ପିଛା ଛାଡୁନି ପ୍ରାକୃତିକ ବିପର୍ଯ୍ୟୟ

ବାତ୍ୟା, ବନ୍ୟା ପରେ ମରୁଡି

ଭୁବନେଶ୍ବର () : ପ୍ରାକୃତିକ ବିପର୍ଯ୍ୟୟ ସତେ ଯେମିତି ଓଡିଶାର ପଛ ଛାଡୁନି । ତିତଲି ଓ ପରବର୍ତ୍ତି ବନ୍ୟା କବଳରୁ ଓଡିଶା ମୁକୁଳିପାରିନଥିବା ବେଳେ ଏବେ ମରୁଡି କବଳରେ ରାଜ୍ୟର 9ଟି ଜିଲ୍ଲା । ରାଜ୍ୟର 9ଟି ଜିଲ୍ଲାର 66ଟି ବ୍ଲକ ଓ 16ଟି ପୌରାଞ୍ଚଳରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । ଏହିସବୁ ଅଂଚଳକୁ ଆଜି ରାଜ୍ୟ ସରକାର ମରୁଡି ପ୍ରଭାବିତ ବୋଲି ଘୋଷଣା କରିଛନ୍ତି । ମରୁଡି ପ୍ରଭାବିତ ଜିଲ୍ଲାଗୁଡିକ ହେଲା ବରଗଡ, ବଲାଙ୍ଗିର, ଦେବଗଡ, ଝାରସୁଗୁଡା, କଳାହାଣ୍ଡି, ନବରଙ୍ଗପୁର, ନୂଆପଡା, ସମ୍ବଲପୁର ଓ ସୁନ୍ଦରଗଡ । ଏହିସବୁ ଜିଲ୍ଲାର ମରୁଡି ପ୍ରଭାବିତ ହୋଇଥିବା ବ୍ଲକରେ 33 ପ୍ରତିଶତରୁ କମ ବର୍ଷା ହୋଇଛି ।

ଜିଲ୍ଲାପାଳଙ୍କ ଠାରୁ ପ୍ରାପ୍ତ ରପୋର୍ଟ ଅନୁଯାୟୀ, 1156 ପଞ୍ଚାୟତ ଅନ୍ତର୍ଗତ 5633ଟି ଗାଁର 233173.8 ହେକ୍ଟର ଜମିରେ ସ୍ବଳ୍ପବୃଷ୍ଟି ଯୋଗୁଁ ମରୁଡି ହୋଇଛି । ଏହିସବୁ ଅଂଚଳରେ 33 ପ୍ରତିଶତରୁ ଅଧିକ ଫସଲହାନୀ ହୋଇଥିବାରୁ ରାଜ୍ୟ ସରକାର ମଧ୍ୟମରୁ ଗୁରୁତ୍ତର ମରୁଡି ହୋଇଥିବା ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏଥିସହିତ ଜିଲ୍ଲାପାଳମାନଙ୍କୁ ଏହିସବୁ ପଂଚାୟତରେ ମରୁଡି କ୍ଷତିଗ୍ରସ୍ତ ଚାଷୀଙ୍କ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟ ମରୁଡି ପରିଚାଳନା କମିଟି ରିପୋର୍ଟ ଅନୁୟାୟୀ ବଲାଙ୍ଗିର ଓ ସୁନ୍ଦରଗଡ ଜିଲ୍ଲାର 5ଟି ବ୍ଲକରେ ଚଳିତ ବର୍ଷ 39ରୁ 59 ପ୍ରତିଶତ ପର୍ଯ୍ୟନ୍ତ କମ ବର୍ଷା ହୋଇଥିଲା । ଏହିସବୁ ବ୍କକଗୁଡିକ ହେଲା ବଲାଙ୍ଗିର ଜିଲ୍ଲାର ମୁରିବାହାଲ, ଲୋଇସିଙ୍ଗା ଓ ବେଲପଡା ଏବଂ ସୁନ୍ଦରଗଡ ଜିଲ୍ଲାର ସୁନ୍ଦରଗଡ ସଦର ଓ ଟାଙ୍ଗରପାଲ୍ଲୀ ବ୍ଲକ । ଆଉ 12ଟି ଜିଲ୍ଲାର 30ଟି ବ୍ଲକରେ 19ରୁ 39 ପ୍ରତିଶତ ପର୍ଯ୍ୟନ୍ତ କମ ବର୍ଷା ହୋଇଥିଲା । ଏହିପରି ରାଜ୍ୟର 19ଟି ଜିଲ୍ଲାର 100ଟି ବ୍ଲକରେ ବର୍ଷା ଋତୁରେ କ୍ରମାଗତ ଭାବେ ତିନି ସପ୍ତାହ ଧରି ବର୍ଷା ହୋଇନଥିଲା । ମରୁଡି ପରିଚାଳନା କମିଟିର ଏହି ରିପୋର୍ଟ ଆଧାରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଜିଲ୍ଲାପାଳ ମିଳିତ ଭାବେ ସର୍ଭେ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ରିଲିଫ କୋର୍ଡ ଅନୁଯାୟୀ କ୍ଷତିଗ୍ରସ୍ତ ଚାଷୀଙ୍କ ତାଲିକା ହସ୍ତଗତ ହେବା ପରେ ଚାଷୀଙ୍କୁ ମରୁଡି କ୍ଷତିପୂରଣ ମିଳିବ । ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ଅଣଜଳସେଚିତ ଜମିରେ ମରୁଡି ହୋଇଥିଲେ ହେକ୍ଟର ପିଛା 6800ଟଙ୍କା ଏବଂ ସର୍ବାଧିକ 2ହେକ୍ଟର ଜମି ପାଇଁ କ୍ଷତିପୂରଣ ଦିଆଯିବ । ସେହିପରି ଜଳସେଚିତ ଜମି ପାଇଁ ହେକ୍ଟର ପିଛା 13ହଜାର 500 ଟଙ୍କା ଏବଂ ସର୍ବାଧିକ 2ହେକ୍ଟର ଜମି ପାଇଁ କ୍ଷତିପୂରଣ ମିଳିବ । ବର୍ଷତମାମ ଫସଲ ହେଉଥିବା ଜମି ପାଇଁ ହେକ୍ଟର ପିଛା 18ହଜାର ଟଙ୍କା କ୍ଷତିପୂରଣ ଦେବାର ବ୍ୟବସ୍ଥା ରହିଛି ।

Share

Leave a Reply

Your email address will not be published. Required fields are marked *

2 × 3 =