ବିଜେପୁରବାସୀଙ୍କୁ ଦେଇଥିବା ପ୍ରତିଶୃତି ରଖିଲେ ନବୀନ

ପାର୍ବତୀଗିରି ଜଳସେଚନ ପ୍ରକଳ୍ପ ଉଦଘାଟିତ

ଭୁବନେଶ୍ବର ()  ବିଜେପୁର ଉପନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ପାର୍ବତୀଗିରି ଉଠା ଜଳସେଚନ ପ୍ରକଳ୍ପର ଘୋଷଣା କରିଥିଲେ । ଆଜି ତାହା ବାସ୍ତବ ରୂପ ନେଇଛି । ସଚିବାଳୟରେ ଭିଡିଓ କନଫରେନସିଂ ଜରିଆରେ ପାର୍ବତୀଗିରି ମେଗା ଉଠା ଜଳସେଚନ ପ୍ରକଳ୍ପ ଉଦଘାଟନ କରିଛନ୍ତି । ଏହି ପ୍ରକଳ୍ପର ଆଜି 41ଟି ପଏଣ୍ଟ ଉଦଘାଟିତ ହୋଇଛି  । ଏହାଦ୍ବାରା 50 ହଜାର ହେକ୍ଟରରୁ ଅଧିକ ଜମିରେ ଜଳସେଚନ ସୁବିଧା ମିଳିପାରିବ ।

ଏହି ଅବସରରେ ବିଭିନ୍ନ ପ୍ରକଳ୍ପ ସ୍ଥାନରେ ସମବେତ ଜନତାଙ୍କ ନିକଟରେ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରି କହିଛନ୍ତି ଯେ, କୃଷିର ବିକାଶରେ ଜଳସେଚନର ଭୂମିକା ସବୁଠାରୁ ବଡ । 2019 ସୁଦ୍ଧା ଅଧିକ 10 ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବା ପାଇଁ ସେ ପ୍ରତିଶୃତି ଦେଇଥିବା ବେଳେ ବର୍ତ୍ତମାନ ସୁଦ୍ଧା 7 ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଜଳସେଚନର ସୁବିଧା କରାଯାଇ ପାରିଛି  । ଅନ୍ୟାନ କାର୍ଯ୍ୟକ୍ରମ ଜରିଆରେ ଖୁବଶୀଘ୍ର ଆଉ 3 ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଜଳସେଚନର ସୁବିଧା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ରାଜ୍ୟର ଉଚ୍ଚା ଜମି ଅଂଚଳରେ ପାର୍ବତୀଗିରି ବୃହତ ଉଠା ଜଳସେଚନ ବହୁତ ଲୋକପ୍ରିୟ ହୋଇପାରିଛି । ତେଣୁ ଅଧିକ ଚାଷୀ ଯେପରି ଏହି ସୁବିଧା ପାଇପାରିବେ ସେଥିପାଇଁ ରାଜ୍ୟ ସରକାର ତାଙ୍କର ଉଦ୍ୟମ ଜାରି ରଖିବେ । ଏଥିପାଇଁ ଆଗାମୀ 5 ବର୍ଷରେ 10 ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ।

କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବିରୋଧୀ ଦଳ ନେତା ନରସିଂହ ମିଶ୍ର ତାଙ୍କ ଅଭିଭାଷଣରେ ଜଳସେଚନ ପାଇଁ ରାଜ୍ୟ ସରକାର ଯେଉଁ ପ୍ରତିଶୃତି ଦେଇଥିଲେ ତାକୁ ପାଳନ କରିବା ଦିଗରେ ଉଦ୍ୟମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ବଲାଙ୍ଗୀର ଜିଲ୍ଲାରେ ଯେପରି ଅଧିକ ଜମିରେ ଜଳସେନ ସୁବିଧାର ବିକାଶ ହୋଇପାରିବ ସେ ଦିଗରେ ପଦକ୍ଷେପ ନେବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।

ସୂଚନାଯୋଗ୍ୟ ଯେ, ପାର୍ବତୀଗିରି ଜଳସେଚନ ପ୍ରକଳ୍ପ ଜରିଆରେ ରାଜ୍ୟର 23ଟି ଜିଲ୍ଲାରେ 199ଟି ଯୋଜନା ଅଧିନରେ 2ଲକ୍ଷ 86ହଜାର ହେକ୍ଟରରୁ ଅଧିକ ଜମିରେ ଜଳସେଚନର ସୁବିଧା ପାଇଁ ଲକ୍ଷ୍ୟ ରଖାଯାଇଛି । ଆଜି ଉଦଘାଟିତ ହୋଇଥିବା 41ଟି ମେଗା ଲିଫ୍ଟ ପ୍ରକଳ୍ପ ଦ୍ବାରା 9ଟି ଜିଲ୍ଲାର 50ହଜାର 22 ହେକ୍ଟର ଜମିରେ ଜଳସେଚନର ସୁବିଧା ମିଳିଛି । ଏହି ଜିଲ୍ଲାଗୁଡିକ ହେଲା ଗଜପତି, କଳାହାଣ୍ଡି, ନବରଙ୍ଗପୁର, ବରଗଡ, ବଲାଙ୍ଗୀର, ଝାରସୁଗୁଡା, ସମ୍ବଲପୁର, ବୌଦ୍ଧ ଓ ସୋନପୁର । 2019 ମାର୍ଚ୍ଚ ସୁଦ୍ଧା ଏହି ମେଗା ଲିଫ୍ଟ କାର୍ଯ୍ୟକ୍ରମ ଅଧୀନରେ ଆହୁରି 80ଟି ପ୍ରକଳ୍ପ ଜରିଆରେ 1ଲକ୍ଷ ହେକ୍ଟର ଜମିରେ ଜଳସେନର ସୁବିଧା ଦିଆଯିବ ।

ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନସିଂ ଜରିଆରେ ଏହି ଯୋଜନାର ବିଭିନ୍ନ ସ୍ଥାନରେ ଥିବା ଚାଷୀମାନଙ୍କ ସହ ମତ ବିନିମୟ କରିଥିଲେ । ଏହି ଅବସରରେ ପାର୍ବତୀଗିରି ମେଗା ଉଠା ଜଳସେଚନ ପ୍ରକଳ୍ପ ସମ୍ବନ୍ଧିରେ ବିଭିନ୍ନ ତଥଯ ସମ୍ବଳିତ ଏକ ପୁସ୍ତକକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ଜଳସଂପଦ ମନ୍ତ୍ରୀ ନିରଂଜନ ପୂଜାରୀ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

five + three =