ସଂକ୍ରମଣ ନେଇ ଆଗକୁ ଚେକିଂ ଏବଂ ଚଢ଼ାଉ ଜୋରଦାର

ରାଜ୍ୟରେ କରୋନା ସଂକ୍ରମଣ କ୍ରମଶଃ କାୟା ମେଲାଉଛି । ଅନ୍ୟପକ୍ଷରେ ଦେଶର ମହାରାଷ୍ଟ୍ର ଭଳି କିଛି ରାଜ୍ୟରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ମଧ୍ୟ ଆରମ୍ଭ ହେଲାଣି । ତେଣୁ ସଂକ୍ରମଣ ରୋକିବାକୁ ଆଗକୁ ଚେକିଂ ଏବଂ ଚଢ଼ାଉ ଜୋରଦାର ହେବ ବୋଲି କହିଛନ୍ତି ଏସଆରସି ପ୍ରଦୀପ୍ତ ଜେନା । ରାଜ୍ୟରେ ଏବେ ହୋଲି ଓ ଦୋଳ ପାଇଁ କଟକଣା ଜାରି ହୋଇଛି । ଏହାସହ ଚେକିଂ ଜୋରଦାର କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କରୋନା ପୁଣି ଆସିଲାଣି, ତେଣୁ ସମ୍ବେଦନଶୀଳ ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଇଛି । ବିମାନ ବନ୍ଦରରେ ମଧ୍ୟ ସମସ୍ତ ଯାତ୍ରୀଙ୍କ ସ୍କ୍ରିନିଂ କରାଯାଉଛି । ଏହାସହ ସରପଞ୍ଚଙ୍କୁ କୁହାଯାଇଛି ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖି ତଥ୍ୟ ଦେବା ପାଇଁ । ଓଡ଼ିଶାରେ ନାଇଟ କର୍ଫ୍ୟୁ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଏସଆରସି ପ୍ରଦୀପ୍ତ ଜେନା ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୧୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୧ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪୯ ଜଣ ସ୍ଥାନୀୟ ସଂକ୍ରମିତ। ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୭୧୯ରେ ପହଞ୍ଚିଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୩୫ ହଜାର ୯୯୪ ସଂକ୍ରମିତ ଓ ଏବେ ବି ସକ୍ରିୟ ଅଛନ୍ତି ୭୫୪ ଜଣ ଆକ୍ରାନ୍ତ। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୪ ଜଣ, ବରଗଡ଼ରୁ ଜଣେ, ଭଦ୍ରକରୁ ୩ ଜଣ, ବଲାଙ୍ଗୀରରୁ ୨ ଜଣ, କଟକରୁ ୨୬ ଜଣ, ଢେଙ୍କାନାଳରୁ ଜଣେ, ଗଞ୍ଜାମରୁ ୪ ଜଣ, ଜଗତ୍‌ସିଂହପୁରରୁ ଜଣେ, ଯାଜପୁରରୁ ୪ ଜଣ, ଝାରସୁଗୁଡ଼ାରୁ ୩ ଜଣ, କଳାହାଣ୍ଡିରୁ ଜଣେ, କେନ୍ଦ୍ରାପଡ଼ାରୁ ୨ ଜଣ, କେନ୍ଦୁଝରରୁ ଜଣେ, ‌ଖୋର୍ଦ୍ଧାରୁ ୧୪ ଜଣେ, ମୟୂରଭଞ୍ଜରୁ ୧୫ ଜଣ, ନବରଙ୍ଗପୁରରୁ ଜଣେ, ନୂଆପଡ଼ାରୁ ଜଣେ, ପୁରୀରୁ ୩ ଜଣ, ରାୟଗଡ଼ାରୁ ୩ ଜଣ, ସମ୍ବଲପୁରରୁ ୧୦ ଜଣ, ସୁନ୍ଦରଗଡ଼ରୁ ୧୬ ଜଣ ଓ ଷ୍ଟେଟ୍‌ପୁଲ୍‌ରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Share

Leave a Reply

Your email address will not be published. Required fields are marked *

three × three =