ବିଜୟ-ଧମେନ୍ଦ୍ରଙ୍କ ଭେଟଘାଟକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା

ଭୁବନେଶ୍ୱର: ରାଜ୍ୟ ରାଜନୀତିର ଅଭିଜ୍ଞ ରାଜନେତା ବିଜୟ ମହାପାତ୍ରଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ । ବିଜୟଙ୍କ ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ବାସଭବନକୁ ଯାଇ ଧମେନ୍ଦ୍ର ଭେଟିଛନ୍ତି । ଯାହାକି ଧମେନ୍ଦ୍ର ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ତେବେ ଧମେନ୍ଦ୍ର ଓ ବିଜୟଙ୍କ ଭେଟଘାଟକୁ ନେଇ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଛି ଚର୍ଚ୍ଚା ।

ଦୀର୍ଘଦିନ ହେବ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦେଖା ଯାଉନାହାନ୍ତି ବିଜୟ । ଯେବେ ବି ସରକାରଙ୍କୁ ଟାର୍ଗେଟ କରୁଛନ୍ତି ସେ ନିଜ ବାସଭବନରେ ହିଁ ପ୍ରେସମିଟ୍ ଆୟୋଜନ କରୁଛନ୍ତି । ପାର୍ଟି ଅଫିସକୁ ନଯିବା ପଛରେ କିଛି କାରଣ ରହିଥିବା ମଧ୍ୟ ଚର୍ଚ୍ଚା ହେଉଛି । ତେବେ ସେ ରାଗ ହେଉ ବା ଅଭିମାନ । କାର୍ଯ୍ୟାଳୟକୁ ନଯିବା ଦଳ ଲାଗି ମାଇନସ ପଏଣ୍ଟ ।

ବିଜୟଙ୍କ ଟାର୍ଗେଟ କରିବାର ଢ଼ଙ୍ଗ ନିଆରା । ଏଣୁ ସେ କାର୍ଯ୍ୟାଳୟରେ ବସି ପ୍ରେସମିଟ କଲେ ଦଳ ଲାଗି ସୁଫଳ ମିଳନ୍ତା ।
ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାରୁ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି । ୨୦୨୪ରେ ହେବ ସାଧାରଣ ନିର୍ବାଚନ । ଏଣୁ ୨୦୨୨ରେ ହେବାକୁଥିବା ପଞ୍ଚାୟତ ନିର୍ବାଚନ ସେମିଫାଇନାଲ ସଦୃଶ । ତେବେ ପଞ୍ଚାୟତ ନିର୍ବାଚନ ଫଳାଫଳ କହିବ ୨୦୨୪ ନିର୍ବାଚନର ଭାଗ୍ୟ । ଯାହାକି ରାଜନୈତିକ ବିଶାରଦମାନେ ମତ ଦେଇଛନ୍ତି । ତେବେ ବିଜେଡି ପଞ୍ଚାୟତ ନିର୍ବାଚନ ଲାଗି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ବିଜେପି ଟିକେ ପଛରେ ପଡିଯାଇଛି ।

ଦିନଥିଲା ବିଜୟ ଦଳୀୟ କାର୍ଯ୍ୟାଳୟରେ ପ୍ରେସମିଟ୍ କରି ତୁମ୍ବିତୋଫାନ କରୁଥିଲେ । କିନ୍ତୁ ଏବେ ଟିକେ ନିରବ ରହିବା ସମସ୍ତଙ୍କ ମନରେ ସୃଷ୍ଟି କରିଛି ପ୍ରଶ୍ନବାଚୀ । ତେବେ ବିଜୟଙ୍କୁ ବୁଝାଇବାକୁ ଧମେନ୍ଦ୍ର ତାଙ୍କ ବାସଭବନକୁ ଯାଇଥିବା ଚର୍ଚ୍ଚା ହେଉଛି । ପଞ୍ଚାୟତ ନିର୍ବାଚନ ସମୟରେ ବିଜୟଙ୍କ ଉପସ୍ଥିତି ବିଜେପି ଲାଗି ଲାଭଦାୟକ ହେବ ବୋଲି କୁହାଯାଉଛି । ବିଭିନ୍ନ ପ୍ରସଙ୍ଗ ନେଇ ବିଜୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିପାରନ୍ତି ବୋଲି ଏହି ଭେଟଘାଟ ପରେ କୁହାଯାଉଛି । ସେପଟେ ଏହି ଭେଟଘାଟକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଅନେକ ଚର୍ଚ୍ଚା ହେଉଥିବା ବେଳେ ୟୁଜର୍ସମାନେ ବିଭିନ୍ନ କମେଣ୍ଟ ଦେବା ଆରମ୍ଭ କରି ଦେଲେଣି ।

Share

Leave a Reply

Your email address will not be published. Required fields are marked *

nineteen − ten =