କ୍ୱାରେଣ୍ଟାଇନରେ ଷ୍ଟେଥୋ ପକାଇ ବୁଲିଥିବା ନେତା

ଭୁବନେଶ୍ୱର : କରୋନା ଯୁଦ୍ଧରେ ସାମିଲ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଆହ୍ୱାନ ଦେଉଥିବାବେଳେ ବର୍ତ୍ତମାନର ବିପତ୍ତି ସମୟରେ ଏମାନେ ପ୍ରକୃତ ଯୋଦ୍ଧା ବୋଲି କହୁଛନ୍ତି । ହେଲେ ବିଭିନ୍ନ ରାଜନୈତିକ ଦଳରେ ଥିବା ଡାକ୍ତରମାନେ କିନ୍ତୁ ସମ୍ମୁଖ ଯୁଦ୍ଧକୁ ନିଜଆଡୁ ଆସୁନାହାନ୍ତି । ଏମାନଙ୍କ ଅବସ୍ଥା ଦେଖି ସାଧାରଣ ଲୋକେ ଭୋଟବେଳେ ବେକରେ ଷ୍ଟେଥୋ ପକାଇ ବୁଲିଥିବା ନେତାମାନେ ଏବେ କ୍ୱାରେଣ୍ଟାଇନ୍‍ରେ ଥିବା କହିଲେଣି ।

ସବୁଠାରୁ ଅଧିକ ଡାକ୍ତର ରହିଛନ୍ତି ଶାସକ ବିଜୁ ଜନତାଦଳରେ । ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଡାକ୍ତର ନୃସିଂହ ସାହୁ, ଡାକ୍ତର ପ୍ରମୋଦ ମଲିକ ଏବେ ବିଧାୟକ ଥିବାବେଳେ ଡାକ୍ତର ରାଜଶ୍ରୀ ମଲିକ ଏବେ ଜଗତ୍‍ସିଂହପୁରର ସାଂସଦ ଅଛନ୍ତି । ଦଳର ପୂର୍ବତନ ବିଧାୟକ ତାଲିକାରେ ବି ଡାକ୍ତର ରାଶେଶ୍ୱରୀ ପାଣିଗ୍ରାହୀ, ଡାକ୍ତର ପ୍ରିୟାଂଶୁ ପ୍ରଧାନଙ୍କ ଭଳି ବହୁ ସ୍ୱନାମଧନ୍ୟ ଡାକ୍ତର ଅଛନ୍ତି ।

ସେହିଭଳି ଡାକ୍ତର ଭୁଦାନ ମୁର୍ମୁ ବିଜେପିର ଏକମାତ୍ର ଡାକ୍ତରୀ ପାଠପଢିଥିବା ବିଧାୟକ ଅଛନ୍ତି । ତେବେ ଏହି ଦଳରେ ଗତ ବିଧାନସଭାରେ ବରିଷ୍ଠ ଚିକିତ୍ସକ ଡାକ୍ତର ବିଭୂତି ଭୂଷଣ ହରିଚନ୍ଦନ ଥିଲେ । ଗତ ଲୋକସଭା ନିର୍ବାଚନରେ ପୁରୀ ଆସନରୁ ବିଜେପି ପ୍ରାର୍ଥୀ କରିଥିଲା ଡାକ୍ତର ସମ୍ବିତ ପାତ୍ରଙ୍କୁ । ଡାକ୍ତର ହିସାବରେ ବି ଲୋକେ ତାଙ୍କୁ ବେଶ୍‍ ଗ୍ରହଣ କରିଥିଲେ । ସେହିଭଳି ଚଳିତ ବିଧାନସଭାରେ କଂଗ୍ରେସର କେହି ଜଣେ ହେଲେ ଡାକ୍ତର ନଥିବାବେଳେ ଗତଥର ଡାକ୍ତର ପ୍ରଫୁଲ ମାଝି ସଦସ୍ୟ ଥିଲେ । ବିଧାୟକପଦରୁ ଯିବାପରେ ସେ ତାଙ୍କର ପୂର୍ବ ପେଶାକୁ ଫେରିଥିବା ଜଣାଇଥିଲେ । ସବୁଠାରୁ ବଡ କଥା ହୋଇଛି ଅନେକ ସ୍ୱନାମଧନ୍ୟ ଡାକ୍ତର ରାଜନୀତିକୁ ଆସିଥିବାବେଳେ ଲୋକେ ମଧ୍ୟ ସେମାନଙ୍କୁ ଉଚ୍ଚ ଆସନରେ ବସାଇଛନ୍ତି । ଡାକ୍ତର ରାଜଶ୍ରୀ ମଲ୍ଲିକ ତ ଦିଲ୍ଲୀ ଯାତ୍ରା ସମୟରେ ବିମାନ ଭିତରେ ଜଣେ ଅସୁସ୍ଥ ରୋଗୀଙ୍କୁ ଚିକିତ୍ସାକରି ବେଶ୍‍ ସୁନାମ ଅର୍ଜନ କରିଥିଲେ । ପ୍ରାୟ ସମସ୍ତ ଗଣମାଧ୍ୟମର ଶିରୋନାମା ମଣ୍ଡନ କରିଥିଲା ତାଙ୍କର ଏହି ଖବର ।

ହେଲେ ଏବେ କରୋନା ବିପଦ ସମୟରେ ଡାକ୍ତରରୁ ନେତା ବନିଥିବା ଜଣେ ହେଲେ କେହି ବେକରେ ଷ୍ଟେଥୋ ପକାଇ ପଦାକୁ ଆସୁ ନାହାନ୍ତି । ଏମାନେ ଆସି କାର୍ଯ୍ୟରତ ଡାକ୍ତରଙ୍କ ମନୋବଳ ବଢାଇବେ ବୋଲି ସମସ୍ତେ ଅନାଇ ବସିଛନ୍ତି । ହେଲେ ସେମିତି କିଛି ହେଉନାହିଁ । ନିର୍ବାଚନ ସମୟରେ ଲୁଗା ପିନ୍ଧି ମୁଣ୍ଡରେ ତିଳକ ମାରି ପ୍ରଚାର ଚଳାଇଥିବା ଡାକ୍ତର ସମ୍ବିତ ପାତ୍ର ଏବେ ଘରେ ବସି ମାସ୍କ ତିଆରି ଭଳି ଦରଜି କାମ କରୁଥିବାବେଳେ ଅନ୍ୟ କୌଣସି ଡାକ୍ତରଙ୍କର ଦେଖାଦର୍ଶନ ନାହିଁ । ସାଧାରଣ ଲୋକଙ୍କ କହିବାକଥା ହେଲା ଯେ ଏବେ ଦେଶର ବିଭିନ୍ନ ସ୍ଥାନରେ ଚଳିଚିତ୍ର ଠାରୁ ଆରମ୍ଭ କରି ରାଜନୀତିକୁ ପେଶା କରିଥିବା ଅନେକ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ପୂର୍ବ ପେଶାକୁ ଫେରି କରୋନା ଯୁଦ୍ଧରେ ସାମିଲ ହେଲେଣି । ଗଣମାଧ୍ୟମ ମଧ୍ୟ ଏମାନଙ୍କୁ ବେଶ୍‍ ପ୍ରାଧାନ୍ୟ ଦେଉଛି । ସେମାନେ ଆଗକୁ ଆସିବା ଫଳରେ କାର୍ଯ୍ୟରତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କର ମନୋବଳ ବଢୁଛି । ହେଲେ ଓଡିଶାରେ ତାହା ନାହିଁ । ଏମାନେ ଯୁଦ୍ଧରେ ସେନାପତି ହେବା ବଦଳରେ ପରାଜିତ ସୈନିକ ଭଳି ନିଜ ନିଜ ଘରେ କ୍ୱାରେଣ୍ଟାଇନରେ ରହିଛନ୍ତି । ଏହା କେବଳ ସେମାନଙ୍କ ନୈତିକତା ଉପରେ ପ୍ରଶ୍ନ ଉଠାଉନାହିଁ ଆଗାମୀ ଦିନର ରାଜନୀତି କ୍ୟାରିୟର ଉପରେ ମଧ୍ୟ ପ୍ରଶ୍ନଚିହ୍ନ ଲଗାଇଦେବାର ସମ୍ଭାବନା ରହିଛି ।

Share

Leave a Reply

Your email address will not be published. Required fields are marked *

13 − three =