ଏମଏମଡିଆର ଆଇନ ପେଞ୍ଚରେ ଧନ୍ଦି ହେଉଛି ଓଡିଶା, ଶୁଣୁନି କେନ୍ଦ୍ର

ସମାଧନ ନହେଲେ ଓଡିଶାର ଇସ୍ପାତ ଶିଳ୍ପ ପାଇବେନି କଞ୍ଚାମାଲ

ଭୁବନେଶ୍ବର () ଖଣି ନିଲାମ ପ୍ରକ୍ରିୟାକୁ ଅଧିକ ବ୍ୟବସ୍ଥିତ କରିବାକୁ ଯାଇ କେନ୍ଦ୍ର ସରକାର ଖଣି ବିକାଶ ଓ ନିୟନ୍ତ୍ରଣ ଆଇନ (ଏମଏମଡିଆର)କୁ ଅଧିକ ଜଟିଳ କରିଦେଇଛନ୍ତି । ଏହି ଅବ୍ୟବସ୍ଥିତ ଆଇନ ପାଇଁ ଏବେ ଓଡିଶା ଭଳି ଖଣି ସମ୍ବୃଦ୍ଧ ରାଜ୍ୟମାନେ ଅଡୁଆରେ ପଡିଛନ୍ତି । ଆଇନରେ ରହିଥିବା ପେଞ୍ଚ ସମ୍ବୃଦ୍ଧ ରାଜ୍ୟମାନଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଛି ।

ଖଣି ପଟ୍ଟାଧାରୀ ଜେଏସଡବ୍ଲୁ ଷ୍ଟିଲ ଲିମିଟେଡର ଏକ ମାମଲାର ଶୁଣାଣି ବେଳେ ଦିଲ୍ଲୀ ହାଇକୋର୍ଟ ଏଭଳି କିଛି ଗଳାବାଟ ସଂପର୍କରେ ସୂଚାଇ ଓଡିଶା ଖଣି ନିଲାମ ଉପରେ ରୋକ ଲଗାଇଛନ୍ତି । ଏହା ଓଡିଶା ଭଳି ରାଜ୍ୟ ପାଇଁ ଘାତକ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଖଣି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା କେନ୍ଦ୍ର ଖଣି ସଚିବଙ୍କୁ ଗତ ଡିସେମ୍ବର 27 ତାରିଖରେ ଚିଠି ଲେଖି ସ୍ପଷ୍ଟୀକରଣ ଲୋଡିଛନ୍ତି ।

ଆଇନର ବ୍ୟବସ୍ଥା ଅନୁଯାୟୀ ଗୋଟିଏ ରାଜ୍ୟରେ ଯେଉଁ ସଂସ୍ଥା 10 ବର୍ଗ କିଲୋମିଟର ଅଂଚଳରୁ ଅଧିକ ଗୋଟିଏ କିମ୍ବା ଏକାଧିକ ଖଣି ଅଂଚଳରେ ଲିଜ ନେଇଥିବ, ସେମାନେ ଆଉ ପରବର୍ତ୍ତି ଖଣି ନିଲାମରେ ଭାଗ ନେିପାରିବେ ନାହିଁ । ଏହି କାରଣରୁ ଅଧିକ ଦରରେ ଖଣି ନିଲାମ ଧରିବାକୁ ଯୋଗ୍ୟ ହେଉଥିବା ଲିଜଧାରୀଙ୍କ ରାସ୍ତା ଓଗାଳିଛି ମୂଳ ଆଇନ । ଏନେଇ ଓଡିଶା ଆପତ୍ତି ଉଠାଇଛି । କାରଣ ମୂଳ ଆଇନରେ ଏହି ବ୍ୟବସ୍ଥା ରହିଥିବା ବେଳେ ରୁଲରେ ଏ ସଂପର୍କରେ କିଛି ଉଲ୍ଲେଖ କରାଯାଇନି ।

ମିଳିଥିବା ଚିଠି ଅନୁଯାୟୀ, ଗତବର୍ଷ ଫେବୃଆରୀ 23 ତାରିଖରେ ପରେଇବାହାଲ ଏବଂ ଚାନ୍ଦିପୋଷ ଲୁହାପଥର ଖଣି ସହିତ 3ଟି ଚୂନପଥର ବ୍ଲକ ନିଲାମ ପାଇଁ ରାଜ୍ୟ ସରକାର ଟେଣ୍ଡର ଆହ୍ବାନ କରିଥିଲେ । ଖଣି ନିଲାମ ପ୍ରକ୍ରିୟା ଚାଲୁ ରହିଥିବା ବେଳେ 2018 ମେ 4 ତାରିଖରେ ଖଣି ନିଲାମର ଇ-ଅକ୍ସନ ପ୍ରକ୍ରିୟା ବନ୍ଦ କରିବାକୁ ଦିଲ୍ଲୀ ହାଇକୋର୍ଟରେ ଜେଏସଡବ୍ଲୁ ଷ୍ଟିଲ ଲିମିଟେଡ ପକ୍ଷରୁ ମାମଲା ଦାୟର କରାଗଲା । ମାମଲାଗୁଡିକୁ ଗ୍ରହଣ କରି ଦିଲ୍ଲୀ ହାଇକୋର୍ଟ ସଂପୃକ୍ତ ଖଣିଗୁଡିକର ନିଲାମ ବନ୍ଦ କରିବାକୁ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି । ଏ ନେି କେନ୍ଦ୍ର ସରକାରଙ୍କୁ ହାଇକୋର୍ଟ ଜବାବ ତଲବ କରିଥିଲେ ହେଁ, ଖଣି ମନ୍ତ୍ରଳୟ ତାରିଖ ପରେ ତାରିଖ ଗଡେଇଚାଲିଛି । ଗତ ନଭେମ୍ବର 27 ତାରିଖ ମାମଲାର ଶୁଣାଣି ବେଳେ କେନ୍ଦ୍ର ପକ୍ରୁ କିଛି ବି ଜବାବ ରଖାଯାଇନାହିଁ । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଫେବୃଆରୀ 6 ତାରିଖକୁ ଧାର୍ଯ୍ୟ କରିଛନ୍ତି ଦିଲ୍ଲୀ ହାଇକୋର୍ଟ ।

ଖଣି ବିଭାଗର ଅତିରିକ୍ ମୁଖ୍ୟ ଶାସନ ସଚିବ ଜଣାଇଛନ୍ତି ଯେ, ସଂପୃକତ ମାମଲାରେ ଜେଏସଡବ୍ଲୁ ଷ୍ଟିଲ ଲିମିଟେଡ, ଟାଟା ଷ୍ଟିଲ ଓଡିଶାରେ 10 ବର୍ଗ କିଲୋମିଟରରୁ ଅଧିକ ଖଣି ଲିଜ ରଖିଥିବା େନେଇ ଆପତ୍ତି ଉଠାଇଛନ୍ତି । ଦର୍ଶାଇଛନ୍ତି, ଆଇନର ବ୍ୟବସ୍ଥା ଅନାଯାୟୀ ଟାଟା ଷ୍ଟିଲ ଖଣି ନିଲାମି ପ୍ରକ୍ରିୟାରେ ଆଉ ଭାଗ ନେଇପାରିବ ନାହିଁ । ଫଳରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ମଂଜୁରି ନମିଳିବା ଯାଏ 10 ବର୍ଗ କିଲୋମିଟରରୁ ଅଦିକ ଖଣି ଅଞ୍ଚଳ ରଖିଥିବା ଲିଜଧାରୀଙ୍କୁ ଆଉ ଖଣି ଲିଜ ଦେଇପାରିବେ ନାହିଁ । 2015 ସଂଶୋଧିତ ଖଣି ଆଇନର ଏପରି ତ୍ରୁଟିକୁ ସଂଶୋଧନ କରିବା ପାଇଁ ଆଗରୁ ମଧ୍ୟ ଓଡିଶା ସରକାର କେନ୍ଦ୍ରକୁ ଜଣାଇଛନ୍ତି । ହେଲେ କେନ୍ଦ୍ର ସରକାର ଏଦିଗରେ କର୍ଣ୍ଣପାତ କରୁନାହାଁନ୍ତି ।

ଏବେ ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଗୋଟିଏ ଲେଖାଏଁ ଲୁହାପଥର ଓ ମାଙ୍ଗାନିଜ ଖଣି ସମେତ 7ଟି ଲୁହାପଥର, ଦୁଇଟି ଗ୍ରାଫାଇଟ ଖଣି, ଗୋଟିଏ ମାଙ୍ଗାନିଜ, 4ଟି ଚୁନପଥର ଖଣି ଏହିପରି 16ଟି ଖଣି ନିଲାମ ପାଇଁ ଲକ୍ଷ୍ୟ ରଖିଛନ୍ତି । ହେଲେ କେନ୍ଦ୍ର ସରକାରଙ୍କ ଅବହେଳା ଏଦିଗରେ ବାଧକ ସାଜିଛି । ଆଗକୁ 2020 ସୁଦ୍ଧା 31ଟି ଚାଲୁ ରହିଥିବା ଖଣିର ଲିଜ ଅବଧି ସମାପ୍ତ ହେଉଛି । ଲିଜ ଅବଧି ସରିବା ପୂର୍ବରୁ ନିଲାମ ପ୍ରକ୍ରିୟା ସଂପୁର୍ଣ୍ଣ ହେବା କଥା । କିନ୍ତୁ କେନ୍ଦ୍ର ସରକାରଙ୍କ ସ୍ଥାଣୁତା କାରଣରୁ ଏସବୁ ମଧ୍ୟ ପ୍ରଭାବିତ ହେବାକୁ ଯାଉଛି । ଏମିତି ଜାରି ରହିଲେ 2020 ବେଳକୁ ଲୁହାପଥର ଉପରେ ନିର୍ଭର କରୁଥିବା ଇସ୍ପାତ ଶିଳ୍ପଗୁଡିକ କଞ୍ଚାମାଲ ପାଇବେ ନାହିଁ ।

Share

Leave a Reply

Your email address will not be published. Required fields are marked *

three × 1 =