ଷା ବିଶେଷଜ୍ଞମାନେ ମତ ଦେଉଛନ୍ତି ।

ବଲାଙ୍ଗିରର ମମିତା ମେହେର ମୃତ୍ୟୁ ଘଟଣା ପରେ ରାଜ୍ୟରେ ରାଜନୀତି ଜୋର ଧରିବା ସହିତ ଶାସକଦଳର ମନ୍ତ୍ରୀ ଓ ନେତାଙ୍କୁ ସାରା ରାଜ୍ୟରେ ବିଜେପି ଓ ବିଜେଡ କର୍ମୀମାନେ ବିରୋଧ କରୁଛନ୍ତି । ପ୍ରଥମେ ଘେରାଉ ଓ କଳାପତାକା ପ୍ରଦର୍ଶନରେ ସୀମିତ ଥିବା ଏହି ବିରୋଧ ଏବେ ଅଣ୍ଡାମାଡରେ ପହଞ୍ଚିଛି । ମନ୍ତ୍ରୀମାନେ ଯୁଆଡେ ଯାଉଛନ୍ତି ବିଜେପି ଓ କଂଗ୍ରେସର ଯୁବ ବାହିନୀ ସେଠାରେ ଅଣ୍ଡାମାଡ କରୁଛନ୍ତି । ଇତି ମଧ୍ୟରେ ବିରୋଧିଦଳ ବିଶେଷକରି ବିଜେପିର କେନ୍ଦ୍ରମନ୍ତ୍ରୀଙ୍କୁ କେତେକ ସ୍ଥାନରେ ବିଜେଡି କର୍ମୀମାନେ ଅଣ୍ଡାମାଡ ଆରମ୍ଭ କରିଦେଲେଣି ।

ମୁଣ୍ଡ ଉପରେ ପଞ୍ଚାୟତ ନିର୍ବାଚନ ଥିବାରୁ ଯୁବକମାନେ ଅଧିକ ଉତ୍ସାହିତ ହୋଇ ଅଣ୍ଡାମାଡ କରୁଥିବାବେଳେ ପଛରେ ଥିବା ବିଭିନ୍ନ ଦଳର ନେତା ବି ସେମାନଙ୍କୁ ବଳ ଯୋଗାଉଛନ୍ତି । ତେବେ ଏହି ଅଣ୍ଡାମାଡରେ ସବୁଠାରୁ ଅଧିକ ନାକେଦମ ହେଉଥିବା ପୁଲିସ୍‍ ବାହିନୀ ଏକ ପ୍ରକାର ରକ୍ତଚାଉଳ ଚୋବାଉଛନ୍ତି । କିଛିଦିନ ଧରି ଶାନ୍ତିରେ ନିଶ୍ୱାସ ମାରୁଥିବା ପୁଲିସ୍‍ ବାବୁମାନେ ଏବେ ଦିନ ରାଜି ଅଣ୍ଡାମରା ଯୁବକଙ୍କ ଉପରେ ନଜର ରଖିବାରେ ବ୍ୟସ୍ତ । ତେଣୁ ସେମାନେ ମଉକା ଦେଖି କାହା ନାମରେ କି ପ୍ରକାର ମାମଲା ରୁଜୁ କରିବେ ସେହି ଚିନ୍ତାରେ ଥିବା ଆଲୋଚନା ହେଉଛି ।

ଖାଲି ଅଣ୍ଡାମାଡ ନୁହେଁ ବହୁ ସ୍ଥାନରେ ଶାସକ ବିରୋଧି ଯୁବ ଗୋଷ୍ଠି ମୁହାଁମୁହିଁ ହେବା ସହିତ ହାତାହାତି ହେବାକୁ ବି ପଛାଉ ନାହାନ୍ତି । ନିଜ ନିଜ ନେତାଙ୍କ ଆଗରେ ସୁରକ୍ଷା କବଚ ସାଜିବାକୁ ପ୍ରତିଦ୍ୱନ୍ଦିତା କରୁଥିବା ଯୁବକମାନେ ଅନ୍ୟ ଗୋଷ୍ଠିକୁ ନିର୍ଘାତ ପିଟୁଛନ୍ତି । ଏଭଳି ଅନେକ ଘଟଣା ଏବେ ବିଭିନ୍ନ ସ୍ଥାନରୁ ଆସିବାରେ ଲାଗିଛି । ଏହାକୁ ନେଇ ବି କିଛି ମାମଲା ରୁଜୁ ହେଲାଣି । ମାଡ ଖାଉଥିବା ଗୋଷ୍ଠି ଏବେ ଆଗକୁ ବଡ ଧରଣର କାଣ୍ଡ ଭିଆଇବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ମାମଲା ସଂଖ୍ୟା ବି ବଢିବା ଜଳ ଜଳ ହୋଇ ଦିଶିଲାଣି ।

ଅତୀତରେ ମୁଖ୍ୟମନ୍ତ୍ରୀଙ୍କ ଅଣ୍ଡାମାଡ କରିଥିବା ଯୁବକଙ୍କ ବିରୁଦ୍ଧରେ ହତ୍ୟା ଉଦ୍ୟମ ଭଳି ମାମଲା ଲାଗିଥିଲା । ବର୍ତ୍ତମାନ ଅଣ୍ଡାମାଡ ଯେଉଁ ବାଗରେ ଯାଉଛି ସେଥିରେ ଆଗାମୀ ଦିନରେ ହତ୍ୟା ଉଦ୍ୟମ ନହେଲେ ବି ଆଉ କିଛି ମାମଲା ରୁଜୁ ହୋଇପାରେ । ତେବେ ପଞ୍ଚାୟତ ନିର୍ବାଚନ ସରିଲା ପରେ ନେତାମାନେ ନିଜ ନିଜ ବାଟରେ ଯିବେ ଏବଂ ମାମଲା ଖାଇଥିବା ଯୁବକମାନେ କୋର୍ଟ କଚେରୀ ଓ ଥାନାକୁ ଦଉଡିବା ଆରମ୍ଭ କରିବେ । ସେତେବେଳେ ନେତା କି ପୁଲିସ୍‍ କେହି ପିଠିରେ ପଡିବେ ନାହିଁ । ମାମଲା ଯଦି ଟିକେ ଗମ୍ଭୀର ଲାଗିଥିବ ତେବେ ଜେଲ୍‍ ଯିବା ଟା ଥୟ ।

Share

Leave a Reply

Your email address will not be published. Required fields are marked *

15 − 3 =