ଚାଷୀ ପରିବାରର ପିଲାଙ୍କ ପାଇଁ କାଳିଆ ଛାତ୍ରବୃତ୍ତି

କେନ୍ଦୁଝର () କାଳିଆ ଯୋଜନାରେ ହିତାଧିକାରୀ ପରିବାରର ପିଲାମାନଙ୍କ ବୃତ୍ତିଗତ ଉଚ୍ଚଶିକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କାଳିଆ ଛାତ୍ରବୃତ୍ତି ଯୋଜନା ଘୋଷଣା କରିଛନ୍ତି । ଆଜି କେନ୍ଦୁଝରରେ ଆୟୋଜିତ ବିରାଟ କାଳିଆ ଚାଷୀ ସମାବେଶରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ସରକାରଙ୍କ କାଳିଆ ଯୋଜନା ବହୁତ ଲୋକପ୍ରିୟ ଯୋଜନା ।

ଏହି ଯୋଜନା ସାରା ଭାରତରେ ମଧ୍ୟ ଚାଷୀଙ୍କ କଲ୍ୟାଣ ପାଇଁ କାର୍ଯ୍ୟକାରୀ କରାଯାଉଛି । ଚାଷୀଙ୍କ ଭବିଷ୍ୟତ ସେମାନଙ୍କ ପିଲାମାନଙ୍କ ଉନ୍ନତି । ମୁଁ ଚାହୁଁଛି ଆପଣମାନଙ୍କ ପିଲା ଡାକ୍ତର, ଇଂଜିନିର, ମ୍ୟାନେଜର ଭଳି ବୃତ୍ତିଧାରୀ ହୁଅନ୍ତୁ । ସେଥିପାଇଁ ମୁଁ କାଳିଆ ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଆପଣମାନଙ୍କ ପିଲାମାନଙ୍କ ପାଇଁ ଆରମ୍ଭ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏଥିରେ ମେରିଟ ଭିତ୍ତିରେ ସରକାରୀ ବୃତ୍ତିଗତ କଲେଜରେ ନାମ ଲେଖାଇଥିବା ଚାଷୀ ପରିବାର ପିଲାମାନଙ୍କ ଉଚ୍ଚଶିକ୍ଷା ଖର୍ଚ୍ଚ ସରକାର ବହନ କରିବେ । ଚାଷୀ ପରିବାରର ପିଲାମାନେ ଭଲ ପାଠ ପଢନ୍ତୁ, ସେମାନଙ୍କ ଉଚ୍ଚଶିକ୍ଷା ଦାଇତ୍ୱ ସରକାରଙ୍କ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

କେନ୍ଦୁଝର ଠାରେ ମୁଖ୍ୟମନ୍ତ୍ରୀ 66 କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରିବା ସହିତ 2100 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ପୂର୍ବରୁ ରାଇରଙ୍ଗପୁର ଠାରେ ଆୟୋଜିତ ମିଶନ ଶକ୍ତି ସମାବେଶରେ ଯୋଗଦେଇ ମୁଖ୍ୟମନ୍ତ୍ରୀ 45 କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରିବା ସହ 960 କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ କରିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ଉନ୍ନତିକରଣ କରାଯିବ ଏବଂ ପିପିପି ମୋଡ଼ରେ ଏହାକୁ 100 ଶଯ୍ୟା ବିଶିଷ୍ଟ ଡାକ୍ତରଖାନାରେ ପରିଣତ କରାଯିବ । ରାଇରଙ୍ଗପୁରରେ କ୍ରୀଡ଼ାର ବିକାଶ ପାଇଁ ଆଧୁନିଜ ସୁବିଧା ଥିବା ଷ୍ଟାଡିୟମ ନିର୍ମାଣ କରାଯିବ । ଏବଂ ରାଇରଙ୍ଗପୁର ପିଏଆଇଟିଡିଏ ଦାୟିତ୍ୱରେ ଥିବା ଅଧିକାରୀ ରାଇରଙ୍ଗପୁରର ଏଡିଏମ ଭାବେ ଦାଇତ୍ୱ ତୁଲାଇବେ ।

Share

Leave a Reply

Your email address will not be published. Required fields are marked *

eleven − one =