ବେଆଇନ ନିର୍ମାଣକୁ ଆଇନ ସମ୍ମତ କରିବାକୁ ଫିଟାଲା ବାଟ

ଭୁବନେଶ୍ବର () 2007ରେ ଲାଗୁ ହୋଇଥିଲା ସର୍ବକ୍ଷମା ଯୋଜନା  । ତେବେ କେବଳ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ଅଂଚଳ ପାଇଁ  । ସେ ସମୟରେ ଆଶାତିତ ସଫଳତା ମିଳିପାରିନଥିଲା  । ଅନେକ ଆଇନଗତ ପ୍ରତିବନ୍ଧକ ସୃଷ୍ଟ ହେଲା  । 11 ବର୍ଷ ପରେ ପୁଣି ଥରେ 9ଟି ଉନ୍ନୟନ ପରିଷଦ ଅଞ୍ଚଳ ପାଇଁ ଲାଗୁ ହେଲା ସର୍ବକ୍ଷମା ଯୋଜନା । ଏହି ଯୋଜନାର ସମୟ ସୀମା 6 ମାସ ଥିବା ବେଳେ ଆବେଦନର 2 ମାସ ମଧ୍ୟରେ ମିଳିତ ଅନୁମତି । ଏହି ଯୋଜନା ଅନୁଯାୟୀ ବିଭିନ୍ନ ପ୍ରକାର ଅନମୋଦିତ ଯୋଜନାର ଉଲଂଘନର ଭିନ୍ନ ଭିନ୍ନ ଫାଇନ ବ୍ୟବସ୍ଥା ହୋଇଛି  । ଗୃହ ନିର୍ମାଣ ପ୍ଲାନର ଚାରିକାତା ନକଲ, ନିର୍ମାଣ କାର୍ଯ୍ୟାବଳୀର ବିବରଣୀ ଏବଂ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ସହ ଉନ୍ନୟନ କର୍ତ୍ତୃପକ୍ଷରେ ଆବେଦନ କଲେ ସବୁ ଆଇନ ଅନୁମୋଦିତ ବେଆଇନ ନିର୍ମାଣକୁ ନିୟମିତ ବା ବୈଧ କରାଯାଇପାରିବ  ।

ଏହି ଯୋଜନା ଅନୁଯାୟୀ, ସବୁ ନର୍ମାଣ କାର୍ଯ୍ୟ ଉନ୍ନୟନ କର୍ତ୍ତୃପକ୍ଷଙ୍କ ପରିସୀମା ଭିତରେ ହେବା ସହ ନିର୍ମାଣର ମାନ ନିରାପଦ ଏବଂ ସାମାଜିକ ପ୍ରତିବନ୍ଧକ ସୃଷ୍ଟି କରୁନଥିବା ଆବଶ୍ୟକ  । 300 ବର୍ଗମିଟର ପର୍ଯ୍ୟନ୍ତ ବାସଗୃହ କ୍ଷେତ୍ରରେ ଅନୁମୋଦିତ ପ୍ଲାନର ଉଲଂଘନ ଏବଂ ପାର୍କିଂ ଉଲଂଘନରେ ତାରତମ୍ୟ ଥିଲେ ନିର୍ଦ୍ଧାରିତ ଦୈୟ ପୈଠ କରି ନିୟମିତ କରାଯାଇ ପାରିବ  । 300 ବର୍ଗମିଟରରୁ ଅଧିକ ପ୍ଲଟରେ ଅନୁମୋଦିତ ପ୍ଲାନ ଉଲଂଘନ ଏବଂ ପାର୍କିଂ ଉଲଂଘନ ନିୟମକୁ କୋହଳ କରି ନିୟମିତକରଣ କରାଯାଇପାରିବ  ।

ଆବାସିକ ଆପାର୍ଟମେଣ୍ଟ କ୍ଷେତ୍ରରେ 50 ପ୍ରତିଶତ ପାର୍କିଂ ବ୍ୟବସ୍ଥା ରହିଥିଲେ ଏବଂ ୱେଲଫେୟାର ଆସୋସିଏସନର ସହମତି ରହିଥିଲେ ପ୍ଲାନ ଉଲଂଘନକୁ ନିୟମିତକରଣ କରାଯାଇପାରିବ  । ସ୍ବାସ୍ଥ୍ୟ ସେବା ସହ ଜଡିତ ସଂସ୍ଥାଗୁଡିକ ପାଇଁ ମଧ୍ୟ ଏହି ଯୋଜନାରେ କୋହଳ ମାପଦଣ୍ଡର ବ୍ୟବସ୍ଥା କରାଯାଇଛି  । ତେବେ ସରକାରୀ କିମ୍ବା କୌଣସି ପୌରାଞ୍ଚଳ ଜମି ଜବରଦଖଲ, ସର୍ବସାଧାରଣ ରାସ୍ତା, ପ୍ରାକୃତିକ ଡ୍ରେନର ଜବରଦଖଲ ହୋଇଥିଲେ ନିୟମିତକରଣ ହୋଇପାରିବ ନାହିଁ  । ସେହିପରି ବିମାନବନ୍ଦର ଅଂଚଳ କିମ୍ବା ପ୍ରାକୃତିକ କିର୍ତ୍ତିରାଜୀ ଅଂଚଳରେ ଅନୁମୋଦିତ ପ୍ଲାନ ଉଲଂଘନକୁ ବୈଧ କରିବାକୁ ଏୟାରପୋର୍ଟ ଅଥୋରିଟି ଓ ସଂପୃକ୍ତ କିର୍ତ୍ତିରାଜୀ ସଂରକ୍ଷଣକାରୀ ସଂସ୍ଥାର ଏନଓସି ଆବଶ୍ୟକ  ।

ମହାନଗର ନିଗମ ଅଂଚଳରେ ବାସୋପଯୋଗୀ ଘର ପାଇଁ ନିୟମିତକରଣ ଫି ବର୍ଗମିଟର ପିଛା 10ହଜାର ଟଙ୍କା ଏବଂ ବ୍ୟବସାୟୀକ କୋଠା ପାଇଁ 17ହଜାର 500 ଟଙ୍କା ଧାର୍ଯ୍ୟ ହୋଇଛି  । ପୌରାଞ୍ଚଳରେ ବାସୋପଯୋଗୀ ଘର ପାଇଁ ନିୟମିତକରଣ ଫି 8ହଜାର ଟଙ୍କା ଏବଂ ବ୍ୟବସାୟୀକ କୋଠା ପାଇଁ 15ହଜାର ଟଙ୍କା ଧାର୍ଯ୍ୟ ହୋଇଛି  । ଏନଏସି ଅଂଚଳରେ ବାସୋପଯୋଗୀ ଘର ପାଇଁ ନିୟମିତକରଣ ଫି 6ହଜାର ଟଙ୍କା ଏବଂ ବ୍ୟବସାୟୀକ କୋଠା ପାଇଁ 13ହଜାର ଟଙ୍କା ଧାର୍ଯ୍ୟ ହୋଇଛି  । ସେହିପରି ଉନ୍ନୟନ କର୍ତ୍ତୃପକ୍ଷ ଅନ୍ତର୍ଗତ ଗ୍ରାମାଞ୍ଚଳରେ ନିୟମିତକରଣ ଫି ବର୍ଗମିଟରକୁ 5ହଜାର ଟଙ୍କା ଏବଂ ବ୍ୟବସାୟୀକ କୋଠା ପାଇଁ 10ହଜାର ଟଙ୍କା ଧାର୍ଯ୍ୟ ହୋଇଛି ।

ସେଟ ବ୍ୟାକ ଅର୍ଥାତ, ଅନୁମୋଦିତ ପ୍ଲାନ ଉଲଂଘନ କରି ଅଧିକ ନିର୍ମାଣ ହୋଇଥିଲେ ନିୟମିତକରଣ ଫି ଉପରେ ଅତିରିକ୍ତ ଦେୟ ପୈଠ କରିବାକୁ ପଡିବ  । ମହାନଗର ନିଗମ ଅଂଚଳରେ ନିୟମିତକରଣ ଫିର 40 ପ୍ରତିଶତ, ପୌରପରିଷଦ ଅଂଚଳରେ 30 ପ୍ରତିଶତ, ଏନଏସିରେ 20 ପ୍ରତିଶତ ଏବଂ ଗ୍ରାମାଞ୍ଚଳରେ 10 ପ୍ରତିଶତ କମ୍ପାଉଣ୍ଡ ଫି ଆଦାୟ କରାଯିବ  । ଭୁବନେଶ୍ବର, କଟକ, ରାଉରକେଲା, ତାଳଚେର-ଅନୁଗୁଳ-ମେରାମୁଣ୍ଡଳୀ, ବ୍ରହ୍ମପୁର, ସମ୍ବଲପୁର, ପୁରୀ-କୋଣାର୍କ, ପାରାଦ୍ବୀପ ଓ କଳିଙ୍ଗନଗର ଉନ୍ନୟନ କର୍ତ୍ତୃପକ୍ଷରେ ଏହି ଯୋଜନା ଲାଗୁ ହୋଇଛି  । 2007ରେ ମଧ୍ୟ ରାଜ୍ୟ ସରକାର ଏହି ଯୋଜନା ଲାଗୁ କରିଥିଲେ  । କିନ୍ତୁ ସେ ସମୟରେ ବିଶେଷ ସୁଫଳ ମିଳିପାରିନଥିଲା  ।

Share

Leave a Reply

Your email address will not be published. Required fields are marked *

twelve + 16 =