ଓଡିଆ ଲୋକମାନେ ଅସୀମ ଧୈର୍ଯ୍ୟ ଓ ସାହାସର ସହ କରୋନାର ମୁକାବିଲା କରୁଛନ୍ତି : ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର () ଓଡିଆ ଲୋକମାନେ ଅସୀମ ଧୈର୍ଯ୍ୟ ଓ ସାହସର ସହ କରୋନା ମହାମାରୀର ମୁକାବିଲା କରୁଛନ୍ତି । ଓଡିଆ ମାନଙ୍କ ଡିଏନଏରେ ବିପର୍ଯ୍ୟୟ ମୁକାବିଲାର ଶକ୍ତି ଅଛି । ଏପରି କିଛି ମନ୍ତବ୍ୟ ଦେବା ସହ ଫେସବୁକ୍ ଲାଇଭ ମାଧ୍ୟମରେ ଅନଲାଇନରେ ସାଧାରଣ ଲୋକମାନଙ୍କର ବିଭିନ୍ନ ପ୍ରଶ୍ନର ଉତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଫେସବୁକ ଲାଇଭ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଲୋକମାନଙ୍କ ବିଭିନ୍ନ ପ୍ରଶ୍ନର ଉତର ରଖିବା ବେଳେ କହିଛନ୍ତି ଯେ ଓଡିଆ ଜାତି ଖ୍ରୀଷ୍ଟପୂର୍ବ ୨୬୧ କଳିଙ୍ଗ ଯୁଦ୍ଧରେ ମଧ୍ୟ ହାରିନଥିଲା । ୧୮୬୬ ମସିହାର ନଅଙ୍କ ଦୁର୍ଭିକ୍ଷର ମଣିଷ ମଡକକୁ ସାମ୍ନା କରି ପୁଣି ଓଡିଶାକୁ ପୁନନିର୍ମାଣ କରିଥିଲା । ୧୯୧୮ ସ୍ପାନିଶ୍ ଫ୍ଲୁର ମଧ୍ୟ ଓଡିଶା ସଫଳତାର ସହ ମୁକାବିଲା କରିଥିଲା । ୧୯୪୩ ମସିହା ବେଙ୍ଗଲ ଫେମିନି ହେଉ ଅଥବା ସ୍ୱାଧୀନତୋର ଭାରତର ୧୯୭୧ ମସିହାର ବାତ୍ୟା ଓ ୧୯୯୯ ମସିହାର ମହାବାତ୍ୟା, ବନ୍ୟା, ମରୁଡି ଭଳି ପ୍ରାକୃତିକ ଦୁର୍ବିପାକରେ ଓଡିଶା ହାର୍ ମାନିନି । ବର୍ଷେ ପୂର୍ବେ ଫନୀ ପ୍ରଭାବକୁ ଓଡିଶାବାସୀ ସଫଳତାର ସହ ମୁକାବିଲା କରିଥିଲେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜିଭଳି ଅଭାବନୀୟ ସମୟରେ ଦେଶବାସୀ ଓ ଓଡିଶାବାସୀଙ୍କୁ ସକରାତ୍ମକ ଭାବନା ଆଣିବାର ଆବଶ୍ୟକତା ରହିଛି । ବୈଶ୍ୱିକ ମହାମାରୀ ପଂଚାୟତ, ବ୍ସକ, ସବ ଡିଭିଜନ, ଜିଲ୍ଲା, ରାଜ୍ୟରେ ସମସ୍ତେ ଏକମନ ଓ ଏକପ୍ରାଣରେ ନିଜ ନିଜର ଦାୟିତ୍ୱ ନିର୍ବାହ କରୁଛନ୍ତି । ତେଣୁ ଏହି ଘଡିସନ୍ଧି ମୁହୂର୍ତରେ ସରକାରୀ ବ୍ୟବସ୍ଥାକୁ ଦୋଷଦେବା ନୁହେଁ ମାତ୍ର ବ୍ୟବସ୍ଥାକୁ ତିଆରି କରିବା ସହ ହାତ ବଢାଇବାର ଆବଶ୍ୟକତା ରହିଛି । ବର୍ତମାନର ସମୟ ହେଉଛି ଆହ୍ୱାନପୂର୍ଣ୍ଣ । ତେଣୁ ବାହାରୁ ଫେରୁଥିବା ଓଡିଆ ଭାଇ ଭଉଣୀମାନଙ୍କୁ ମୋର ଅନୁରୋଧ ଧୈର୍ଯ୍ୟ ଧରନ୍ତୁ, ଟିକେ କଷ୍ଟ ସହି ସହଯୋଗ କରନ୍ତୁ । ରାଜ୍ୟରେ ଥିବା ଭାଇଭଉଣୀଙ୍କୁ ନିବେଦନ ଆପଣମାନେ ମଧ୍ୟ ତାଙ୍କୁ ସହଯୋଗର ହାତ ବଢାନ୍ତୁ । ବାହରୁ ଆସୁଥିବା ଲୋକଙ୍କ ଯତ୍ନ ନିଅନ୍ତୁ । ରାଜ୍ୟ ସରକାରଙ୍କ ନିୟମକୁ ପାଳନ କରନ୍ତୁ । ଆମେ ସମସ୍ତେ ମିଳିମିଶି ଏହି ସଙ୍କଟର ମୁକାବିଲା କରିପାରିବା ବୋଲି ସେ କହିଛନ୍ତି ।

ବର୍ତମାନ ଦେଶ ଦୁନିଆ ବଦଳିଯାଇଛି । ଏପରି ସ୍ଥିତିରେ ଡିଜିଟାଲାଇଜେସନ ଲୋକମାନଙ୍କ ମଧ୍ୟରେ ପ୍ରମୁଖ ମାଧ୍ୟମ ହୋଇଛି । ଓଡିଆ ଲୋକ ନୂଆ ନୂଆ ଜିନିଷ ଉଭାବନ କରୁଛନ୍ତି । କୋରାପୁଟ ଲକ୍ଷ୍‌ମୀପୁରର ଆଦିବାସୀ ଝିଅ ବ୍ୟାଙ୍କ୍ ଆକାଉଂଟକୁ ସକ୍ରିୟ କରି ଗାଁ ଗାଁ ବୁଲି ଲାପଟପ୍ ମାଧ୍ୟମରେ ଲୋକ ମାନଙ୍କୁ ସହଯୋଗ କରିବା ସହ ସୋମାନଙ୍କ ଟଙ୍କା ଦେଉଛନ୍ତି । ପରିବା ଦୋକାନୀମାନେ ବଳକା ପରିବାକୁ ନଫୋପାଡି ଗରିବ ଅସହାୟ ଲୋକଙ୍କୁ ବାଂଟୁଛନ୍ତି । ସମସ୍ତେ ବିଦେଶୀ ଭିଡିଓ କନଫରେନ୍ସିଂ ଆପରେ ନିର୍ଭର କରୁଥିବା ବେଳେ ଏନଆଇଟି ରାଉରକେଲାର ଛାତ୍ରଛାତ୍ରୀମାନେ ଏକ ଭିଡିଓ ଆପର ବିକଶିତ କରି ନୂଆ ନୂଆ ପ୍ଲାଟଫର୍ମ ତିଆରି କରିବାରେ ଲାଗିଛନ୍ତି । ଉପସାଗରୀୟ ୬ଟି ସମ୍ପନ୍ନ ଦେଶରେ ରହୁଥିବା ଓଡିଆ ମାନେ ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ମଧ୍ୟ ପ୍ରଶଂସା କରଛନ୍ତି । ଆଜିର ଘଡିସନ୍ଧି ମୁହୂର୍ତରେ ବିଶ୍ୱ ଲକ୍ ଡାଉନ୍ ସମସ୍ତଙ୍କୁ ବଡ ସୁଯୋଗ ଦେଇଛି ବୋଲି ସେ କହିଛନ୍ତି । ଭାରତରେ ଲୋକମାନେ ପ୍ରଧାନମନ୍ତ୍ରୀଙ୍କ ଆଦେଶ ତଥା ଲକ୍ ଡାଉନକୁ ସଠିକ୍ ଭାବରେ ପାଳନ କରୁଥିବାରୁ ଅନ୍ୟ ରାଷ୍ଟ୍ରମାନଙ୍କ ତୁଳନାରେ ଦେଶ ସ୍ୱାଭାବିକ ସ୍ଥିତିରେ ଅଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମେତ ଭାରତର ଜଣେ ଜଣେ ନାଗରିକ ଏହି ଯୁଦ୍ଧରେ ସାମିଲ ହୋଇଛନ୍ତି । ଆଗକୁ ମଧ୍ୟ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ସହ ସହଯୋଗୀ ହୋଇ ଧୈର୍ଯ୍ୟର ସହ କାମ କରିବାକୁ ଆହ୍ୱାନ କରିଛନ୍ତି । ଶ୍ରୀ ପ୍ରଧାନ ଲୋକମାନଙ୍କୁ ମାସ୍କ ପିନ୍ଧିବା, ନିୟମିତ ବ୍ୟବଧାନରେ ହାତକୁ ସଫା କରିବା, ସାମାଜିକ ଦୂରତ୍ୱ ମାନିବା, ଆରୋଗ୍ୟ ସେତୁ ଡାଉନଲୋଡ କରିବା ଏବଂ ଏଥିପାଇଁ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବା ପାଇଁ ପରାମର୍ଶ ଦେଇଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଗରିବଙ୍କ ସହାୟତା ପାଇଁ ୩ ମାସ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା କରିଛନ୍ତି । ଏହି ଯୋଜନାରେ ଗରିବ ଲୋକଙ୍କୁ ବ୍ୟକ୍ତି ପିଛା ମାସକ ପିଛା ୫ କେଜି ଚାଉଳ ଓ ପରିବାର ପିଛା ମାସିକ ୧ କିଲୋ ଡାଲି ଯୋଗାଇ ଦିଆଯାଉଛି । ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ମାଗଣାରେ ହିତାଧିକାରୀଙ୍କୁ ୩ ମାସ ପାଇଁ ଗ୍ୟାସ ସିଲିଣ୍ଡର ଯୋଗାଇବା ପାଇଁ ବ୍ୟବସ୍ଥା ହୋଇଛି । ନିଜ ଜୀବନକୁ ବାଜିରେ ଲଗାଇ କରୋନା ଯୋଦ୍ଧା ଏଲପିଜି ଡେଲିଭରି ବୟ ଘର ଘର ବୁଲି ପ୍ରତିଦିନ ୬୦ ଲକ୍ଷ ଗ୍ୟାସ ଯୋଗାଉଥିବା ସେ ମତବ୍ୟକ୍ତ କରିଛନ୍ତି । ସେହିପରି ଗରିବ, ଦିବ୍ୟାଙ୍ଗ, ବିଧବା ଓ ବାର୍ଧକ୍ୟ ଭତାଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୧ ହଜାର ଟଙ୍କା, କୃଷକ ସମ୍ମାନ ନିଧିରେ ଚାଷୀଙ୍କୁ ୨ ହଜାର ଟଙ୍କା, ଜନଧନ ଆକାଉଂଟ ଥିବା ମହିଳାଙ୍କୁ ମାସିକ ୫୦୦ ଟଙ୍କା ସହାୟତା ଏହି ଯୋଗାଇ ଦିଆଯାଉଛି ।

ମନରେଗାରେ ମଜୁରୀକୁ ମଜୁରୀ ବୃଦ୍ଧି କରାଯାଇଛି, ଜିଲ୍ଲା ଖଣିଜ ପାଣ୍ଠିରୁ କରୋନା ମୁକାବିଲା ପାଇଁ ଖର୍ଚ୍ଚ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଛନ୍ତି । ଏସ୍‌ଡିଆର୍‌ଏଫ୍ ପାଣ୍ଠିରୁ କରୋନା ମୁକାବିଲା ପାଇଁ ବିଶେଷ ଭାବରେ ରାଜ୍ୟ ସରକାରଙ୍କୁ ଖର୍ଚ୍ଚ କରିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ବିଶ୍ୱରେ କରୋନା ମହାମାରୀ ଦ୍ୱାରା ତୈଳ ବଜାର ଉପରେ ପଡିଥିବା ପ୍ରଭାବ ଏବଂ ତୈଳ ଯୋଗାଣ ନେଇ ଦେଶରେ ଥିବା ସମ୍ଭାବନା ଓ କୋରାନା ମହାମାରୀ ସହ ଜଡିତ ଅନେକ ପ୍ରଶ୍ନର ଉତର ରଖିଥିଲେ ।

Share

Leave a Reply

Your email address will not be published. Required fields are marked *

seventeen + 8 =