ଛୋଟ ସହରକୁ ନବୀନଙ୍କ ଗୁରୁତ୍ୱ: ହିଞ୍ଜିଳି ବିକାଶ ପାଇଁ ୨୮କୋଟି

ହିଞ୍ଜିଳିକାଟୁ: ହିଞ୍ଜିଳିକାଟୁରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ । ଗୁରୁବାର ଗଞ୍ଜାମ ଜିଲ୍ଲା ହିଞ୍ଚିଳିକାଟୁରେ ୨୮କୋଟି ଟଙ୍କାର ୧୪ଟି ପ୍ରକଳ୍ପ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ । 

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ପ୍ରକଳ୍ପ ଗୁଡିକରେ ହିଞ୍ଜିଳିକାଟୁ ଆର୍.ଏମ.ସି ପରିସରରେ ୧୬କୋଟି ୭୭ଲକ୍ଷ ୪୧ହଜାର ଟଙ୍କାରେ ନିର୍ମିତ ଉପଖଣ୍ଡ ଚିକିତ୍ସାଳୟ, ୩କୋଟି ୨୧ଲକ୍ଷ ୭୬ ହଜାର ଟଙ୍କାରେ ନିର୍ମିତ ବସ୍‌ ଟର୍ମିନାଲ, ୮୫ଲକ୍ଷ ୫୬ହଜାର ଟଙ୍କାରେ ନିର୍ମିତ ଆର୍.ଏମ.ସି ମାର୍କେଟ କମ୍ପ୍ଲେକ୍ସ, ୧ କୋଟି ୬୨ଲକ୍ଷ ୬୯ହଜାର ଟଙ୍କାରେ ନିର୍ମିତ ନେତାଜୀ ପାର୍କ, ୧ କୋଟି ୧୩ ଲକ୍ଷ ୧୧ ଟଙ୍କାରେ ଅତ୍ୟାଧୁନିକ ଆମିଷ ବଜାର ଓ ୪୦ଲକ୍ଷ ଟଙ୍କାରେ ବ୍ୟୟରେ ନିର୍ମିତ ବରିଷ୍ଠ ନାଗରିକଙ୍କ ପାଇଁ ଚିତ୍ତବିନୋଦନ କେନ୍ଦ୍ର ଆଦି ରହିଛି । 

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି, କରୋନା ବିରୋଧରେ ଗଞ୍ଜାମ ଜିଲ୍ଲା ସାହସର ସହ ଲଢ଼ିଛି । ଗଞ୍ଜାମର ସଫଳତା ସାରା ବିଶ୍ୱ ପାଇଁ ଉଦାହରଣ ପାଲଟିଛି। ଏବେସୁଦ୍ଧା କରୋନା ଦୂର ହୋଇନାହିଁ, ଏଣୁ ଆମକୁ ସାବଧାନ ହୋଇ ଚଳିବାକୁ ପଡ଼ିବ । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ପିଲାମାନେ ଏ ଜାତିର ଭବିଷ୍ୟତ, ଦେଶର ଭବିଷ୍ୟତ । ଶିକ୍ଷା କ୍ଷେତ୍ରରେ ହିଞ୍ଜିଳିକାଟୁ ଆଗକୁ ଯାଉ, ଏହା ମୋର ଲକ୍ଷ୍ୟ ବୋଲି କହିଛନ୍ତି ନବୀନ ।

କୋଭିଡ ଯୁଦ୍ଧରେ ଗଞ୍ଜାମବାସୀଙ୍କ ଭୂମିକାକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ “କରୋନା ମହାମାରୀ ସହ ଆପଣମାନେ ଯେପରି ଲଢିଲେ, ଗଞ୍ଜାମ ଯେପରି ଲଢିଲା, ତାହା ସାରା ବିଶ୍ୱ ଦେଖିଛି । ଆପଣମାନଙ୍କ ସହଯୋଗରେ କରୋନାକୁ ନିୟନ୍ତ୍ରଣ କରିବାରେ ଆମେ ସଫଳ ହୋଇଛୁ । ଏଦିଗରେ ଗଞ୍ଜାମର ସଫଳତା ସାରା ବିଶ୍ୱର ପ୍ରଶଂସା ପାଇଥିଲା । ସେଥିପାଇଁ ମୁଁ ସମସ୍ତଙ୍କୁ, ଆମର ପଞ୍ଚାୟତ ପ୍ରତିନିଧି ମାନଙ୍କୁ, ମିଶନ ଶକ୍ତିର ମା’ ମାନଙ୍କୁ ଓ କୋଭିଡ ଯୋଦ୍ଧା ମାନଙ୍କୁ ଧନ୍ୟବାଦ ଜଣାଉଛି ।ଟିକାକରଣ ଆରମ୍ଭ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ବିପଦ ପୁରା ଦୂର ହୋଇନାହିଁ । ତେଣୁ ଆମକୁ ସାବଧାନ ରହିବାକୁ ହେବ ।”

ତେବେ ଏହି କାର୍ଯ୍ୟକ୍ରମକୁ 5T ସଚିବ ଭି.କେ. ପାଣ୍ଡିଆନ ପରିଚାଳନା କରିଥିଲେ । ଉଦ୍‌ଘାଟନୀ ଉତ୍ସବରେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ସମେତ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଉପସ୍ଥିତ ରହି ଥିଲେ ।

 

Share

Leave a Reply

Your email address will not be published. Required fields are marked *

fifteen − 13 =