ମୋଦିଙ୍କୁ ଅକ୍ସିଜେନ ପାଇଁ ନବୀନଙ୍କ ପ୍ରତିଶୃତି

ଭୁବନେଶ୍ୱର: ଦେଶରେ କୋଭିଡ ସଂକ୍ରମଣ ବୃଦ୍ଧି ହେଉଥିବା ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶରେ କରୋନା ସ୍ଥିତି ନେଇ ଫୋନ୍ ଯୋଗେ କଲେ ଆଲୋଚନା ହୋଇଛି । ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଏବେ ଯୁଦ୍ଧଭଳି ପରିସ୍ଥିତି ସୃଷ୍ଟି କରିଛି କୋଭିଡ । କରୋନା ମୁକାବିଲାରେ ଓଡିଶା ସବୁ ପ୍ରକାର ସହଯୋଗ କରିବ । ଦେଶରେ ଅକ୍ସିଜେନ୍ ଆବଶ୍ୟକତାକୁ ପୂରଣ ପାଇଁ ସହଯୋଗ କରିବ ଓଡିଶା ।

ବର୍ତ୍ତମାନ ଦେଶର ଅନେକ ରାଜ୍ୟରେ କରୋନା ସଂକ୍ରମିତଙ୍କ ପାଇଁ ମେଡିକାଲରେ ଅକ୍ସିଜେନ୍‌ର ଅଭାବ ଦେଖାଦେଇଛି । ଗତ ଏକ ସପ୍ତାହ ମଧ୍ୟରେ ହସ୍ପିଟାଲରେ ଅକ୍ସିଜେନ୍ ସିଲିଣ୍ଡରର ଅଭାବ ଦେଖାଦେଇଛି । ଦୈନିକ ଅକ୍ସିଜେନ୍ ଅଭାବରୁ କରୋନା ସଂକ୍ରମିତଙ୍କ ମୃତ୍ୟୁ ନେଇ ଖବର ଆସିବାରେ ଲାଗିଛି । ଏଭଳି ସ୍ଥିତିରେ ରାଜ୍ୟ ସରକାର ଦେଶକୁ ସହଯୋଗ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହାସହ ଅକ୍ସିଜେନ ଉତ୍ପାଦନ ଓ ଜରୁରୀକାଳୀନ ସ୍ଥିତିରେ ଅନ୍ୟ ରାଜ୍ୟକୁ ସହଯୋଗର ହାତ ବଢାଇବ ବୋଲି ସ୍ପଷ୍ଟ କରିଛନ୍ତି ନବୀନ । ଦେଶରେ ଏଭଳି ଅକ୍ସିଜେନ ସଙ୍କଟ ବେଳେ ଦିଲ୍ଲୀରେ ଯେଉଁ ଅକ୍ସିଜେନ୍ ଅଭାବ ଦେଖାଦେଇଛି ତାର କିଛି ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାରୁ ଅକ୍ସିଜେନ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ଓଡିଶା ଦିଲ୍ଲୀକୁ ଅକ୍ସିଜେନ ଯୋଗାଇ ଦେବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ସ୍ପଷ୍ଟ କରିଥିଲେ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେଜ୍ରିୱାଲ ଧନ୍ୟବାଦ ମଧ୍ୟ ଜଣାଇଥିଲେ ।

Share

Leave a Reply

Your email address will not be published. Required fields are marked *

1 × 4 =