ବିଜେଡିର ଦିଲ୍ଲୀ ଚଲୋ ଅଭିଯାନ, ସଂସଦ ଘେରାଉ ଯୋଜନା

ଭୁବନେଶ୍ବର () ଖୁବଶୀଘ୍ର ବିଜେଡିର ଦିଲ୍ଲୀ ଚଲୋ ଅଭିଯାନ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ବିଜେଡି ଦିଲ୍ଲୀରେ ପ୍ରତିବାଦର ସ୍ବର ଜୋରଦାର କରିବ । ଏଥିପାଇଁ ଦଳ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ରାଜ୍ୟ ସରକାର ବାରମ୍ବାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରୁଥିବା ବେଳେ କେନ୍ଦ୍ର ସରକାର ଏହାକୁ ଗୁରୁତ୍ବ ଦେଉନାହାଁନ୍ତି । ଆସନ୍ତା ଜାନୁଆରୀ 6,7,8 ତାରିଖରେ ବିଜେଡି ପକ୍ଷରୁ ସଂସଦ ଘେରାଉ କରାଯିବା ସହ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ଦିଆଯିବ ।

ପୂର୍ବରୁ ମଧ୍ୟ ଏନେଇ ବିଜେଡି ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ଦିଆଯାଇଥିଲା । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇଛି ଦଳ । କିନ୍ତୁ ଧାନର କ୍ବିଣ୍ଟାଲ ପିଛା ଉତ୍ପାଦନ ଖର୍ଚ୍ଚକୁ ହିସାବ କରି କେନ୍ଦ୍ର ସରକାର ଦେଢଗୁଣା ଏମଏସପି ଧାର୍ଯ୍ୟ କରିବାକୁ ବିଜେଡି ଦାବି କରୁଛି । ଏ ସଂପର୍କରେ ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ଆସିଛି । ରାଜ୍ୟ ସରକାର କ୍ବିଣ୍ଟାଲ ପିଛା ଏମଏସପି 2350 ଟଙ୍କା ଧାର୍ଯ୍ୟ କରିବାକୁ ଦାବି କରିଆସୁଛନ୍ତି । କେନ୍ଦ୍ର ସରକାର ଅନ୍ୟ ସବୁ ଫସଲ ଉପରେ ଏମଏସପି ଯଥେଷ୍ଟ ବୃଦ୍ଧି କରିଥିବା ବେଳେ ଗତ ଜୁନରେ ଧାନ ଉପରେ ଏମଏସପି ମାତ୍ର 200 ଟଙ୍କା ବୃଦ୍ଧି କରିଥିଲେ ।

2014 ନିର୍ବାଚନ ଇସ୍ତାହାରରେ ନିର୍ବାଚନ ପୂର୍ବବର୍ତ୍ତି ସାଧାରଣ ସଭାଗୁଡିକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର ପ୍ରତିଶୃତି ଦେଇଥିଲେ ଯେ, ବିଜେପି ସରକାର କେନ୍ଦ୍ରରେ କ୍ଷମତାକୁ ଆସିଲେ ଚାଷୀଙ୍କୁ ସେମାନଙ୍କ ଉତ୍ପାଦନ ଖର୍ଚ୍ଚର ଦେଢ ଗୁଣା ଏମଏସପି ପ୍ରଦାନ କରାଯିବ । କିନ୍ତ କ୍ଷମତାକୁ ଆସି ଆଉ ଏକ ନିର୍ବାଚନର ସମ୍ମୁଖୀନ ହେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ହେଲେ ଏମଏସପି ଦେଢଗୁଣା ହେବାର ପ୍ରତିଶୃତିକୁ ଭୁଲିଗଲେ । କେନ୍ଦ୍ର ସରକାରଙ୍କୁ ତାଙ୍କ ପ୍ରତିଶୃତି ମନେ ପକାଇ ଦେବା ସହ ଦିଲ୍ଲୀ ଦରବାରରେ ନିଜର ଦାବି ଜୋରଦାର କରିବାକୁ ବିଜେଡି ଦିଲ୍ଲୀରେ ପ୍ରତିବାଦ କରିବାକୁ ଯୋଜନା କରିଛି ।

ଏ ସଂପର୍କରେ ଦଳ ତରଫରୁ ବିଧିବଦ୍ଧ ଘୋଷଣା ହୋଇନଥିଲେ ବି ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଏପରିକି ବିଜେଡିର ଏହି ଦିଲ୍ଲୀ ଚଲୋ ଅଭିଯାନରେ ଅନ୍ୟ ପ୍ରମୁଖ ଧାନ ଉତ୍ପାଦନକାରୀ ରାଜ୍ୟଗୁଡିକୁ ମଧ୍ୟ ସାମିଲ କରିବାକୁ ଯୋଜନା ହେଉଛି । କିନ୍ତୁ ଏ ନେଇ ଚୂଡାନ୍ତ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇନି ।

ତେବେ ରାଜନୈତିକ ସମୀକ୍ଷକଙ୍କ ମତରେ ବିଜେଡିର ଏହି ଅଭିଯାନ ପରେ ନବୀନ ପୁଣି ଥରେ ଜାତୀୟ ରାଜନୀତିରେ ନିଜର ପ୍ରତିଷ୍ଠା ଦୃଢ କରିପାରିବେ । ନିକଟରେ ମେକ ଇନ ଓଡିଶା କନକ୍ଲେଭ ପରେ ବିଶ୍ବ ଦରବାରରେ ନବୀନ ଶିଳ୍ପପତିଙ୍କ ବ୍ରାଣ୍ଡ ଆମ୍ବାସଡର ସାଜିଥିଲେ । ଏବେର ବିଶ୍ବକପ ହକି ଆୟୋଜନ ପରେ ମଧ୍ୟ ନବୀନ ଜାତୀୟ ସ୍ତରରେ ହକିର ଆଇକନ ସାଜିଛନ୍ତି । ଏମଏସପି ପ୍ରସଙ୍ଗରେ ଦିଲ୍ଲୀରେ ଆନ୍ଦୋଳନ ପରେ ନବୀନ ଦେଶରେ ଚାଷୀ ଆନ୍ଦୋଳନର ଆଇକନ ପାଲଟିଯିବେ ।

Share

Leave a Reply

Your email address will not be published. Required fields are marked *

14 + eighteen =