ହାତୀ ମୃତ୍ୟୁ ପାଇଁ ସେସୁ ଦାୟୀ

ଭୁବନେଶ୍ବର ()  ଢ଼େଙ୍କାନାଳରେ ବିଦ୍ୟୁତ କରେଣ୍ଟ ଲାଗି ୭ଟି ହାତୀ ମୃତ୍ୟୁ ପାଇଁ ସେସୁକୁ ଦାୟୀ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । ସେ କହିଛନ୍ତି ଯେ, ‘ହାତୀ ମୃତ୍ୟୁ ପାଇଁ ସେସୁ ହିଁ ଦାୟୀ’  । କାରଣ ୧୧ କେ.ଭି ବିଦ୍ୟୁତ୍ ତାର ଝୁଲିଥିବା କଥା ବାରମ୍ବାର ସେସୁ କର୍ତ୍ତୁପକ୍ଷଙ୍କୁ ଜଣାଯାଇଥିଲା । କିନ୍ତୁ ସେସୁ ଏହାର କୌଣସି ପ୍ରତିକାର କରିନାହାନ୍ତି । ଯାହାର ପରିଣାମ ନୀରିହ ହାତୀଙ୍କୁ ଭୋଗିବାକୁ ପଡ଼ିଛି ଏବଂ ଏହା ହାତୀଙ୍କ ଜୀବନ ପ୍ରତି ସେସୁର ଦାୟିତ୍ବବୋଧ ନଥିବା ଦର୍ଶାଉଛି । ଆବଶ୍ୟକ ପଡ଼ିଲେ ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ଅବଗତ କରାଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି।

ବନ ବିଭାଗ ମଧ୍ୟ ସେସୁକୁ ଦାୟୀ କରିଛନ୍ତି । ବନ ବିଭାଗକୁ ବାରମ୍ବାର କହିବା ପରେ ମଧ୍ୟ ସେମାନଙ୍କ ଅବହେଳା ଯୋଗୁଁ ଏଭଳି ଘଟିଛି ବୋଲି କହିଛନ୍ତି ପିସିସିଏଫ୍ । ତେବେ ଶକ୍ତି ସଚିବ ହେମନ୍ତ ଶର୍ମା ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । କେଉଁ କାରଣରୁ ଏଭଳି ଘଟିଛି ତାହାର ରିପୋର୍ଟ ତଦନ୍ତ ଶେଷ ପରେ ଜଣାପଡ଼ିବ । ଏବଂ ରିପୋର୍ଟ ଆସିବା ପରେ ହିଁ କାର୍ଯ୍ୟାନୁଷ୍ଠାନ ହେବ  ।

ଢେଙ୍କାନାଳର ସଦର ରେଞ୍ଜ ଅନ୍ତର୍ଗତ କମଳାଙ୍ଗରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୭ଟି ହାତୀର ଆଜି ଭୋରରୁ ମୃତ୍ୟୁ ହୋଇଛି  । ମୃତ ହାତୀ ଗୁଡିକ ନାଳରେ ପଡିଥିବା ଦେଖିବାକୁ ମିଳିଛି । ମୃତ୍ୟୁବରଣ କରିଥିବା ୭ଟି ହାତୀ ପଲରେ ୧୩ଟି ହାତୀ ଥିବା ବେଳେ ସେମଧ୍ୟରୁ ୭ଟି ହାତୀଙ୍କ ମୃତ୍ୟୁ ହୋଇଛି । ଢେଙ୍କାନାଳ ସଦର ରେଞ୍ଜ କମଳାଙ୍ଗ ଗାଁ ନିକଟରେ ରେଲୱେ ଟ୍ରାକ ପାଇଁ ବିଦ୍ୟୁତ ତାର ଟଣାଯାଇଥିଲା । ତେବେ ଗତକାଲି ରାତିରେ ହାତୀ  ଜଙ୍ଗଲ ମଧ୍ୟରେ ଥିବା ରେଲୱେ ଟ୍ରାକ ପାରି କରୁଥିବା ବେଳେ ଅଳ୍ପ ଉଚ୍ଚତାରେ  ଟଣାଯାଇଥିବା ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଛି ।

ଜଙ୍ଗଲ ମଧ୍ୟରେ ଯାଇଥିବା ରେଲୱେ ଟ୍ରାକ ପାଇଁ ପ୍ରତିବର୍ଷ ଅନେକ ହାତୀଙ୍କ ଜୀବନ ଚାଲିଯାଉଛି । କେତେବେଳେ ଟ୍ରେନ ସାମ୍ନାକୁ ଆସିବା କାରଣରୁ ହତୀଙ୍କ ମୃତ୍ୟୁ ହେଉଛି ତ ଆଉ କେତେବେଳେ ବିଦ୍ୟୁତ ତାରରେ ଲାଗି ମୃତ୍ୟୁ ହେଉଛି ।

Share

Leave a Reply

Your email address will not be published. Required fields are marked *

eleven − ten =