ବଡମ୍ବାରେ କୃଷି ଓ ପାନୀୟ ଜଳକୁ ଗୁରୁତ୍ବ

କଟକ () କଟକ ଜିଲ୍ଲା ବଡମ୍ବା ନିର୍ବାଚନମଣ୍ଡଳୀରେ କୃଷିର ବିକାଶ ପାଇଁ ନରସିଂହପୁର ନିର୍ବାଚନମଣ୍ଡଳୀରେ 5ଟି ନୂଆ ବୃହତ ଉଠା ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 225 କୋଟି ଟଙ୍କା ବ୍ୟୟ ବରାଦରେ ଏହିସବୁ ପ୍ରକଳ୍ପ ନିର୍ମାଣ ହୋଇଛି । ବଡମ୍ବା ଓ ନରସିଂହପୁର ବ୍ଲକର 9950 ହେକ୍ଟର ଚାଷ ଜମୀକୁ ଏହିସବୁ ପ୍ରକଳ୍ପ ଦ୍ବାରା ଜଳସେଚନ ସୁବିଧା ମିଳିପାରିବ । ଏଥିସହିତ 162ଟି ଗାଁ ଏହାଦ୍ବାରା ଉପକୃତ ହେବେ ।

ବଡମ୍ବାକୁ ଦିନିକିଆ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ 931 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । 273 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ମହାନଦୀ ବୃହତ ପାନୀୟ ଜଳ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ବଡମ୍ବା ଓ ନରସିଂହପୁରର 73ଟି ପଂଚାୟତର ଲୋକ ଉପକୃତ ହେବେ ।

ସେହିପରି ବଡମ୍ବାର ୫୪ଟି ଗାଁର ଚାଷୀ ଓ ସ୍ଥାନୀୟ ଲୋକଙ୍କ ପାଇଁ ୧୮୫ କୋଟି ଟଙ୍କା ବ୍ୟୟ ଅଟକଳରେ ରେଙ୍ଗାଳି ଦକ୍ଷିଣ କେନାଲର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ସାଧାରଣ ସଭାରେ ଉଦବୋଧନ ସହ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରିଛନ୍ତି । କାର୍ୟ୍ୟକ୍ରମରେ ସାଂସଦ ଭର୍ତ୍ତୃହରି ମହତାବ ଓ ବିଧାୟକ ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ନରସିଂହପୁର ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ଜଟଣୀ ହରିଡାମଡାରେ ଏସିଆନ୍ ଇନଷ୍ଟିଚ୍ୟୁଟ ଅଫ୍ ପବ୍ଲିକ ହେଲଥ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

3 × five =