ଓଡ଼ିଶାକୁ ବିକାଶର ଭୂଖଣ୍ଡରେ ପରିଣତ କରିବା ଏକମାତ୍ର ବ୍ରତୀ : ଅରୁଣ

ଟିସୂତ୍ରର ଆଧାରରେ କୃଷିରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବାକୁ ଆହ୍ବାନ

ଭୁବନେଶ୍ବର () କୃଷି ଓ କୃଷକର ଉନ୍ନତି ନିମନ୍ତେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ବ ଦେଇ ଏକାଧିକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏହିସବୁ ଯୋଜନାର ସଫଳ ରୂପାୟନ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଶତ ପ୍ରତିଶତ ଯୋଗଦାନ ବ୍ରତୀ ହେବା ଆବଶ୍ୟକ । କୃଷି ବିଭାଗର ସର୍ବୋଚ୍ଚ ସ୍ତରରୁ ସର୍ବନିମ୍ନ ସ୍ତରର କର୍ମଚାରୀମାନଙ୍କର ଏହା ଏକମାତ୍ର ପ୍ରାଥମିକତା ହେବା ଉଚିତ ବୋଲି କୃଷି ଓ କୃଷିକ ସଶକ୍ତିକରଣ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।

ଆଜି ପୂର୍ବାହ୍ନରେ କୃଷି ଭବନଠାରେ ମନ୍ତ୍ରୀ ଡ. ସାହୁ ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନଙ୍କ ସହିତ ଏକ ନିଆରା ଢଙ୍ଗରେ ମତବିନିମୟ କରି କହିଲେ ରାଜ୍ୟରେ କୃଷିର ଉଲ୍ଲେଖନୀୟ ଅଗ୍ରଗତି ଘଟିଛି । ଓଡ଼ିଶା ଆଉ ପୂର୍ବର ଭୋକର ଭୂଗୋଳ ହୋଇ ରହିନାହିଁ । ବିକାଶର ଭୂଖଣ୍ଡ ପାଲଟିଛି ଏବଂ ରାଜ୍ୟ ବର୍ତ୍ତମାନ ବିକାଶ ପର୍ବରୁ ମହାବିକାଶର ପର୍ବକୁ ଗତି କରୁଛି । ରାଜ୍ୟରେ ଏକ ସୁଶାସନ ପ୍ରତିଷ୍ଠା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫‘ଟି’ ସୂତ୍ରର ଆଧାରରେ ସମସ୍ତ କାର୍ଯ୍ୟକରି କୃଷି କ୍ଷେତ୍ରରେ ଅଭୂତପୂର୍ବ ସଫଳତା ଆଣିବା ପାଇଁ ମନ୍ତ୍ରୀ ଡ. ସାହୁ ଆହ୍ବାନ ଦେଇଥିଲେ ।

୫‘ଟି’ ସୂତ୍ରକୁ ଆଦର୍ଶ କରି ନିଜ ବିଭାଗର କର୍ମଚାରୀମାନଙ୍କ ସହିତ ମିଶି କାର୍ଯ୍ୟକରିବା ସହିତ ଅନ୍ୟ ବିଭାଗ ସହିତ ସମନ୍ବୟ ରଖିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । କାର୍ଯ୍ୟକ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟା ଆପଣେଇବା ଦ୍ବାରା ଅନେକ କାର୍ଯ୍ୟ ସହଜ ଓ ଶୀଘ୍ର ହୋଇପାରୁଛି । କୃଷକମାନଙ୍କର ପରିଶ୍ରମ, ନିଷ୍ଠା ଓ ତ୍ୟାଗକୁ ହୃଦୟଙ୍ଗମ କରିବା ସହିତ ନିଜ ସ୍ବାର୍ଥକୁ ଅଗ୍ରାଧିକାର ଦେବା ପରିବର୍ତ୍ତେ କୃଷି ଓ କୃଷକମାନଙ୍କ ନିମନ୍ତେ ପ୍ରଣୟନ କରାଯାଇଥିବା ଯୋଜନାର କାର୍ଯ୍ୟାନ୍ବୟନରେ ସ୍ବଚ୍ଛତା ଅବଲମ୍ବନ କରିବା ପାଇଁ ମନ୍ତ୍ରୀ ପ୍ରେରଣା ଦେଇଥିଲେ । ଏଥି ସହିତ ପ୍ରତ୍ୟେକ ଯୋଜନା ଓ କାର୍ଯ୍ୟକ୍ରମକୁ ନିର୍ଦ୍ଧାରିତ ସମୟ ମଧ୍ୟରେ କରିବା ପାଇଁ ଚତୁର୍ଥ ‘ଟି’ ସମୟ(ଟାଇମ୍‌) ଉପରେ ଗୁରୁତ୍ବ ଦେଇଥିଲେ । ଏହା ଦ୍ୱାରା ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ (ଟ୍ରାନ୍ସଫରମେସନ୍‌) ଆସିବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ ।

୨୦୦୦ ମସିହାଠାରୁ ଓଡ଼ିଶାରେ କୃଷି ଉତ୍ପାଦନ ବହୁଗୁଣ ବୃଦ୍ଧି ପାଇଛି । ୨୦୦୦-୦୧ରେ ଖାଦ୍ୟଶସ୍ୟ ଉକ୍ସଊାଦନ ୫୫ ଲକ୍ଷ ମେଟ୍ରିକ ଟନ ଥିବାବେଳେ ଏହା ସର୍ବାଧିକ ୧୧୮ ଲକ୍ଷ ମେଟ୍ରିକ ଟନ୍‌ରେ ପହଞ୍ଚିପାରିଛି । ଓଡ଼ିଶା ୫ ଥର କୃଷିକର୍ମଣ ପୁରସ୍କାର ଲାଭ କରିଛି । ସେହିପରି ପନିପରିବା, ମାଛ, ମାଂସ, ଅଣ୍ଡା ଓ ଦୁଧ ଉତ୍ପାଦନ ବୃଦ୍ଧି ପାଇ ଓଡ଼ିଶା ସ୍ବାବଲମ୍ବୀ ହୋଇପାରିଛି । ସଂପ୍ରତି ପାଣିପାଗର ପରିବର୍ତ୍ତନ ଯୋଗୁଁ ପାରମ୍ପାରିକ ଚାଷ ବଦଳରେ ଅର୍ଥକାରୀ ଓ ଅନ୍ୟ ଫସଲ ନିମନ୍ତେ କୃଷକମାନଙ୍କୁ ପ୍ରଭାବିତ କରିବା ଉପରେ ମନ୍ତ୍ରୀ ଗୁରୁତ୍ବ ଦେଇଥିଲେ । କୃଷି ବିକାଶକୁ ତ୍ବାରାନ୍ବିତ କରିବା ପାଇଁ ଏବଂ କୃଷକର ଆୟ ବୃଦ୍ଧି କରିବା ପାଇଁ ୨୦୧୯ ମସିହାରେ ରାଜ୍ୟ ସରକାର ଏକ କି୍ରୟାଶୀଳ କୃଷିନୀତି ପ୍ରଣୟନ କରିବାକୁ ଯାଉଛନ୍ତି ବୋଲି ଡ. ସାହୁ ପ୍ରକାଶ କରିଥିଲେ ।

ଏହି ଅବସରରେ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ କହିଥିଲେ କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ୫‘ଟି’ ସୂତ୍ରକୁ କାର୍ଯ୍ୟକାରୀ କରିବା ପାଇଁ ଏକ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇଛି । ଏହାଦ୍ବାରା କାର୍ଯ୍ୟକ୍ଷେତ୍ରରେ ଗୁଣାତ୍ମକ ପରିବର୍ତ୍ତନ ଅଣାଯାଇ ପାରିବ ଓ କୃଷକମାନେ ବହୁଳ ଭାବେ ଉପକୃତ ହୋଇପାରିବେ ।

Share

Leave a Reply

Your email address will not be published. Required fields are marked *

ten − two =