ଦୃଷ୍ଟିହୀନ ଦମ୍ପତିଙ୍କ ରୋଗଗ୍ରସ୍ତ ଶିଶୁକନ୍ୟାକୁ ସାହାଯ୍ୟର ହାତ ବଢ଼ାଇଲା କମିଶନରେଟ ପୋଲିସ୍‌

ଭୁବନେଶ୍ୱର: ଭାଗ୍ୟର ବିଡ଼ାମ୍ବନା କୁହାଯାଇପାରେ କିମ୍ବା ନିୟତିର ନିର୍ଦ୍ଦେଶ । ଦୃଷ୍ଟିହୀନ ଦମ୍ପତିଙ୍କ ଠାରୁ ଜନ୍ମ ଗ୍ରହଣ କରିଥିବା ଶିଶୁ ବି ଦୃଷ୍ଟିହୀନ ହେବା ସହ ବର୍ତମାନ ଚକ୍ଷୁ କର୍କଟ ରୋଗରେ ପୀଡ଼ିତ । ଏ ହେଉଛି ଭୁବନେଶ୍ୱରରେ ରହୁଥିବା ଦୃଷ୍ଟିହୀନ ଦମ୍ପତି ଅଶୋକ ନାୟକ ଓ ସୁମିତ୍ରା ନାୟକଙ୍କ ଶିଶୁ କନ୍ୟାର କଥା । ଦୁଇ ବର୍ଷର ଶିଶୁ ପୂଜାର୍ଚ୍ଚନାକୁ ଧରି ତା’ର ଚିକିତ୍ସା ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି ଏହି ଦମ୍ପତି ।

ଏହି ଶିଶୁ କନ୍ୟାର ଚିକିତ୍ସା ଭୁବନେଶ୍ୱରର ଏକ ଚିକିତ୍ସାଳୟରେ ଚାଲିଥିଲେ ମଧ୍ୟ ତାକୁ ଉନ୍ନତ ମାନର ଚିକିତ୍ସା ଆବଶ୍ୟକ ପଡୁଛି । ଉନ୍ନତ ମାନର ଚିକିତ୍ସା ପାଇଁ ରାଜ୍ୟ ବାହାରର ହସ୍ପିଟାଲ୍‌କୁ ନେବା ଦରକାର ପଡ଼ୁଛି, କିନ୍ତୁ ଏଥିପାଇଁ ବାଧକ ସାଜିଛି ଅର୍ଥ । ବାପା ମା ଉଭୟ ଦୃଷ୍ଟିହୀନ ହୋଇଥିବାରୁ ଆବଶ୍ୟକ ଅର୍ଥ ଯୋଗାଡ କରିପାରୁ ନାହିଁ । ଦୃଷ୍ଟିହୀନ ପରିବାରର ଏଭଳି ଦୁଃଖଦ ସମୟରେ ତାଙ୍କ ସହ ଠିଆ ହୋଇଛନ୍ତି କମିଶନରେଟ୍ ପୋଲିସ୍ । ଏହି ଶିଶୁ କନ୍ୟା ପୂଜାର ଅଧିକ ଚିକିତ୍ସା ଲାଗି ହାତ ବଢ଼ାଇଛନ୍ତି କମିଶନରେଟ୍ ପୋଲିସ୍ ।

ପୋଲିସ୍ କମିଶନରେଟ୍ ଓ ଡେପୁଟି କମିଶନର ଭୁବନେଶ୍ୱରଙ୍କ ମାନବୀୟ ଓ ଆଦର୍ଶ ପୋଲିସିଂର ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ଇନ୍‌ଫୋସିଟି ଥାନାର ଅଧିକାରିଣୀ ସମିତା ମିଶ୍ର ନିଜ ଥାନାର ସମସ୍ତ କର୍ମଚାରୀଙ୍କ ବ୍ୟକ୍ତିଗତ ସହଯୋଗରେ ପୂଜାଙ୍କ ଚିକିତ୍ସା ନିମନ୍ତେ ୧୦ ହଜାର ଅର୍ଥରାଶି ପ୍ରଦାନ କରିଛନ୍ତି । ପୋଲିସ୍‌ର ଏପରି କାର୍ଯ୍ୟରେ ପୂଜାର ବାପା ଅଶୋକ ନାୟକଙ୍କ ପରିବାର ସନ୍ତୋଷ ପ୍ରକାଶ କରିବା ସହ ସ୍ଥାନୀୟ ଜନସାଧାରଣ ପୋଲିସ୍‌ର ଏପରି ମାନବୀୟତାକୁ ପ୍ରଶଂସା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

eight − 8 =