ମୁଖ୍ୟମନ୍ତ୍ରୀ ନିଜେ ହସ୍ତକ୍ଷେପ କରନ୍ତୁ

ଭୁବନେଶ୍ବର (): ଲଗାଣ ବର୍ଷା ଯୋଗୁଁ କଟକ, ଭୁବନେଶ୍ବର ଓ ବ୍ରହ୍ମପୁର ମହାନଗର ବାସିନ୍ଦାମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି  । ରାସ୍ତା ଉପରେ ପାଞ୍ଚଫୁଟ ଓ ଛଅଫୁଟର ପାଣି ଅଧିକାଂଶ ଅଞ୍ଚଳରେ ଘର ଭିତରେ ପାଣି ପଶିଯାଇଛି  । ଖୋଦ କଟକ ଜିଲ୍ଲାପାଳଙ୍କ ବାସଭବନ ଭିତରେ ୪ ଫୁଟର ପାଣି, ମହାନଗର ନିଗମମାନଙ୍କର ଓ ନଗର ଉନ୍ନୟନ ବିଭାଗ, ବିଡିଏ, ସିଡ଼ିଏ, ବିଏମସି, ସିଏମସି ଓ ବ୍ରହ୍ମପୁର ମ୍ୟୁନିସିପାଲ୍ କର୍ପୋରେସନର କାର୍ଯ୍ୟଦକ୍ଷତାକୁ ପଦାରେ ପକାଇଦେଇଛି ବୋଲି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା କହିଛନ୍ତି ।

ଗୋଟାଏ ଦିଗରେ ପ୍ରାକୃତିକ ନାଳ ନର୍ଦ୍ଦମା ଜବରଦଖଲ, ବେଆଇନ୍ କୋଠା ନିର୍ମାଣ, ଡ୍ରେନ୍ ସଫେଇରେ ଚରମ ଦୁର୍ନୀତି ଯୋଗୁଁ ଏହି ମହାନଗର ବାସିନ୍ଦାମାନେ ଲଗାଣ ବର୍ଷା ପାଣିରେ ନାହିଁ ନଥିବା ଦୁର୍ଦ୍ଦଶା ଭିତରକୁ ଠେଲି ହୋଇଯାଇଛନ୍ତି  । ରାଜ୍ୟସରକାର ଓ ଉନ୍ନୟନ କର୍ତ୍ତୃପକ୍ଷମାନେ ଆଜିର ଏହି ବିତ୍ପାତରୁ ଶିକ୍ଷାଲାଭ ନକରନ୍ତି ତାହେଲେ ଆଗାମୀ ଦିନରେ ଏହିସବୁ ନଗରର ଅଧିବାସୀମାନଙ୍କର ଦୁର୍ଦ୍ଦଶା ଆହୁରି ବଢ଼ିଯିବ  । ଗୋଟିଏ ଦିଗରେ ଗ୍ରୀଷ୍ମ ଋତୁରେ ପିଇବା ପାଣି ସମସ୍ୟା ଓ ଦୂଷିତ ଜଳ ପିଇ ଜଣ୍ଡିସ୍ ବ୍ୟାପିବା ଅନ୍ୟ ଦିଗରେ ବର୍ଷା ଋତୁରେ ଘର ଭିତରେ ପାଣି ପଶିଯିବା ଏହି ବାସିନ୍ଦାମାନଙ୍କର ଦେହସୁଆ ହୋଇଯାଇଛି  । ମହାନଗର ନିଗମମାନଙ୍କର ଅଧିକାରୀମାନେ ସତେ ଯେମିତି ନିଘୋଡ ନିଦରେ ଶୋଇଛନ୍ତି ଏବଂ ତାଙ୍କ ସହିତ ହାତ ମିଳେଇ ନଗର ଉନ୍ନୟନ ବିଭାଗ ମଧ୍ୟ ନିଦାଃବିଷ୍ଣୁ ସାଜିଛି ବୋଲି ସେ ଅଭିଯୋଗ କରିଛନ୍ତି  ।

ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଯଦି ପଦକ୍ଷେପ ନ ନିଅନ୍ତି ତାହେଲେ ଜନ ଅସନ୍ତୋଷ ଏକ ବିସ୍ଫୋରକ ପରିସ୍ଥିତରେ ପହଞ୍ଚିବ । ବେଳ ଥାଉଥାଉ ସରକାର ଏଥିରେ ହସ୍ତକ୍ଷେପ କରି ନାଳ ନର୍ଦ୍ଦମା ସଫେଇ କରିବା, କୋଠାବାଡ଼ି ନିର୍ମାଣକୁ ଯୋଜନାବଦ୍ଧ ଭାବରେ କରିବାକୁ ନିର୍ଦ୍ଦେଶଦେବା ଏବଂ ଏହିସବୁ ମହାନଗର ନିଗମମାନଙ୍କରେ ବର୍ଷବର୍ଷ ଧରି ଗାଦି ମାଡ଼ି ରହିଥିବା ଦୁର୍ନୀତିଖୋର ଅଧିକାରୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଲୋକମାନଙ୍କର ଦୁର୍ଦ୍ଦଶା ସରିବ ନାହିଁ ବୋଲି ସମାଜବାଦୀ ପାର୍ଟି ଆଶଙ୍କା ପ୍ରକାଶ କରିଛି  । ବିଗତ ଦିନମାନଙ୍କରେ ଡ୍ରେନେଜ୍ ସଫେଇ, ପ୍ଲାନ୍ ଆପ୍ରୋଭାଲ୍ ଓ ଅଳିଆ ଆବର୍ଜନା ଉଠାଣକୁ ନେଇ ଶହଶହ କୋଟି ଟଙ୍କାର ଦୁର୍ନୀତିରେ ଅଧିକାରୀମାନେ ହାତ ଚିକ୍କଣ କରିଥିବା ଯୋଗୁଁ ସହର ବାସିନ୍ଦାମାନେ ମୌଳିକ ସେବାରୁ ବଞ୍ଚିତ ହେବାରେ ଲାଗିଛନ୍ତି  । ଗୋଟିଏ କଡେ ଅଫିସର-ଇଂଜିନିୟର-କର୍ପୋରେଟର ମଧୁଚନ୍ଦ୍ରିକା ଜନସାଧାରଣଙ୍କୁ ଏହି ମଣିଷକୃତ ଦୁର୍ଦ୍ଦଶା ଭିତରକୁ ଠେଲିଦେଇଛି  । ମାନ୍ୟବର ମୁଖ୍ୟମନ୍ତ୍ରୀ ଏ ଦିଗରେ ବ୍ୟକ୍ତିଗତ ଭାବରେ ହସ୍ତକ୍ଷେପ କରିବାକୁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଦାବି କରିଛନ୍ତି  ।

Share

Leave a Reply

Your email address will not be published. Required fields are marked *

15 + 19 =