ରାଜଧାନୀରେ ସଫେଇ ସଂସ୍ଥା ଓ ୱାର୍ଡ ଅଫିସରଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନ

ଭୁବନେଶ୍ୱର : ରାଜଧାନୀରେ ଏବେ ଡେଙ୍ଗୁ ମାତିଛି । ପ୍ରତିଦିନ ମଶା କାମୁଡାରେ ଘାଇଲା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢୁଥିବାବେଳେ ଲୋକେ ବିଏମ୍‍ସି ଉପରେ ରକ୍ତଚାଉଳ ଚୋବାଉଛନ୍ତି । ତେବେ ଏଭଳି ସ୍ଥିତିରେ ସହରର ବହୁ ଅଞ୍ଚଳରେ ସଫେଇ ଦାୟିତ୍ୱ ନେଇଥିବା ଘରୋଇ ସଂସ୍ଥା ଓ ପ୍ରତି ୱାର୍ଡରେ ନିଯୁକ୍ତ ୱାର୍ଡ ଅଫିସରଙ୍କ କାର୍ଯ୍ୟ ଏବେ ସନ୍ଦେହ ଘେରକୁ ଆସିଛି । ଏମାନଙ୍କ ନିକମାପଣ ପାଇଁ ସହରରେ ଡେଙ୍ଗୁ ମାଡୁଥିବା ଆଲୋଚନା ହେଉଛି ।

ରାଜଧାନୀର ୬୭ଟି ୱାର୍ଡ ମଧ୍ୟରୁ ଅଧିକାଂଶର ସଫେଇ ଦାୟିତ୍ୱ ରହିଛି ବିଭିନ୍ନ ଘରୋଇ ସଂସ୍ଥା ହାତରେ । ବର୍ତ୍ତମାନ ସ୍ଥିତିରେ ଅପରିଷ୍କାର ପରିବେଶ ଯୋଗୁଁ ମଶାବଂଶ ବୃଦ୍ଧି ହୋଇ ଡେଙ୍ଗୁ ବ୍ୟାପୁଥିବାବେଳେ ଏହି ଘରୋଇ ସଂସ୍ଥାଗୁଡିକୁ ତାଗିଦା କରିବାପାଇଁ ବିଏମସି ବାବୁ ସାହସ କୁଳାଇ ପାରୁନାହାନ୍ତି । ବେସରକାରୀ ସଂସ୍ଥାଗୁଡିକ କିଭଳି ସଫେଇ କରୁଛନ୍ତି ଓ ସେମାନଙ୍କ ୱାର୍ଡରେ କାହିଁକି ଡେଙ୍ଗୁ ବ୍ୟାପୁଛି ସେ ସଂକ୍ରାନ୍ତରେ ସେମାନଙ୍କ କୈଫତ ମଗାଯିବା ଆବଶ୍ୟକ । ତାହା ନକରି ଏବେ ସରକାରୀ ବାବୁମାନେ ୟା ତା ମୁଣ୍ଡରେ ଦୋଷ ଲଦିବାରେ ଲାଗିଛନ୍ତି ।

ସେହିଭଳି ସହରର ପରିମଳ ଓ ଅନ୍ୟାନ୍ୟ ବ୍ୟବସ୍ଥା ତଦାରଖ ପାଇଁ ପ୍ରତି ୱାର୍ଡରେ ଜଣେ ଜଣେ ୱାର୍ଡ ଅଫିସର ନିଯୁକ୍ତ ହୋଇଛନ୍ତି । ସେମାନଙ୍କ ପାଇଁ ଗୋଟିଏ କରି ଦପ୍ତର ଖୋଲିଛି । ହେଲେ ଏହି ସରକାରୀ ବାବୁମାନେ ଡେଙ୍ଗୁ ସଂକ୍ରାନ୍ତରେ ସରକାରଙ୍କୁ କି ରିପୋର୍ଟ ଦେଇଛନ୍ତି ତାହା ଏବେ ଅନୁଧ୍ୟାନ ସାପେକ୍ଷ । ହେଉଥିବା ଏହି ୱାର୍ଡ ଅଫିସରମାନେ ସହରର ପରିମଳ ଓ ସମସ୍ୟା ସୁଧାରିବା ବଦଳରେ ଘରୋଇ ସଂସ୍ଥା ଓ ବେଆଇନ୍ ବସ୍ତି ପଇସାରେ ମାଲାମାଲ ହେବାରେ ଲାଗିଛନ୍ତି । ଏମାନଙ୍କ ଦେଖାଦର୍ଶନ ସ୍ଥାନୀୟ ଲୋକେ ପାଉ ନାହାନ୍ତି । ଯଦି କିଏ ଅଭିଯୋଗ ନେଇ ଯାଉଛି ତାକୁ ବିଭିନ୍ନ ବାହାନା ଦେଖାଇ ଫେରାଉଛନ୍ତି ନ ହେଲେ ଘରୋଇ ସଂସ୍ଥା ସୁପରଭାଇଜରର ଫୋନ୍ ନମ୍ବର ଧରାଇ ଦେଉଛନ୍ତି ।

ଡେଙ୍ଗୁ ବ୍ୟାପିବାର ବଡ କାରଣ ବେଆଇନ୍ ବସ୍ତି ଓ ଆବର୍ଜଜା ଗଦାହୋଇ ରହିବା କୁହାଯାଉଛି । ବିଏମସି କିନ୍ତୁ ଏ ଦିଗରେ ପୂରା ନିରବ । ୱାର୍ଡ ଅଫିସରମାନେ ବେଆଇନ୍ ବସ୍ତି ସଂକ୍ରାନ୍ତରେ ବିଏମସିକୁ ଅବଗତ କରୁଛନ୍ତି କି ନାହିଁ ତାହା ସନ୍ଦେହ ଜନକ । ଏହି ବେଆଇନ୍ ବସ୍ତିଗୁଡିକ ଯେଉଁସବୁ ସ୍ଥାନରେ ଗଢି ଉଠିଛି ସେହି ସ୍ଥାନକୁ ସଫା କରିବା ଓ ଅଳିଆ ଉଠାଇବା ଅତ୍ୟନ୍ତ କଷ୍ଟକର ବ୍ୟାପାର । ପାଣି ଚୋରିର ମୁଖ୍ୟ ସ୍ଥାନ ଏହି ବେଆଇନ୍ ବସ୍ତି ହୋଇଥିବାବେଳେ ଏଠାରେ ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ମଶାବଂଶ ବିସ୍ତାରର ବି ସ୍ଥାନ ପାଲଟିଛି ।

ସହରରେ ମଶାବଂଶ ବୃଦ୍ଧିର ଆଉ ଗୋଟିଏ ସମସ୍ୟା ହେଉଛି ଯିଏ ଯେଉଁଠି ରାତି ଅଧିଆ ଘର ତିଆରି କରୁଛି ତାକୁ ରାତି ପାହିଲା ବେଳକୁ ଜଳ ସଂଯୋଗ ମିଳିଯାଉଛି । ହେଲେ ଏହି ଜଳ କୁଆଡେ ନିଷ୍କାସିତ ହେବ ତାହାର ବ୍ୟବସ୍ଥା ନାହିଁ । କାରଣ ବେଆଇନ୍ ଭାବେ ଗଢି ଉଠିଥିବା ବସ୍ତିକୁ ସ୍ୱରେଜ ସଂଯୋଗ ମିଳୁନାହିଁ । ଫଳରେ ସହରର ବିଭିନ୍ନ ସ୍ଥାନରେ ଏପରିକି ରାସ୍ତାକଡରେ ଗଢି ଉଠିଥିବା ବସ୍ତି ଆଖପାଖରେ ପାଣି ଜମାହୋଇ ରହୁଛି ଓ ଏହା ମଶା ପ୍ରଯଜନନ କେନ୍ଦ୍ର ପାଲଟିଛି । ଏ ଦିଗରେ ୱାର୍ଡ ଅଫିସର, ସଫେଇ ଦାୟିତ୍ୱରେ ଥିବା ସଂସ୍ଥା କିମ୍ବା ସାଧାରଣ ପ୍ରାଶାସନ ବିଭାଗ କେହି ନଜର ଦେଉ ନାହାନ୍ତି । ଏହାର ତୁରନ୍ତ ପ୍ରତିକାର ନହେଲେ ଆଗାମୀ ଦିନରେ ସ୍ଥିତି ଆହୁରି ଜଟିଳ ହେବ ବୋଲି ସାଧାରଣରେ ମତପ୍ରକାଶ ପାଉଛି ।

Share

Leave a Reply

Your email address will not be published. Required fields are marked *

five + seven =