କେନ୍ଦ୍ର ସହାୟତା ବନ୍ଦ କଲେ ବି କେବିକେର ଦାୟିତ୍ବ ରାଜ୍ୟ ସରକାରଙ୍କର : ମୁଖ୍ୟମନ୍ତ୍ରୀ

କୋରାପୁଟ () କେନ୍ଦ୍ର ସରକାର କେବିକେ ଯୋଜନାରେ ଓଡିଶାକୁ ଅର୍ଥ ଯୋଗାଣ ବନ୍ଦ କରିଥିଲେ ମଧ୍ୟ ରାଜ୍ୟ ସରକାର କେବିକେ ଯୋଜନା ବନ୍ଦ କରିବେ ନାହିଁ ଏବଂ ଏହି ଜିଲ୍ଲା ଗୁଡିକର ସବୁ ପ୍ରକାରର ଉନ୍ନତି ରାଜ୍ୟ ସରକାରଙ୍କର ମୁଖ୍ୟଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋରାପୁଟ ଓ ନବରଙ୍ଗପୁର ଗସ୍ତ ବେଳେ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି କୋରାପୁଟ ଜିଲ୍ଲା ଗସ୍ତ କରି ବିଜୁ ଯୁବ ବାହିନୀ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଅନେକ ଉନ୍ନୟନମୂଳକ ଯୋଜନାର ଶୁଭାରମ୍ଭ କରିଛନ୍ତି । ସେଠାରେ ତିନୋଟି ବୃହତ ସେତୁର ନିର୍ମାଣ ପାଇଁ ମଧ୍ୟ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ମୁରାନ ନଦୀରେ ଗରିଲଗୁମା-ଦୁଆରସୁନି ରାସ୍ତା ଉପରେ, କୋଲାବ ଜଳଭଣ୍ଡାର ନିକଟରେ ନନ୍ଦପୁର-ଲମତାପୁଟ-ବନମାଳୀପୁଟ ରାସ୍ତାରେ ଏବଂ କୋଲାବ ଜଳଭଣ୍ଡାରରେ କୋରାପୁଟ-ସୁକୁ ରାସ୍ତା ଉପରେ ତିନୋଟି ବୃହତ ସେତୁ ନିର୍ମାଣ କରାଯିବ ।

ଆଜି ମୁଖ୍ୟମନ୍ତ୍ରୀ କୋରାପୁଟରେ 1136.41 କୋଟି ଟଙ୍କା ମୂଲ୍ୟର 31ଟି ପ୍ରକଳ୍ପ ଉଦଘାଟିତ କରିଥିଲେ । ଏଥିରେ ଗୁରୁତ୍ବପୂର୍ଣ୍ଣ ତେଲେଙ୍ଗୀର ମଧ୍ୟମ ଜଳସେଚନ ପ୍ରକଳ୍ପ ମଧ୍ୟ ରହିଛି । 952. 85 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଦ୍ବାରା ଉଭୟ ଜୟପୁର ଓ ବୋରିଗୁମା ବ୍ଲକର 52 ଖଣ୍ଡ ଗାଁର 9952 ହେକ୍ଟର ଜମିକୁ ଉଭୟ ଖରିଫ ଓ ରବି ଋତୁରେ ଜଳସେଚନ ସୁବିଧା ମିଳିପାରିବ । ଏହାସହିତ ମୁଖ୍ୟମନ୍ତ୍ରୀ 749 କୋଟି ଟଙ୍କା ମୂଲ୍ୟର 94ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ବାସ୍ଥ୍ୟସେବା ପାଇଁ ବିଜୁ କେବିକେ ଯୋଜନା ଜାରି ରହିବ । ଏହାସହ ଉଠାଇଛନ୍ତି ଅନୁସୂଚିତ ଜାତି ଜନଜାତି ଛାତ୍ରବୃତ୍ତି ପ୍ରସଙ୍ଗ। ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦ୍ର ଛାତ୍ରବୃତ୍ତି ବନ୍ଦ କରିଛି । ରାଜ୍ୟ ସରକାର କିନ୍ତୁ ବୃତ୍ତି ଦେଉଛନ୍ତି ଓ ଆଗକୁ ମଧ୍ୟ ଏହି ବୃତ୍ତି ଦିଆଯିବ। ଉମରକୋଟରେ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ୧୦୯୭ କୋଟି ଟଙ୍କା ୧୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହାସହ ୧୯ କୋଟି ଟଙ୍କା ମୂଲ୍ୟରେ ୧୨ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି । ବିଭିନ୍ନ ଲୋକାଭିମୁଖୀ ଯୋଜନାରେ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରିଛନ୍ତି ନବୀନ ।

Share

Leave a Reply

Your email address will not be published. Required fields are marked *