ରେଶମ ସହରକୁ ମୁଖ୍ୟମନ୍ତ୍ରୀଙ୍କ ଉପହାର : ଜାନିବିଲି ପାନୀୟ ଜଳ ପ୍ରକଳ୍ପ

ବ୍ରହ୍ମପୁର () ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ନିଜ ପ୍ରତିଶ୍ରୁତି ରକ୍ଷା କରି ଆଜି ରେଶମ ସହରର ବହୁ ପ୍ରତିକ୍ଷିତି ଜାନିବିଲି ବୃହତ ପାନୀୟ ଜଳ ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି ।

431 କୋଟି ବ୍ୟୟ ଅଟକଳରେ ନିର୍ମିତ ଜାନିବିଲି-ବ୍ରହ୍ମପୁର ପ୍ରକଳ୍ପ ପ୍ରଥମ ସମନ୍ୟୁତ ପାନୀୟ ଜଳ ପ୍ରକଳ୍ପ । ଏହି ପ୍ରକଳ୍ପ ଦ୍ବାରା ବ୍ରହ୍ମପୁର ସହର ସମେତ ଆସିକା, ହିଂଜିଲି, ଶେରଗଡ଼ ଓ କୁକୁଦାଖଣ୍ଡି ବ୍ଲକର 52ଟି ଗାଁର ପାନୀୟ ଜଳ ସମସ୍ୟା ଦୂର କରିବ ।

ଆଜି ଦିନିକିଆ ଗଂଜାମ ଜିଲ୍ଲା ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ଷ୍ଟାଡିୟମରେ ଏକ ବିରାଟ ଜନସମାଗମ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ପ୍ରକଳ୍ପକୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି । ଏହା ରାଜ୍ୟର ପ୍ରଥମ ଏଭଳି ଏକ ପ୍ରକଳ୍ପ ଯାହାଦ୍ୱାରା ଉଭୟ ସହରାଂଚଲ ଓ ଗ୍ରାମାଞ୍ଚଳ ପାନୀୟ ଜଳ ଆବଶ୍ୟକତାକୁ ମେଣ୍ଟାଇ ପାରିବ । ଏହା ଆସନ୍ତା 30 ବର୍ଷ ପାଇଁ ବ୍ରହ୍ମପୁରର ପାନୀୟ ଜଳ ଆବଶ୍ୟକତାକୁ ପୂରଣ କରିବ ।

ଏହି ପ୍ରକଳ୍ପ ଦ୍ବାରା ଗଞ୍ଜାମର 6 ଲକ୍ଷ 75 ହଜାର ସହରୀ ଓ 1 ଲକ୍ଷ 76 ହଜାର ଗ୍ରାମୀଣ ଲୋକ ଉପକୃତ ହେବେ । ବର୍ତ୍ତମାନ ବ୍ରହ୍ମପୁର ସହର ପାଇଁ ଦୈନିକ 64 ନିୟୁତ ଲିଟର ପାନୀୟ ଜଳର ଆବଶ୍ୟକତା ରହିଥିବା ବେଳେ ଦକ୍ଷିଣପୂର, ଋଷିକୂଲ୍ୟା ଭଳି ବିଭିନ୍ନ ସୂତ୍ରରୁ 54 ନିୟୁତ ଲିଟର ପାଣି ଯୋଗାଇଦିଆଯାଉଛି । ବ୍ରହ୍ମପୁରର ପାନୀୟ ଜଳ ସମସ୍ୟା ଦୀର୍ଘ ବର୍ଷର । ଖରା ଦିନେ ପୁଣି ଏହି ସମସ୍ୟା ଆହୁରି ଉତ୍କଟ ହୁଏ, କାରଣ ଋଷିକୁଲ୍ୟାର ଜଳ ଯୋଗାଣ କ୍ଷମତା ହ୍ରାସ ପାଏ ।

ଜାନିବିଲି ପ୍ରକଳ୍ପ ବ୍ରହ୍ମପୁର ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନରେ ସହାୟକ ହେବ । ଏହି ପ୍ରକଳ୍ପ ଦ୍ବାରା ବ୍ରହ୍ମପୁରକୁ ଦୈନିକ 125 ନିୟୁତ ଲିଟର ପାଣି ଯୋଗାଇବ । ଏହି ପ୍ରକଳ୍ପ ପାଇଁ ଋଷିକୁଲ୍ୟା, ସୋରଡା, ଭଞ୍ଜନଗର ଓ ହରଭଙ୍ଗୀରୁ ପାଣି ସଂଗ୍ରହ କରି ଯାନିବିଲିରେ ସଂରକ୍ଷିତ ହେବ । ପରେ ପ୍ରକ୍ରିୟାକରଣ ପରେ ଏହାକୁ ଆବଶ୍ୟକତା ଅନୁଯାୟୀ ଛଡ଼ାଯିବ ।

ଏହି ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ଆଉକିଛି ଉନ୍ନୟନମୂଳକ ପ୍ରକଳ୍ପର ମଧ୍ୟ ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

12 + two =