ଯୁବବର୍ଗଙ୍କୁ ନବୀନଙ୍କ ମାଗଣା ଟିକା

ଭୁବନେଶ୍ୱର : ବିଭିନ୍ନ ରାଜ୍ୟ ସରକାର ୧୮ ବର୍ଷରୁ ଅଧିକଙ୍କୁ ମାଗଣାରେ ଟିକା ଘୋଷଣାକରିବା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ ଘୋଷଣା କରିଛନ୍ତି ।  ରାଜ୍ୟବାସୀଙ୍କୁ ମିଳିବ ମାଗଣା ଟିକା । ଏଥିନେଇ ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଆଜି ରାଜ୍ୟବାସୀଙ୍କ ଉଦେ୍ଦଶ୍ୟରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଥିଲେ ଯେ, ସାରା ଦୁନିଆରେ ଏବେ କରୋନାର ପ୍ରଭାବ ରହିଛି ।  ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ସଂକ୍ରମଣ ହେଉଛନ୍ତି । ଆମ ଦେଶରେ ମଧ୍ୟରେ ପରିସ୍ଥିତି ଭୟଙ୍କର ରହିଛି । ଦେଶର ମହାରାଷ୍ଟ୍ର, ଛତିଶଗଡ଼, ଆନ୍ଧ୍ର ପ୍ରଦେଶ, ଦିଲ୍ଲୀ, ଗୁଜରାଟ, ଉତ୍ତରପ୍ରଦେଶ ଭଳି କିଛି ରାଜ୍ୟରେ ସ୍ଥିତି ସଂଗୀନ ରହିଛି । ଏହି ରାଜ୍ୟଗୁଡିକରେ ଅକ୍ସିଜେନ୍ର ଘୋର ଅଭାବ ରହିଛି । ଉକ୍ତ ରାଜ୍ୟଗୁଡିକରେ ସଂକ୍ରମଣ ବହୁ ମାତ୍ରାରେ ରହିଛି ।ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟୁଥିବାରୁ ଶ୍ମଶାନ ଘାଟରେ ଶବ ଦାହ ପାଇଁ ଜାଗା ମିଳୁନି । ଭାରତ ଇତିହାସରେ କେବେ ବି ଏଭଳି ସ୍ଥିତି ଆସିନଥିଲା । କିଛି ଦିନ ତଳେ ମୁଁ ପ୍ରଧାନମନ୍ତ୍ରୀ ଓ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲି । ଦେଶକୁ ସମସ୍ତ ପ୍ରକାର ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଥିଲି । ଆଜି ୬ଟି ରାଜ୍ୟକୁ ଆମେ ଅକ୍ସିଜେନ ଯୋଗାଇଛୁ ।  ସୀମାନ୍ତ ଜିଲ୍ଲାଗୁଡିକରେ ସଂକ୍ରମଣ ବୃଦ୍ଧିର ଅନ୍ୟତମ କାରଣ ହେଉଛି ପଡୋଶୀ ରାଜ୍ୟ । ତେଣୁ ଆମେ ସୀମାନ୍ତ ଜିଲ୍ଲାଗୁଡିକରେ କଠୋର ପଦକ୍ଷେପ ନେଉଛୁ ।

ଗତବର୍ଷ ଅପେକ୍ଷା ଏବର୍ଷ ପରିସ୍ଥିତି ଅତ୍ୟନ୍ତ ଭୟଙ୍କର । ଅକ୍ସିଜେନ, ବେଡ୍ ସଂଖ୍ୟା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଆମେମାନେ ନିଜର ସୁରକ୍ଷା ନିଜେ କରିପାରିବା । ସରକାର  କେବେ ବି ଏକାକୀ ଲଢ଼େଇ କରିପାରିବେ ନାହିଁ । ତେଣୁ ମୁଁ  ବିନମ୍ର ଅନୁରୋଧ କରୁଛି ଯେ, ସମସ୍ତେ ପରିସ୍ଥିତିର ଭୟାବହତାକୁ ବୁଝି କୋଭିଡ୍ ନିୟମକୁ ମାନନ୍ତୁ । ରାଜ୍ୟବାସୀଙ୍କୁ ମୁଁ ହାତଯୋଡ଼ି ଅନୁରୋଧ କରୁଛି ଯେ, ଆପଣମାନେ କୋଭିଡ୍ ନିୟମକୁ ଠିକ ଭାବେ ପାଳନ କରନ୍ତୁ । ଅତି ଗୁରୁତ୍ୱପୂର୍ଣ୍ଣ କାମ ନ ଥିଲେ ଗହଳିସ୍ଥାନକୁ ଯାଆନ୍ତୁନି । କେଜାଣି ସେଠାରୁ ଭୂତାଣୁ ସାଙ୍ଗରେ ଘରକୁ ଆସିପାରେ ।

ମୁଁ ଲକଡାଉନ୍ ଓ ସଟ୍ଡାଉନ ସପକ୍ଷରେ ନାହିଁ । ଏହା ହେଲେ ଅର୍ଥନୀତି ଉପରେ ପ୍ରଭାବ ପକାଇବ । କିନ୍ତୁ ତା ସହ ଜୀବନରକ୍ଷା ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ । ଆମେ ଯଦି ନିୟମ ମାନିବା ସାବଧାନ ରହିବ ବିନା ଲକ୍ ଡାଉନ୍କୁ କୋଭିଡ୍ୟୁଦ୍ଧରେ ଜିତି ପାରିବା । ମୋ ରାଜ୍ୟର ପ୍ରତିଟି ପରିବାର ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆସନ୍ତା ୧ ତାରିଖରୁ ୧୮ ବର୍ଷରୁ ଊଦ୍ଧ୍ୱର୍ ବୟସଙ୍କୁ ଟିକା ଦିଆଯିବ । ତେବେ ରାଜ୍ୟବାସୀଙ୍କୁ ଏଥିପାଇଁ ଗୋଟିଏ ବି ଟଙ୍କା ଖର୍ଚ୍ଚ କରିବାକୁ ପଡିବନାହିଁ । ଏଥିନେଇ ରାଜ୍ୟ ସରକାର ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ । ତେଣୁ ଆପଣମାନେ କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

5 × three =