ଉପକୂଳ ରାଜପଥ ପ୍ରକଳ୍ପ : ଓଡିଶାବାସୀଙ୍କ ପ୍ରତି ଧୋକ୍କାବାଜୀ

ଭୁବନେଶ୍ବର () ଗଂଜାମ ଠାରୁ ଦୀଘା ପର୍ଯ୍ୟନ୍ତ ପ୍ରସ୍ତାବିତ ଉପକୂଳ ରାଜପଥର ମୂଳ ପ୍ରସ୍ତାବକୁ ପରିବର୍ତ୍ତନ କରି କେନ୍ଦ୍ର ସରକାର ରାଜ୍ୟ ସହ ବଡ ଧୋକ୍କାବାଜି କରିଛନ୍ତି । ରାସ୍ତାକୁ ବନ୍ଦର ସହ ଯୋଡିବା, ବାତ୍ୟା ପ୍ରବଣ ଅଂଚଳକୁ ସୁରକ୍ଷିତ ରଖିବା ଏବଂ ପର୍ଯ୍ୟଟନର ବିକାଶ ପାଇଁ ପ୍ରସ୍ତାବିତ ଉପକୂଳ ରାଜପଥର ମୂଳ ଉଦ୍ଦେଶ୍ୟ । ଏଥିପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ସାତପଡା ଠାରୁ ପୁରୀ, କୋଣାର୍କରୁ ଅସ୍ତରଙ୍ଗ, ଧାମରାରୁ ତାଳସରୀ ଏବଂ ଚମ୍ପୁାପୁର ପର୍ଯ୍ୟନ୍ତ ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବ ଓଡିଶାର ପର୍ଯ୍ୟଟନ ବିକାଶ ପାଇଁ ଉଦ୍ଦିଷ୍ଟ ଥିଲା । କିନ୍ତୁ ପରବର୍ତ୍ତି ସମୟରେ ଆଲାଇନମେଣ୍ଟ ପ୍ଲାନକୁ ବଦଳାଇ ପୁରୀ-ସାତପଡା, କୋଣାର୍କ-ଅସ୍ତରଙ୍ଗ, ଧାମରା-ତାଳସରୀ ରାସ୍ତା ଚମ୍ପାପୁର ପର୍ଯ୍ୟନ୍ତ ପୁରୁଣା ରାସ୍ତାକୁ ପ୍ରଶସ୍ଥ କରି କେବଳ ଉପକୂଳ ରାଜପଥର ନାମ ଦେବାକୁ ଯୋଜନା ହୋଇଛି । ଏହା ରାଜ୍ୟ ସହ ବଡ ଧୋକ୍କାବାଜୀ ବୋଲି ବିଜେଡି ଅଭିଯୋଗ କରିଛି ।

ରାଜ୍ୟ ସରକାର ସମୁଦ୍ର ତଟରୁ 500 ମିଟର ସିଆରଜେଡ ଲାଇନକୁ ବାଦ ଦେଇ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ପ୍ରସ୍ତାବିତ ଉପକୂଳ ରାଜପଥ ନିର୍ମାଣ କରିବା ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଦ୍ବାରା ନିଯୁକ୍ତ ଚୈତନ୍ୟ ପ୍ରୋଜେକ୍ଟ କନସଲଟାନସି ପ୍ରାଇଭେଟ ଲିମିଟେଡ ଏକ ଆଲାଇନମେଣ୍ଟ ପ୍ଲାନ ପ୍ରସ୍ତୁତ କରିଥିଲା । ପରବର୍ତ୍ତି ସମୟରେ ଆଇନମେଣ୍ଟ ପ୍ଲାନକୁ ବଦଳାଇ ପୁରୁଣା ରାସ୍ତାକୁ କେବଳ ପ୍ରଶସ୍ତ କରି ଉପକୂଳ ରାଜପଥର ନାମ ଦେବାକୁ ଯୋଜନା ହୋଇଛି ବୋଲି ବିଜେଡି ସାଧାରଣ ସଂପାଦକ ସଂଜୟ ଦାସବର୍ମା ଅଭିଯୋଗ କରିଛନ୍ତି ।

ସେ କହିଛନ୍ତି ଯେ, ଉପକୂଳ ରାଜପଥ ପାଇଁ ରାଜ୍ୟ ସରକାର ବାରମ୍ବାର ଦାବି କରିବା ପରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପ୍ରକଳ୍ପ ନିର୍ଦ୍ଦେଶକ ଓଡିଶା କୋଷ୍ଟାଲ ଜୋନ ମ୍ୟାନେଜମେଣ୍ଟ ଅଥୋରିଟିର ସଦସ୍ୟ ସଚିବଙ୍କୁ ଗତ 2018 ନଭେମ୍ବର 8 ତାରିଖରେ ସିଆରଜେଡ ଅନୁମୋଦନ ପାଇଁ ଚିଠି ଲେଖିଥିଲେ । ଏହି ଚିଠି ଲେଖିବାର 2 ଦିନ ପରେ ଅର୍ଥାତ ନଭେମ୍ବର 10 ତାରିଖରେ ବିଜେପି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାର ଉପକୂଳ ରାଜପଥ ପାଇଁ ଜମି ଯୋଗାଇ ଦେଉନାହାଁନ୍ତି ବୋଲି ଅଭିଯୋଗ କରିଥିଲେ ।

ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଏହି ଉପକୂଳ ରାଜପଥ ପାଇଁ ମେସର୍ସ ଚୈତନ୍ୟ ପ୍ରୋଜେକ୍ଟ କନସଲଟାନସି ପ୍ରାଇଭେଟ ଲିମିଟେଡକୁ ଡିପିଆର ପ୍ରସ୍ତୁତ କରିବାକୁ ଦାୟିତ୍ବ ଦିଆଯାଇଛି । ଜାତୀୟ ରାଜପଥର ଭୁବନେଶ୍ବର ସ୍ଥିତ ଆଂଚଳିକ କାର୍ଯ୍ୟାଳୟକୁ ଯୋଗଯୋଗା ପରେ ଜଣାପଡିଛି ଯେ, ଏହି ପ୍ରକଳ୍ପ ପାଇଁ ଆଲାଇନମେଣ୍ଟ ଚୁଡାନ୍ତ ହୋଇନାହିଁ । ଏପରିକି ଆବଶ୍ୟକୀୟ କେଉଁ ଜମି ଅଧିଗ୍ରହଣ କରାଯିବ ସେ ସଂପର୍କରେ ନିଷ୍ପତ୍ତି ହୋଇନି ଏବଂ ଉପକୂଳ ରାଜପଥ ଅତିକ୍ରମ କରୁଥିବା ଗଂଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର ଜିଲ୍ଲାର କେଉଁ ଜମି ଅଧିଗ୍ରହଣ କରାଯିବ ସେ ସଂପର୍କରେ ରାଜ୍ୟ ସରକାରଙ୍କୁ ଜଣାଇନାହାଁନ୍ତି । ସେପଟେ କିନ୍ତୁ ରାଜ୍ୟ ବିଜେପି ନେତା ଓ କେନ୍ଦ୍ରମନ୍ତ୍ରୀମାନେ ରାଜ୍ୟବାସୀଙ୍କୁ ବାରମ୍ବାର ଭୁଲ ତଥ୍ୟ ଦେଇ ବିଭ୍ରାନ୍ତ କରିବା ସହ ମିଛ ପ୍ରତିଶୃତି ଦେଉଛନ୍ତି ।

Share

Leave a Reply

Your email address will not be published. Required fields are marked *

eight + 5 =