ଶତ୍ରୁ ବିନାଶ ପାଇଁ ଧର୍ମେନ୍ଦ୍ରଙ୍କ ଗୋଟି ଚାଳନା

ଭୁବନେଶ୍ବର : ମୋଦି ସରକାରର ଏକାନ୍ତ ଅନୁଗତ ତଥା ବିଶ୍ୱସ୍ତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଗାମୀ ଦିନରେ ନିଜକୁ ଏକଛତ୍ର ନେତା ଭାବେ ପ୍ରତିପାଦିତ କରିବା ପାଇଁ ଗୋଟି ଚାଳନା ଆରମ୍ଭ କରିଦେଇଛନ୍ତି। ଚଳିତ ନିର୍ବାଚନରେ ‘ଘଇତା ପଛକେ ମରୁ; ସଉତୁଣୀ ରାଣ୍ଡ ହେଉ’ ନ୍ୟାୟରେ ତାଙ୍କ ନେତୃତ୍ୱ ପ୍ରତି ଆନୁଗତ୍ୟ ସ୍ୱୀକାର କରୁନଥିବା ଓ ଆଗାମୀ ଦିନରେ ଯାହାଠାରୁ ବିପଦ ଅଛି ବୋଲି ଅନୁଭବ କରୁଛନ୍ତି ସେମାନଙ୍କୁ ବିନାଶ କରିବା ଯୋଜନାରେ ରହିଛନ୍ତି। ଏଥିପାଇଁ ସେ କେନ୍ଦ୍ରୀୟ ନେତାମାନଙ୍କୁ ହାତବାରିଶୀ କରି ବିଜୟୀ ପ୍ରାର୍ଥୀମାନଙ୍କୁ ଟିକଟରୁ ବଞ୍ଚିତ କରିବା ସହିତ ଅନ୍ୟମାନଙ୍କ ନିର୍ବାଚନ ମଣ୍ଡଳୀ ବଦଳାଇବାରେ ସମର୍ଥ ହୋଇଛନ୍ତି।

ଗତକାଲି ପ୍ରକାଶ ପାଇଥିବା ପ୍ରାର୍ଥୀ ତାଲିକା ଅନୁସାରେ ବରଗଡ ଲୋକସଭା ପାଇଁ ଦଳର ବରିଷ୍ଠ ନେତା ସୁରେଶ ପୂଜାରୀଙ୍କୁ ପ୍ରାର୍ଥୀ କରାଯାଇଛି। ଯାହାକି ପଶ୍ଚିମ ଓଡ଼ିଶାର ବିଜେପି ନେତା ଓ କର୍ମୀଙ୍କ ପାଇଁ ଅପ୍ରତ୍ୟାଶିତ ଖବର ହୋଇଛି। ଏହାକୁ ନେଇ ବରଗଡ ଅଞ୍ଚଳରେ ବିଜେପି କର୍ମୀଙ୍କ ମହଲରେ ଯେଉଁ ଅସନ୍ତୋଷ ଦେଖା ଦେଇଛି ତା ଦ୍ୱାରା ସୁରେଶ ପୂଜାରୀଙ୍କ ବିଜୟ ପଥ କଣ୍ଟକିତ ହେବ ବୋଲି ଜଳଜଳ ଦେଖାଗଲାଣି।

୨୦୧୪ ନିର୍ବାଚନରେ ବରଗଡ ଲୋକସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ସୁବାସ ଚୌହ୍ୱାନ ମାତ୍ର ୧୧୧୭୮ ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥୀ ପ୍ରଭାସ ସିଂହଙ୍କଠାରୁ ପରାସ୍ତ ହୋଇଥିଲେ। ୨୦୧୪ ପର ନିର୍ବାଚନ ପରଠାରୁ ସୁବାସ ଚୌହ୍ୱାନ ନିରନ୍ତର ଭାବେ ନିର୍ବାଚନ ମଣ୍ଡଳୀରେ ଲୋକସମ୍ପର୍କ ରଖିଆସିଛନ୍ତି। ଚଳିତ ନିର୍ବାଚନରେ ତାଙ୍କର ବିଜୟ ସୁନିଶ୍ଚିତ ବୋଲି ସ୍ଥାନୀୟ ଅଞ୍ଚଳର ଲୋକମାନେ ମତପ୍ରକାଶ କରୁଥିବାବେଳେ ଦଳ ତାଙ୍କୁ ପ୍ରାର୍ଥୀ ନ କରି ଧର୍ମେନ୍ଦ୍ରଙ୍କ ତାଙ୍କ ବିରୋଧୀ ସୁରେଶ ପୂଜାରୀଙ୍କୁ ପ୍ରାର୍ଥୀ କରିଛନ୍ତି । ଏମିତି କରି ସେ ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛନ୍ତି ।

ସୁବାସ ଚୌହ୍ୱାନ ବିଜେପୁର ଉପନିର୍ବାଚନବେଳେ ଅଶୋକ ପାଣିଗ୍ରାହୀଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରିଥିଲେ। ଯାହାକି ଧର୍ମେନ୍ଦ୍ରଙ୍କୁ ବହୁତ କଷ୍ଟ ହୋଇଥିଲା। ତେଣୁ ଧର୍ମେନ୍ଦ୍ର ଚଳିତ ନିର୍ବାଚନରେ ସୁବାସ ଚୌହ୍ୱାନ ବିଜୟୀ ପ୍ରାର୍ଥୀ ହୋଇଥିଲେ ହେଁ ପୂର୍ବ ରାଗ ସୁଝାଇବା ପାଇଁ ତାଙ୍କ ଟିକଟ କାଟି ଦେଇଛନ୍ତି।

କିନ୍ତୁ ସୁବାସଙ୍କ ସ୍ଥାନରେ ଯାହାଙ୍କୁ ପ୍ରାର୍ଥୀ କରାଯାଇଛି ସେ ବରଗଡ ନିର୍ବାଚନ ମଣ୍ଡଳୀରେ କର୍ମୀଙ୍କ ମହଲରେ ସର୍ବମାନ୍ୟ ନୁହଁନ୍ତି। ଏପରିକି ସୁବାସଙ୍କ ସମର୍ଥକମାନେ ସୁରେଶ ପୂଜାରୀଙ୍କୁ ସମର୍ଥନ କରିବା ଆଶା ନାର୍ହି। ତେଣୁ ତାଙ୍କର ବିଜୟ ସମ୍ଭାବନା ନାହିଁ କହିଲେ ଭୂଲ ହେବ ନାହିଁ।

ଅପରପକ୍ଷରେ ଦେଖିବାକୁ ଗଲେ ସୁରେଶ ପୂଜାରୀ ଏବେ କେନ୍ଦ୍ର ନେତୃତ୍ୱର ବିଶ୍ୱାସଭାଜନ ହୋଇ ବିଭିନ୍ନ ଦାୟିତ୍ୱ ସଫଳତାର ସହିତ ନିର୍ବାହ କରୁଛନ୍ତି। ଏହି ଧାରା ଯଦି ଜାରୀ ରୁହେ ତେବେ ସୁରେଶ ପୂଜାରୀ ଆଗାମୀ ଦିନରେ ଧର୍ମେନ୍ଦ୍ରଙ୍କ ପାଇଁ କଣ୍ଟା ହୋଇପାରନ୍ତି। ନିଜ ରାସ୍ତାରୁ କଣ୍ଟା ସଫା କରିବା ପାଇଁ ଧର୍ମେନ୍ଦ୍ର ଚଳିତ ନିର୍ବାଚନରେ ସୁରେଶଙ୍କୁ ବରଗଡରେ ପ୍ରାର୍ଥୀ କରି ହରାଇବାର ସମସ୍ତ ଯୋଜନା କରିଛନ୍ତି।

ଏଭଳି ଚିନ୍ତା କରିବାର କାରଣ ହେଉଛି ସୁରେଶ ପୂଜାରୀ ଗତ ନିର୍ବାଚନରେ ସମ୍ୱଲପୁର ଲୋକସଭା ମଣ୍ଡଳୀରୁ ପ୍ରତିଦ୍ୱନନ୍ଦ୍ୱୀତା କରି ବିଜେଡି ପ୍ରାର୍ଥୀ ନଗେନ୍ଦ୍ର ପ୍ରଦାନଙ୍କଠାରୁ ୩୦୫୭୬ ଭୋଟରେ ପରାଜିତ ହୋଇଥିଲେ। ଏଥର ନିର୍ବାଚନରେ ସୁରେଶ ପୂଜାରୀ ସମ୍ୱଲପୁରରୁ ପ୍ରାର୍ଥୀ ହେବେ ବୋଳି ଦଳୀୟ ମହଲରେ ଆଲୋଚନା ହେଉଥିଲା। ଏପରିକି ସୁରେଶ ପୂଜାରୀ ବିଭିନ୍ନ ସମୟରେ ସମ୍ୱଲପୁର ଲୋକସଭା ଅଞ୍ଚଳରେ ସଂଗଠନ କଥା ବୁଝୁଥିଲେ। ତାଙ୍କ ନିର୍ବାଚନ ମଣ୍ଡଳୀ ପରିବର୍ତ୍ତନ କରାଯାଇଥିବାରୁ ଜିତିବା ସମ୍ଭାବନା କମ‍୍‌ ବୋଲି କୁହାଯାଉଛି।

ସେହିପରି କଳାହାଣ୍ଡି ଲୋକସଭା ପାଇଁ ପୂର୍ବତନ ମନ୍ତ୍ରୀ ତଥା ତିନି ଥରର ବିଧାୟକ ପ୍ରଦୀପ ନାଏକ ସଂଗଠନ ପ୍ରସ୍ତୁତ କରିଥିଲେ। ତାଙ୍କ ସ୍ଥାନରେ ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ପ୍ରାର୍ଥୀ କରାଯାଇଛି। ଯେଉଁ ରାଜ୍ୟ ସଭାପତିଙ୍କ ପରିବାରରେ ତାଙ୍କୁ ବିରୋଧ କରାଯାଉଛି ତାଙ୍କୁ କିପରି କଳାହାଣ୍ଡି ଲୋକସଭା ଅନ୍ତର୍ଗତ ୭ଟି ବିଧାନସଭାର ମତଦାତାମାନେ ବିଶ୍ୱାସ କରି ସମର୍ଥନ କରିବେ ତାହା ହିଁ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ପ୍ରଦୀପ ନାୟକ ସେ ଅଞ୍ଚଳର ଜଣେ ଟାଣୁଆ ନେତା ଯିଏକି ବିଜେପିର ମୂଳଦୁଆ ପକାଇଛନ୍ତି ବୋଲି କହିଲେ ଭୂଲ ହେବ ନାହିଁ। ସେ ତିନିଥର ବିଧାନସଭାକୁ ଦଳିତ ବର୍ଗରୁ ନିର୍ବାଚିତ ହୋଇଛନ୍ତି। ଭବିଷ୍ୟତରେ ଦଳିତ ନେତୃତ୍ୱ କଥା ଉଠିଲେ ପ୍ରଦୀପ୍ତ ନାଏକଙ୍କ ଆଡୁ ଧର୍ମେନ୍ଦ୍ରଙ୍କ ପାଇଁ ବିପଦ ରହିଛି। ପ୍ରଦୀପ୍ତ ଲୋକସଭାରେ ବିଜୟୀ ହେଲେ କାଳେ କେନ୍ଦ୍ରୀୟ ନେତାଙ୍କ ବିଶ୍ୱାସ ଜିତିବେ, ତେଣୁ ବିପଦକୁ ପ୍ରଥମରୁ ସଫା କରିବା ପାଇଁ ଧର୍ମେନ୍ଦ୍ର ତାଙ୍କର ସାଂସଦ ହେବା ରାସ୍ତାକୁ ବନ୍ଦ କରିଦେଇଛନ୍ତି।

ଧର୍ମେନ୍ଦ୍ର ଜାଣିଛନ୍ତି ଯେ ଅମିତ୍ ଶାହ ୧୨୦+ ଆସନରେ ବିଜେପି ଜିତିବ ବୋଲି ଯେତେ ଆସ୍ପାଳନ କଲେ ବି ତାହା ସଫଳ ହେଉନାହିଁ। ଫଳରେ ସେ ଏଥର ମୁଖ୍ୟମନ୍ତ୍ରୀ ହେଉନାହାଁନ୍ତି। ତେଣୁ ୨୦୨୪କୁ ଆଖି ଆଗରେ ରଖି ନିଜର ନେତୃତ୍ୱକୁ ନିସକଣ୍ଟକ କରିବା ପାଇଁ ଏବେ ଠାରୁ ଶତ୍ରୁ ବିନାଶ କାମରେ ଲାଗିପଡିଛନ୍ତି ବୋଲି ବିଜେପି ନେତାଙ୍କ ଭିତରେ ଆଲୋଚନା ହେଉଛି।

Share

Leave a Reply

Your email address will not be published. Required fields are marked *

eleven − 4 =