କଳିଙ୍ଗନଗର ଇସ୍ପାତ କ୍ଲଷ୍ଟରକୁ ସଂଯୋଗପାଇଁ ୧୩ଟି ଭିତ୍ତିଭୂମି ଚିହ୍ନଟ

ଭୁବନେଶ୍ୱର() ଦେଶର ପ୍ରଥମ ଇସ୍ପାତ କ୍ଲଷ୍ଟର କଳିଙ୍ଗନଗର ଶିଳ୍ପାଞ୍ଚଳରେ ପ୍ରତିଷ୍ଠା ପାଇଁ ଚୂଡାନ୍ତ ହୋଇଥିବାବେଳେ ଏହି ମେଗା ପ୍ରକଳ୍ପ ପାଇଁ ଆବଶ୍ୟକ ଜରୁରୀ ଭିତ୍ତିଭୂମି ସୃଷ୍ଟିରେ ସହାୟତା ଲାଗି କେନ୍ଦ୍ର ସରକାର ରାଜ୍ୟକୁ ଅନୁରୋଧ କରିଛନ୍ତି । କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟ ପକ୍ଷରୁ ଇସ୍ପାତ କ୍ଲଷ୍ଟର ଲାଗି ପଦକ୍ଷେପ ନିଆଯାଉଥିବା ବେଳେ ଏହାର ସଫଳତା ଲାଗି ଆବଶ୍ୟକ ପଡୁଥିବା ଭିତ୍ତିଭୂମିର ଏକ ତାଲିକା ପ୍ରସ୍ତୁତ କରାଯାଇଛି ।

କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିକଟରେ ଓଡିଶାରେ ପ୍ରତିଷ୍ଠା ହେବାକୁ ଥିବା ଏହି ଇସ୍ପାତ କ୍ଲଷ୍ଟରର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ସମୀକ୍ଷାପରେ ମନ୍ତ୍ରାଳୟର ଅତିରିକ୍ତ ସଚିବ ରାଜ୍ୟ ସରକାରଙ୍କ ସହିତ ନେଇ ସମ୍ପର୍କରେ ଥିବା ଜଣାପଡିଛି । କଳିଙ୍ଗନଗର ଇସ୍ପାତ କ୍ଲଷ୍ଟରକୁ ସଂଯୋଗପାଇଁ ଆବଶ୍ୟକ ପଡୁଥିବା ୧୩ଟି ଭିତ୍ତିଭୂମିକୁ ଚିହ୍ନଟ କରାଯାଇଛି । ରେଳ ପ୍ରକଳ୍ପ ମଧ୍ୟରେ ବାଂଶପାଣି-ଯଖପୁରା ରେଳଲାଇନ୍‍ର ଦୋହରାକରଣ, ହାୱାଡା-ଚେନ୍ନାଇ ତୃତୀୟ ରେଳ ଲାଇନ୍‍, ହାୱଡା-ଚେନ୍ନାଇ ରୁଟ୍‍ରେ ଖଗଡପୁରରୁ ବିଜୱାଡା ପର୍ୟ୍ୟନ୍ତ ମାଲପରିବହନ କରିଡର, ପାରାଦୀପ-ହରିଦାଶପୁର ରେଳଲାଇନ୍‍ର କାର୍ୟ୍ୟ ସାରିବା ଏବଂ ଅନୁଗୁଳ-ସୁକିନ୍ଦା ରେଳଲାଇନ୍‍ କାର୍ୟ୍ୟ ସମ୍ପୂର୍ଣ୍ଣ ଆଦି ରହିଛି ।

ଅନୁରୂପ ଭାବେ ରାଜପଥ ପ୍ରକଳ୍ପ ମଧ୍ୟରେ କଳିଙ୍ଗନଗର-୫୩ ନମ୍ବର ଜାତୀୟ ରାଜପଥକୁ ୪ ଲେନ୍‍ କରିବା, ଜାତୀୟ ରାଜପଥ ୪୨ ଓ ୫୫ ର ଚାରି ଲେନ୍‍ କାର୍ୟ୍ୟ ସାରିବା, ୨୦ ନମ୍ବର ରାଜ୍ୟ ରାଜପଥର ସମ୍ପ୍ରସାରଣ, ପାଣିକୋଇଲି-ରିମୁଳି-ରାଜାମୁଣ୍ଡା ୨୦ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ, ଜାତୀୟ ରାଜପଥର ୫୨୦ର କାଲଟା ମାଇନ୍ସ ଠାରୁ ରକ୍ସି ରେଲ ସାଇଡିଂ ପର୍ୟ୍ୟନ୍ତ ଚାରିଲେନ୍‍ କରିବା, ଡୁବୁରୀ-ବାମଣିପାଳ-କେନ୍ଦୁଝରକୁ ସଂଯୋଗ କରୁଥିବା ୭୨୦ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ, ଡୁବୁରୀ ରୁ କେନ୍ଦୁଝର ପର୍ୟ୍ୟନ୍ତ ଥିବା ରାଜପଥରକୁ ୬ଲେନ୍‍ କରିବା, ଜାମୁଝରି ରୁ ଧାମରା ପର୍ୟ୍ୟନ୍ତ ଥିବା ରାଜପଥର ସମ୍ପ୍ରସାରଣ ଆଦି ରହିଛି । ଉଭୟ ରେଳ ଓ ରାଜପଥ ପ୍ରକଳ୍ପ କଳିଙ୍ଗନଗର ଇସ୍ପାତ କ୍ଲଷ୍ଟରକୁ ସଂଯୋଗ କରିବାକୁ ଥିବାରୁ ଏହାର ଯୋଜନା କରାଯିବା ଆବଶ୍ୟକ ।

ଅନୁରୂପ ଭାବେ ବୋକାରୋ ଠାରେ ଆଉ ଗୋଟିଏ ଇସ୍ପାତ କ୍ଲଷ୍ଟର ପ୍ରତିଷ୍ଠା ପାଇଁ ଯୋଜନା ଥିବାରୁ ୧୨ଟି ଇସ୍ପାତ ଜୋନ୍‍ ଲାଗି ଆବଶ୍ୟକ ଭିତ୍ତିଭୂମି ଚିହ୍ନଟ ସହିତ ଏହାର କାର୍ୟ୍ୟ ତ୍ୱରାନ୍ୱିତ ଲାଗି ଜୋର ଦିଆଯାଉଛି । ଏହା ମଧ୍ୟରେ କଳିଙ୍ଗନଗର, ଅନୁଗୁଳ, ରାଉରକେଲା, ଝାରସୁଗୁଡା, ନଗରନାର, ଭିଲାଇ, ରାୟପୁର, ଜାମସେଦପୁର, ବୋକାରୋ, ଦୁର୍ଗାପୁର, କୋଲକତା ଓ ଭାଇଜାଗ ରହିଛି । କଳିଙ୍ଗନଗର ଓ ବୋକାରୋ ସହିତ ଏହିସବୁ ସ୍ଥାନରେ ଥିବା ଇସ୍ପାତ କାରଖାନା ଗୁଡିକ ନିକଟରେ ଇସ୍ପାତ କ୍ଲଷ୍ଟର ପ୍ରତିଷ୍ଠା ଲାଗି ଇସ୍ପାତ ମନ୍ତ୍ରାଳୟ ଯୋଜନା ପ୍ରସ୍ତୁତ କରୁଛନ୍ତି ।

ଓଡିଶା, ଝାଡଖଣ୍ଡ, ଛତିଶଗଡ, ପଶ୍ଚିମବଙ୍ଗ ଓ ପୂର୍ବ ଆନ୍ଧ୍ରପ୍ରଦେଶରେ ସମନ୍ୱିତ ଇସ୍ପାତ ହବ୍‍ର ମୁଖ୍ୟ ଲକ୍ଷ୍ୟ ହେଉଛି ଇସ୍ପାତ କ୍ଷେତ୍ରରେ ପାଖାପାଖି ୭୦ ବିଲିୟନ ଡଲାର ପୁଞ୍ଜି ନିବେଶ ସହିତ ପୂର୍ବ ଭାରତର ଆର୍ଥିକ ବିକାଶ କରିବା । ସମ୍ପୃକ୍ତ ରାଜ୍ୟ ସରକାରଙ୍କ ସହାୟତାରେ ଟାସ୍କଫୋର୍ସ ଓ କାର୍ୟ୍ୟଗୋଷ୍ଠି ଗଠନ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଇସ୍ପାତ ମନ୍ତ୍ରାଳୟର ଅତିରିକ୍ତ ସଚିବ କଳିଙ୍ଗନଗର କ୍ଲଷ୍ଟର ଲାଗି ଆବଶ୍ୟକ ଭିତ୍ତିଭୂମି ସକାଶେ ଯୋଜନା ପ୍ରସ୍ତୁତ ଲାଗି କହିଛନ୍ତି । ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ, ଇସ୍ପାତ ଓ ଖଣି ବିଭାଗଦାୟତ୍ୱରେ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ମଧୁ ସୂଦନ ପାଢୀ, ପୂର୍ତ୍ତ ସଚିବ ଡକ୍ଟର କ୍ରିଷନ କୁମାର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ବ୍ୟାପକ ଭିତ୍ତିଭୂମି ପ୍ରକଳ୍ପ ନେଇ ସମନ୍ୱୟ ରକ୍ଷା କରୁଛନ୍ତି ।

Share

Leave a Reply

Your email address will not be published. Required fields are marked *

3 × three =