ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା : ରୋଗରେ ଆତ୍ମସନ୍ତୋଷ ଠିକ ନୁହେଁ

ପ୍ରିୟ ଭାଇ ଓ ଭଉଣୀମାନେ, ଆପଣମାନଙ୍କ ସହଯୋଗରେ ଓଡ଼ିଶା କରୋନା ନିୟନ୍ତ୍ରଣରେ ଆଜି ଭଲ ସ୍ଥିତିରେ ରହିଛି । ଏ ଦିଗରେ ଆମ ପଦକ୍ଷେପକୁ ‘ହୁ’ ମଧ୍ୟ ପ୍ରଶଂସା କରିଛି । ଏବେ ଆମର ଦୈନିକ ସଂକ୍ରମଣ ୧୦୦ ତଳେ ରହୁଛି । ଶୂନ୍ୟ ସଂକ୍ରମଣ ଆମର ଲଖ୍ୟ । ମୁଁ ଆଗରୁ କହିଛି, ଏବେ ମଧ୍ୟ ପୁଣି ଥରେ କହୁଛି ରୋଗ କ୍ଷେତ୍ରରେ ଆତ୍ମ ସନ୍ତୋଷ ଠିକ୍‍ ନୂହେଁ କାରଣ ବିପଦ ଏବେ ବି ଟଳି ନାହିଁ ।
ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ଼, ମଧ୍ୟପ୍ରଦେଶ ଆଦି କେତେକ ରାଜ୍ୟରେ ସ୍ଥିତି ଏବେ ବିଗିଡ଼ିବାରେ ଲାଗିଛି । ମହାରାଷ୍ଟ୍ରର କେତେକ ଅଞ୍ଚଳରେ ଲକ୍‍ଡାଉନ୍‍ ପୁଣି ଫେରିଛି । ଲକ୍‍ଡାଉନ୍‍ ସମୟର କଷ୍ଟ ଆମ ସ୍ମୃତିରେ ଏବେ ବି ତାଜା ଅଛି । ଆମର ଅର୍ଥନୀତି, ଆମର ସାମାଜିକ ଜୀବନ, ପିଲାମାନଙ୍କ ପାଠ ପଢ଼ା ସବୁ କ୍ଷେତ୍ରକୁ ଏହା ଗଭୀର ଭାବରେ ପ୍ରଭାବିତ କରିଛି । ଆପଣମାନଙ୍କ ତ୍ୟାଗ ଓ ସହଯୋଗ ଯୋଗୁଁ ବର୍ତ୍ତମାନ ସ୍ୱଭାବିକ ଅବସ୍ଥା ଫେରିଛି । ଆମେ କେହି ଲକ୍‍ଡାଉନ୍‍କୁ ଫେରିବାକୁ ଚାହୁଁ ନାହୁଁ । ଆଉ ଲକ୍‍ଡାଉନ୍‍କୁ ନ ଫେରିବାର ଗୋଟିଏମାତ୍ର ଉପାୟ ହେଉଛି ସତର୍କତା । ଆମେ ସତର୍କ ରହିଲେ ଲକ୍‍ଡାଉନ୍‍ ଭଳି ସ୍ଥିତି ଉପୁଜିବ ନାହିଁ । ତେଣୁ ମୋର ଅନୁରୋଧ ଆମେ ସମସ୍ତେ ପୂର୍ବଭଳି କୋଭିଡ଼୍‍ ଗାଇଡ୍‍ଲାଇନ୍‍କୁ କଡ଼ା କଡ଼ି ଭାବରେ ପାଳନ କରିଚାଲିବା ।
ବାହାରକୁ ଗଲେ ମାସ୍କ୍‍ ନିଶ୍ଚୟ ପିନ୍ଧିବା । ବେକରେ ଝୁଲାଇକରି ନୁହେଁ, ଠିକ୍‍ ଭାବରେ ପାଟି ଓ ନାକକୁ ଘୋଡାଇ ରଖି ପିନ୍ଧିବା । ଘରକୁ ଫେରିଲେ ସାବୁନ୍‍ରେ ଭଲକରି ହାତ ଧୋଇବା । ମୁଁହ, ନାକ ଓ ଆଖିରେ ବାରମ୍ବାର ହାତ ମାରିବା ନାହିଁ । ସମାଜିକ ଦୂରତ୍ୱ ରକ୍ଷାକରି ହାଟ ବଜାର ଆଦି ସ୍ଥାନକୁ ଯିବା ଏବଂ ଅନାବଶ୍ୟକ ଭାବରେ ବାହାରେ ବୁଲାବୁଲି କରିବା ନାହିଁ ।
ବର୍ତ୍ତମାନ କରୋନା ପାଇଁ ଟୀକା କରଣ ଆମ ରାଜ୍ୟରେ ସଫଳ ଭାବରେ ଚାଲିଛି । ଏ ଦିଗରେ ମୁଁ ଆପଣମାନଙ୍କର ସହଯୋଗ କାମନା କରୁଛି ।
କରୋନା ବିରୁଦ୍ଧରେ ଆମର ଲଢ଼େଇରେ ଆମେ ଆମର ବହୁ ଯୋଦ୍ଧାଙ୍କୁ ହରାଇଛୁ । ସେମାନଙ୍କର ପରିବାର ଆଖିରୁ ଆଜି ମଧ୍ୟ ଲୁହ ଶୁଖି ନାହିଁ । ସେହି ଯୋଦ୍ଧାମାନଙ୍କର ବଳିଦାନକୁ ଆମେ କେବେ ବି ବ୍ୟର୍ଥ ଯିବାକୁ ଦେବା ନାହିଁ । ସତର୍କ ରହିବା ହିଁ ସହିଦ୍‍ କରୋନା ଯୋଦ୍ଧାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଚଳି ।
କରୋନା ନିୟମାବଳୀର ଅନୁପାଳନକୁ କଡ଼ାକଡ଼ିଭାବରେ ତଦାରଖ କରିବା ପାଇଁ ମୁଁ ପ୍ରଶାସନ ଓ ପୋଲିସ୍‍ କୁ ନିର୍ଦ୍ଦେଶ ଦେଇଛି । ଆମେ ନିଜେ ସତର୍କ ରହିବା ହିଁ ସବୁଠାରୁ ଭଲ ।
ଆପଣମାନଙ୍କ ଉପରେ ମୋର ପୂର୍ଣ୍ଣ ଭରସା ରହିଛି । ଆପଣମାନେ ମୋର ଅନୂରୋଧ ରକ୍ଷା କରିବେ ଏବଂ ସତର୍କ ରହିବେ । ଆମେ ସମସ୍ତେ ମିଶି ଶୂନ୍ୟ ସଂକ୍ରମଣ ଲଖ୍ୟ ହାସଲ କରିପାରିବା ।

Share

Leave a Reply

Your email address will not be published. Required fields are marked *

5 × four =