ଭୀଷଣ ରୂପ ନେଲା ବାତ୍ୟା; ଦୀଘା ଏବଂ ହାତିଆ ମଧ୍ୟରେ ଲ୍ୟାଣ୍ଡଫଲ

ଭୁବନେଶ୍ୱର: ପାରାଦ୍ୱୀପର ପ୍ରାୟ ୯୦୦ କିିମି ଦୂର ରହିଥିବା ବାତ୍ୟା ‘ଅମ୍ପନ’ ଅତି ଭୀଷଣ ରୂପ ନେଇଛି । ଘଣ୍ଟା ପ୍ରତି ୫ କିମି ବେଗରେ ଆଗକୁ ମାଡି ଆସୁଛି । ୧୨ ଘଣ୍ଟା ଭିତରେ ଏହା ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେବ ଏବଂ ୨୪ ଘଣ୍ଟା ଭିତରେ ଅତି ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେବ ।

ଗତ ୬ ଘଣ୍ଟା ଭିତରେ ଏହାର ଗତିପଥ ବଦଳି ଉତ୍ତର ମୁହାଁ ହୋଇଛି । ୧୨ ଘଣ୍ଟା ପରେ ଉତ୍ତର ପୂର୍ବ ଦିଗରେ ଗତି କରିବାର ସମ୍ଭାବନା ରହିଛି । ବର୍ତ୍ତମାନର ଗତିପଥ ଜାରି ରହିଲେ ଆସନ୍ତା ୨୦ ତାରିଖ ଅପରାହ୍ନରୁ ସଂଧ୍ୟା ମଧ୍ୟରେ ଏହା ପଶ୍ଚିମବଙ୍ଗର ଦୀଘା ଏବଂ ବାଲାଂଦେଶର ହାତିଆ ଦ୍ୱୀପପୁଞ୍ଜର ବିସ୍ତୃତ ଅଞ୍ଚଳ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ । ସ୍ଥଳଭାଗ ଛୁଇଁଲା(ଲ୍ୟାଣ୍ଡଫଲ୍) ବେଳକୁ ଝଡ଼ର ତୀବ୍ରତା ସାଂଘାତିକ ହେବ ।
ଆଇଏମଡ଼ିର ଏହି ତାଜା ସୂଚନା ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଗଣମାଧ୍ୟମକୁ ଜଣାଇଛନ୍ତି । ତାଙ୍କର କହିବାନୁଯାୟୀ, ୧୮ ତାରିଖ ସଂଧ୍ୟାଠାରୁ ଉପକୂଳ ଜିଲ୍ଲାରେ ୪୫ରୁ ୫୫ ବେଗରେ ବଗନ ବହିବା ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ । କିଛି ଜାଗାରେ ବର୍ଷାର ମାତ୍ରା ଅଧିକ ହେବ । ୧୯ ତାରିଖ ସକାଳୁ ଉପକୂଳ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବ । ଘଣ୍ଟା ପ୍ରତି ପବନର ବେଗ ରହିବ ୭୫ରୁ ୮୦ କିମି । ୨୦ ତାରିଖରେ ଉତ୍ତର ଓଡ଼ିଶାରେ ଅତି ପ୍ରବଳ ବର୍ଷା ହେବ । ଲ୍ୟାଣ୍ଡଫଲ୍ ବେଳକୁ ଏହି ସବୁ ଅଞ୍ଚଳରେ ୧୧୦ରୁ ୧୨୦ ବେଗରେ ପବନ ବହିବାର ସମ୍ଭାବନା ରହିଛି । ବେଳେ ବେଳେ ପବନର ବେଗ ୧୩୫ କିମି ହୋଇପାରେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିରୋ କାଜୁଆଲିଟି ନିର୍ଦ୍ଦେଶ ଅନୁଯାୟୀ ବାତ୍ୟାର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବେଶୀ ପ୍ରଭାବିତ ହେବାକୁ ଥିବା ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ୧୫ଟଇ ଓଡ୍ରାଫ୍ ଟିମ୍ ଏବଂ ୧୦ଟି ଏନଡିଆରଏଫ୍ ଟିମ୍ ମୁତୟନ ହୋଇସାରିଲେଣି । ଆବଶ୍ୟକସ୍ଥଳେ ଲୋକମାନଙ୍କୁ ସ୍ଥାନାନ୍ତର ପାଇଁ ବି ସଂପୃକ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୋଟାମୋଟି ଭାବେ ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଥିବା ସ୍ୱତନ୍ତ୍ର ରିଲିଫ୍ କମିଶନର କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

six + eighteen =