ଆଦିବାସୀ ଜିଲ୍ଲା ପାଇଁ କୃଷି ଉତ୍ପାଦନ କ୍ଲଷ୍ଟର ଯୋଜନା

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ନିଜସ୍ବ କୃଷି ଉତ୍ପାଦନ କ୍ଲଷ୍ଟର ଯୋଜନାର ଶୁଭାରମ୍ଭ କରିଛନ୍ତି । ରାଜ୍ୟର ଉଚ୍ଚ ଜମି ଅଂଚଳରେ କୃଷି ଉତ୍ପାଦନ କ୍ଲଷ୍ଟର  ପ୍ରତିଷ୍ଠା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଏହା ଏକ ବଡ ଯୋଜନା  । ଏଥିପାଇଁ ଆବଶ୍ୟକ ଅର୍ଥ ରାଜ୍ୟ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧିନରେ ଥିବା ଓଡିଶା ଜୀବିକା ମିଶନ, ଆପିକଲ, ଭାରତ ଗ୍ରାମୀଣ ଜୀବିକା ଫାଉଣ୍ଡେସନ ଯୋଗାଇ ଦେବେ । ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ, ଓଡିଶା ଜୀବିକା ମିଶନ, ଓଡିଶା କୃଷି ଶିଳ୍ପ ନିଗମ, ଓଡିଶା ଉଠା ଜଳସେନ ନିଗମ ଓ ଅନ୍ୟାନ ଆନୁସଂଗୀକ ବିଭାଗ ଉପଲବ୍ଧ ଥିବା ଯୋଜନାଗୁଡିକୁ ଏହି ଅଂଚଳରେ ଆବଶ୍ୟକ ଜୀବିକା ଭିତ୍ତିଭୂମୀ ପ୍ରତିଷ୍ଠା ପାଇଁ ସହଯୋଗ କରିବେ ।

ଏହି ଯୋଜନାରେ ଆସନ୍ତା 4 ବର୍ଷରେ ରାଜ୍ୟରେ ଢିପ ଜମି ଥିବା 12ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ 40 ଗୋଟି ପଛୁଆ ବ୍ଲକରେ କୃଷି ଉତ୍ପାଦନ କ୍ଲଷ୍ଟର ପ୍ରତିଷ୍ଠା କରାଯାଇ ପ୍ରାୟ 1ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆୟକୁ ଚିରସ୍ଥାୟୀ ଭାବେ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି ।

ସେହିପରି 750ଜଣ ବଜାର ସଂଯୋଗୀକାରୀ  କୃଷି ଉଦ୍ୟୋଗୀଙ୍କୁ ସୃଷ୍ଟି କରି ଏହି ଅଂଚଳରେ ମୂଲ୍ୟ ଶୃଙ୍ଖଳ ସହାୟକ ଭାବେ ଅବସ୍ଥାପିତ କରାଯିବ । ଚିରସ୍ଥାୟୀ ହିସାବରେ ପ୍ରାୟ 40 ପ୍ରତିଶତ ଜମିରେ ବିନା କୀଟନାଶକ ଫସଲ ପରିଚାଳନା ପଦ୍ଧତି ଆରମ୍ଭ କରାଯିବ ।

ଏଥିସହିତ ଚାଷୀମାନଙ୍କ ଜୀବିକା ବୃଦ୍ଧି ପାଇଁ ଏହି କ୍ଲଷ୍ଟର ଗୁଡିକରେ 40ହଜାର ପରିବାରକୁ ଛେଳି, ମେଣ୍ଢା ଓ କୁକୁଡା ପାଳନ ପାଇଁ ସହାୟତା ପ୍ରଦାନ କରାଯିବ । ଏତଦବ୍ୟତିତ ଏହି ଅଂଚଳରେ ନିର୍ଦ୍ଧିଷ୍ଟ କୃଷି ଉତ୍ପାଦନର ବିକ୍ରିବଟା ପାଇଁ ବଜାର ପ୍ରଶସ୍ତ କରାଯିବ । ଉନ୍ନୟମୂଳକ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ 16ହଜାର ଏକର ଜମିରେ ଜଳସେଚନ, 4ହଜାର ଏକର ଜମିରେ ଫଳଚାଷ, 7ହଜାର ଚାଷୀଙ୍କୁ କୃଷିଜାନ୍ତ୍ରୀକରଣ ସୁବିଧା ଓ ପ୍ରାୟ 30ହଜାର ଚାଷୀଙ୍କୁ ଛେଳି, ମେଣ୍ଢା ଓ କୁକୁଡା ପାଳନ ପାଇଁ ସରକାରଙ୍କ ପ୍ରଚଳିତ କାର୍ଯ୍ୟକ୍ରମ ମାଧ୍ୟମରେ ସୁବିଧା ପ୍ରଦାନ କରାଯିବ ।

ଏଥିପାଇଁ ପ୍ରାୟ 401.60 କୋଟି ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି । ସେମଧ୍ୟରୁ ଓଡିଶା ଜୀବିକା ମିଶନ 70.06 କୋଟି, ଆପିକଲ 17.80 କୋଟି, ଭାରତ ଗ୍ରାମୀଣ ଜୀବିକା ଫାଉଣ୍ଡେସନ ଓ ଏହାର ସହଯୋଗୀ ସଂସ୍ଥା 20.34 କୋଟି ଏବଂ ରାଜ୍ୟର କୃଷି ଓ ଆନୁସଙ୍ଗୀକ ବିଭାଗଗୁଡିକ ପ୍ରାୟ 293.40 କୋଟି ଟଙ୍କା ସେମାନଙ୍କ ପ୍ରଚିଳିଚ ଯୋଜନା ମାଧ୍ୟମରେ ଯୋଗାଦେବେ ।

ଏହି କାର୍ଯ୍ୟକ୍ରମରେ କୃଷି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ, ପଂଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ ମହାରଥୀ, କୃଷି ସଚିବ ସୌରଭ ଗର୍ଗ, ଉଦ୍ୟାନ କୃଷି ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ, ରାଜ୍ୟ ଜୀବିକା ମିଶନର ନିର୍ଦ୍ଦେଶକ ଏସ.ଆର ପ୍ରଧାନ, ଭାରତ ଗ୍ରାମୀଣ ଜୀବିକା ଫାଉଣ୍ଡେସନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରେମଥେଶ ଆମବସ୍ଥା, ଏନଜିଓ ପ୍ରଦାନର ନିର୍ବାହୀ ନିର୍ଦ୍ଦେଶକ ଡି.ନରେନ୍ଦ୍ରନାଥଙ୍କ ସମେତ ଅନ୍ୟାନ ଅଧିକାରୀ ଓ ପ୍ରାୟ 300 ଚାଷୀ ଭିଡିଓ କନଫରେନସିଂ ମାଧ୍ୟମରେ ଯୋଗ ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

twenty − nineteen =