ବିଜେଡିରୁ ବିଦା ହେବେ ଦାମ!

ଭୁବନେଶ୍ବର, (ନିପ୍ର): ଯେଉଁ ତୁଣ୍ଡ ଯୋଗୁଁ ନିଜକୁ ବଳିୟାନ ବୋଲି ବିବେଚନା କରୁଥିବା ବିଜେଡିର ବରିଷ୍ଟ ବିଧାୟକ ଡ଼ା. ଦାମୋଦର ରାଉତ ସେହି ତୁଣ୍ଡ ପାଇଁ ପୁଣି ଅଡୁଆରେ ପଡିବାକୁ ଯାଉଛନ୍ତି । ଏଥର ତାଙ୍କୁ ଦଳର ଅନେକ ପୁରୁଣା ନେତାମାନଙ୍କ ଭଳି ଦଳରୁ ବିଦା ହେବାକୁ ପଡିପାରେ ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି ।

ଦିନ ଥିଲା ଦଳର ତୁଣ୍ଡଭାବେ ଡ଼ା. ରାଉତଙ୍କ ତୁଣ୍ଡକୁ ବ୍ୟବହାର କରାଯାଇ ରାଜନୈତିକ ପ୍ରତିପକ୍ଷକୁ ମୁକାବିଲା କରାଯାଉଥିଲା । ଏବେ ଡ଼ା. ରାଉତଙ୍କ ତୁଣ୍ଡ ଦଳର ଅସ୍ତ୍ର ହେବା ବଦଳରେ ଦଳକୁ ଘାଇଳା କରିବାରେ ଲାଗିଛି । ଡ଼ା. ରାଉତଙ୍କ ତୁଣ୍ଡ ଗତ କିଛି ଦିନ ହେଲା ଦଳ ଓ ଦଳୀୟ ନେତାମାନଙ୍କୁ ଅଡୁଆରେ ପକାଇବାରେ ଲାଗିଛି । କେବଳ ଦଳୀୟ ନେତା ବା ମନ୍ତ୍ରୀ ନୁହନ୍ତି ଏହା ଦ୍ବାରା ଦଳ ବି ଅନେକ କ୍ଷେତ୍ରରେ ଅଡୁଆରେ ପଡୁଛି । ତେଣୁ ଏଭଳି ଅଡୁଆ ସୃଷ୍ଟିକାରୀ ନେତାଙ୍କୁ ଅନ୍ୟମାନଙ୍କ ଭଳି ଦଳରୁ ତଡିବା ପାଇଁ ଦଳୀୟ ନେତାମାନେ ଚିନ୍ତା କଲେଣି ।

ଦଳର କିଛି ନେତା ଓ ବିଧାୟକ ଏସମ୍ପର୍କରେ ଚିନ୍ତା କରିବା ସହିତ ବିଧାୟକ ଡ଼ା ରାଉତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଫେରାଦ ହେବେ ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି । କାରଣ ଡ଼ା. ରାଉତଙ୍କ ତୁଣ୍ଡ ଦଳର ଅନେକ ନେତା, ବିଧାୟକ ଓ ମନ୍ତ୍ରୀମାନଙ୍କୁ ବ୍ୟକ୍ତିଗତ ଭାବେ ଟାର୍ଗେଟ କରିବାକୁ ପଛାଇନାହିଁ । କେବଳ ସେତିକି ନୁହେଁ ଦଳରୁ ବିଭିନ୍ନ କାରଣରୁ ବିଦା ହୋଇଥିବା ନେତାମାନଙ୍କ ସମର୍ଥନରେ ବିବୃତି ଦେଇ ଦଳକୁ ଅଡୁଆରେ ପକାଇବା ଡ଼ା. ରାଉତଙ୍କ ଅଭ୍ୟାସରେ ପରିଣତ ହୋଇଛି ।

ଗତକାଲି ଡ଼ା. ରାଉତ କୌଣସି କାରଣ ନଥାଇ ଯାଜପୁର ବିଧାୟକ ବବି ଦାସଙ୍କୁ ଅତି କଡା ଭାଷାରେ ସମାଲୋଚନା କରିଥିଲେ । ଯାହାକି ରାଜନୀତିକ ମହଲରେ ଗୁଞ୍ଜରଣ ସୃଷ୍ଟି କରିଥିଲା । ତେଣୁ ଦଳକୁ ଆଉ ବେଶୀ କ୍ଷତିର ସମ୍ମୁଖୀନ ନ ହେବା ପାଇଁ ଶେଷ ନିଷ୍ପତ୍ତି ନେବାକୁ ଦଳୀୟ ନେତା ତଥା ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଫେରାଦ ହେବେ ବୋଲି ଆଲୋଚନା ହେଉଛି ।

Share

Leave a Reply

Your email address will not be published. Required fields are marked *

nineteen − fifteen =