ପ୍ରଥମ ପର୍ଯ୍ୟାୟରେ କେତେ ଦାଗୀ, କେତେ କୋଟିପତି ଜାଣନ୍ତୁ …

ଭୁବନେଶ୍ୱର () ନିର୍ବାଚନକୁ ଅବାଧ, ମୁକ୍ତ ଓ ସ୍ୱଚ୍ଛ କରିବା ପାଇଁ ସବୁ ରାଜନୈତିକ ଦଳ କହୁଥିବା ବେଳେ ପ୍ରାର୍ଥୀ ଚୟନରେ କିନ୍ତୁ ତାର ପ୍ରତିଫଳ ଘଟୁନି । ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନରେ ୨୧୭ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସେ ମଧ୍ୟରୁ ୧୯୧ ଜଣ ବିଧାନସଭା ପାଇଁ ଏବଂ ଲୋକସଭା ପାଇଁ ୨୬ ଜଣ ପ୍ରତିଦ୍ୱନ୍ଦିତା କରୁଛନ୍ତି । ବିଧାନସଭାର ୧୯୧ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୮୯ ଜଣ ପ୍ରାର୍ଥୀଙ୍କ ସତ୍ୟପାଠର ତର୍ଜମା କରାଯାଇଛି । ସେମଧ୍ୟରୁ କଂଗ୍ରେସ ସର୍ବଧିକ ଅପରାଧିକ ପୃଷ୍ଠଭୂମୀ ଥିବା ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇଛି ।

୧୮୯ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୫୫ ଜଣ ଅର୍ଥାତ ୨୯ ପ୍ରତିଶତ ପ୍ରାର୍ଥୀ ବିଭିନ୍ନ ଅପରାଧରେ ଜଡିତ । କଂଗ୍ରେସର ୨୭ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୬ଜଣ ଅର୍ଥାତ ୫୯ ପ୍ରତିଶତ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ଥିବା ବେଳେ ବିଜେପିର ୧୧ ଜଣ (୩୯%) ଏବଂ ବିଜେଡିର ୯ଜଣ (୩୨%) ପ୍ରାର୍ଥୀଙ୍କ ବିରୋଧରେ ରହିଛି ଅପରାଧିକ ମାମଲା । ସେ ମଧ୍ୟରୁ କଂଗ୍ରେସର ୧୦ଜଣ, ବିଜେପିର ୮ଜଣ ଓ ବିଜେଡିର ୬ଜଣ ପ୍ରାର୍ଥୀଙ୍କ ବିରୋଧରେ ହତ୍ୟା, ଧର୍ଷଣ, ହତ୍ୟା ଉଦ୍ୟମ ଭଳି ଗୁରୁତ୍ତର ଅପରାଧିକ ମାମଲା ରହିଛି । ସେହିଭଳି ଲୋକସଭାରୁ ପ୍ରାର୍ଥୀ ହୋଇଥିବା ୨୬ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୬ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି । କଂଗ୍ରେସ ଓ ବିଜେପିର ଦୁଇ ଜଣ ଲେଖାଏଁ ପ୍ରାର୍ଥୀଙ୍କ ବିରୋଧରେ ଗୁରୁତ୍ତର ଅପରାଧୀକ ମାମଲା ରହିଛି ।

ବିଜେପିର ଧର୍ମଗଡ ବିଧାନସଭା ପ୍ରାର୍ଥୀ ଅନନ୍ତ ପ୍ରତାପ ଦେଓ ସବୁଠାରୁ ଧନୀ ପ୍ରାର୍ଥୀ । ତାଙ୍କର ମୋଟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨୭ କୋଟିରୁ ଅଧିକ । ତାଙ୍କ ତଳକୁ ରହିଛନ୍ତି ବ୍ରହ୍ମପୁର ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ଲିଙ୍ଗରାଜ ଚୌଧୁରୀ ଓ ଦିଗପହଣ୍ଡିର ବିଜେଡି ପ୍ରାର୍ଥୀ ସୂର୍ଯ୍ୟନାରାୟଣ ପାତ୍ର । ଲିଙ୍ଗରାଜଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୭ କୋଟିରୁ ଅଧିକ ହୋଇଥିବା ବେଳେ ସୂର୍ଯ୍ୟନାରାୟଣଙ୍କ ମୋଟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧୬ କୋଟିରୁ ଅଧିକ । ୧୮୯ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୯୪ଜଣ ପ୍ରାର୍ଥୀ ଆୟକର ପ୍ରଦାନର ବିସ୍ତ୍ରୁତ ତଥ୍ୟ ପ୍ରଦାନ କରିନାହାଁନ୍ତି । ୨୭ ଜଣ ପ୍ରାର୍ଥୀ ସେମାନଙ୍କ ପାନ ନମ୍ବର ଦେଇନାହାଁନ୍ତି । ସେହିପରି ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରୁ ବ୍ରହ୍ମପୁର ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଭି.ଚନ୍ଦ୍ରଶେଖର ନାଇଡୁ ସବୁଠାରୁ ଧନୀ । ତାଙ୍କର ମୋଟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୩୬ କୋଟିରୁ ଅଧିକ । ତାଙ୍କ ପରକୁ ରହିଛନ୍ତି ବିଜେପିର ନବରଙ୍ଗପୁର ଲୋକସଭା ପ୍ରାର୍ଥୀ ବଳଭଦ୍ର ମାଝୀ ଓ କୋରାପୁଟ ଲୋକସଭା ପ୍ରାର୍ଥୀ ଜୟରାମ ପାଙ୍ଗୀ । ବଳଭଦ୍ର ୮ କୋଟିରୁ ଉଦ୍ଧ୍ୱର୍ ସମ୍ପତ୍ତିର ମାଲିକ ହୋଇଥିବା ପାଙ୍ଗି ୪ କୋଟିରୁ ଅଧିକ ସମ୍ପତ୍ତିର ମାଲିକ ।

ଶିକ୍ଷାଗତ ଯୋଗ୍ୟତାକୁ ଦେଖିଲେ, ୧୮୯ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୦୧ ଜଣ ଅର୍ଥାତ ୫୩ ପ୍ରତିଶତ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ପଂଚମରୁ ଦ୍ୱାଦଶ । ୮୨ ଜଣ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଓ ତଦୁର୍ଦ୍ଧ । ଜଣେ ପ୍ରାର୍ଥୀ ନିଜକୁ ସ୍ୱାକ୍ଷର ଅର୍ଥାତ ଦସ୍ତଖତ କରିଯାଣିଛନ୍ତି ବୋଲି ଦାବି କରିଛନ୍ତି । ୧୧ ଜଣ ପ୍ରାର୍ଥୀ ପଞ୍ଚମ, ୨୮ ଜଣ ପ୍ରାର୍ଥୀ ଅଷ୍ଟମ, ୨୮ଜଣ ଦଶମ, ୩୪ ଜଣ ଦ୍ୱାଦଶ, ୩୩ ଜଣ ସ୍ନାତକ, ୧୬ଜଣ ବୃତ୍ତିଗତ ସ୍ନାତକ, ୩୨ ଜଣ ସ୍ନାତକୋତ୍ତର, ଜଣେ ଡକ୍ଟରେଟ ପାଶ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

three × five =