କାଳିଆକୁ କପି କରିଛି କେନ୍ଦ୍ର : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର ()  ରାଜ୍ୟ ସରକାରଙ୍କ ନିଜସ୍ବ ଲୋକାଭିମୁଖୀ ଯୋଜନା କାଳିଆକୁ କେନ୍ଦ୍ର ସରକାର କପି କରିଛନ୍ତି । ଏହି ଯୋଜନାକୁ ଜାତୀୟ ସ୍ତରରେ ଏବଂ ଅନ୍ୟ ରାଜ୍ୟମାନେ ମଧ୍ୟ ପ୍ରଶଂସା କରିଛନ୍ତି । ତେବେ କେନ୍ଦ୍ର ସରକାରଙ୍କ ଯୋଜନାରେ ଭାଗଚାଷୀ ଓ ଭୂମୀହୀନ ଚାଷୀଙ୍କ ପାଇଁ କୌଣସି ସହାୟତା ସୁବିଧା ନଥିବା ବେଳେ ରାଜ୍ୟ ସରକାରଙ୍କ ଯୋଜନାରେ ଋଣ ନେଇଥିବା ଚାଷୀ, ଭାଗଚାଷୀ ଏବଂ ଭୂମୀହୀନ କୃଷି ଶ୍ରମିକଙ୍କୁ ମଧ୍ୟ ସାମିଲ କରାଯାଇଛି । ଏହି ଯୋଜନା ଜାତୀୟ ସ୍ତରରେ ଏକକ ଯୋଜନା ହୋଇଥିବା ବେଳେ ଏହାଦ୍ବାରା ରାଜ୍ୟର 93 ପ୍ରତିଶତ ଚାଷୀ ଓ ଚାଷ କାର୍ଯ୍ୟରେ ନିଯୋଜିତ ଶ୍ରମିକ ଉପକୃତ ହେବେ ।

ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନାର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହା କହିଛନ୍ତି । ସେ କହିଛନ୍ତି ଯେ, ଓଡିଶା ବିଶ୍ବସ୍ତରୀୟ ମାନଦଣ୍ଡ ସହ ଦେଶର ଏକ ପ୍ରମୁଖ ପ୍ରଗତିଶୀଳ ରାଜ୍ୟର ମାନ୍ୟତା ପାଇଛି । ରାଜ୍ୟର ଅର୍ଥନୈତିକ ସ୍ଥିତିରେ ସୁଧାର ଆସିବା ସହ ଅଭିବୃଦ୍ଧି ହାର ବି ବଢୁଛି । ଏକଦା ଚାଉଳ ପାଇଁ କେନ୍ଦ୍ର ଉପରେ ନିର୍ଭର କରୁଥିବା ଓଡିଶା ଆଜି ଅନ୍ୟ ରାଜ୍ୟର ଖାଦ୍ୟ ସମସ୍ୟା ଦୂର କରିବାକୁ ସକ୍ଷମ ହୋଇଛି ।

2014 ନିର୍ବାଚନ ଇସ୍ତାହାରରେ ବିଜେଡି ଅତିରିକ୍ତ 10 ଲକ୍ଷ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ଯୋଗା ଦେବାକୁ ପ୍ରତିଶୃତି ଦେଇଥିଲା । ଏହି ଲକ୍ଷ ହାସଲ ଦିଗରେ ସରକାର ଦ୍ରୁତ ଗତିରେ ଅଗ୍ରସର ହେଉଥିବା ବେଳେ 2019 ଏପ୍ରିଲ ସୁଦ୍ଧା ଲକ୍ଷ୍ୟ ହାସଲ ହେବ ବୋଲି ସେ କହିଛନ୍ତି । 2018 ଅକ୍ଟୋବର ଦୁଇ ତାରିଖରୁ ରାଜ୍ୟର ନିଜସ୍ବ ଖାଦ୍ୟ ସୁରକ୍ଷା ଆଇନ ଲାଗୁ ହୋଇଛି । ଏହାଦ୍ବାରା ଜାତୀୟ ଖାଦ୍ୟ ସୁରକ୍ଷା ଆଇନରୁ ବଂଚିତ ହୋଇଥିବା ପ୍ରାୟ 23 ଲକ୍ଷ ହିତାଧିକାରୀ ଉପକୃତ ହେଉଛନ୍ତି । ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ସରକାର ସାଧାରଣ ଗ୍ରାମବାସୀଙ୍କୁ ବିକାଶ ପ୍ରକ୍ରିୟାରେ ସାମିଲ କରିବା ସହ ଗ୍ରାମବାସୀଙ୍କ ପ୍ରସ୍ତାବ ଆଧାରରେ ସରକାର 62ହଜାର 857ଟି ପ୍ରକଳ୍ପକୁ ମଂଜୁରୀ ଦେଇଛନ୍ତି ।

ସରକାରୀ ଯୋଜନା ବାବଦରେ ସାଧାରଣ ଲୋକଙ୍କୁ ସଚେତନ କରିବା ସହ ଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ଯୋଜନାରେ ସାମିଲ କରିବା ପାଇଁ ଆରମ୍ଭ ହୋଇଛି ପିଠା କାର୍ଯ୍ୟକ୍ରମ । ମହିଳା ସଶକ୍ତିକରଣରେ ସରକାର 70 ଲକ୍ଷ ମହିଳାଙ୍କୁ ସାମିଲ କରିଛନ୍ତି । ଏପରିକି ମହିଳାଙ୍କୁ ଡିଜିଟାଲ ସଶକ୍ତିକରଣ ପାଇଁ ସରକାର ସେମାନଙ୍କୁ ସହୟତା ଦେବା ସହ ମହିଳା ସ୍ବୟଂ ସହାୟକ ଗୋଷ୍ଠିକୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ସେହିଭଳି ମଧୁବାବୁ ପେନସନ ଯୋଜନାରେ 5 ଲକ୍ଷ ନୂଆ ହିତାଧିକାରୀ ସାମିଲ ହୋଇଥିବା ବେଳେ ମୋଟ 48 ଲକ୍ଷ ଲୋକଙ୍କୁ ମାସିକ 500 ଓ 700 ଟଙ୍କା ଭତ୍ତା ପ୍ରଦାନ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଶିଳ୍ପ କ୍ଷେତ୍ରରେ 2018 ମେକ ଇନ ଓଡିଶା କନକ୍ଲେଭ ଏକ ବିରାଟ ସଫଳତା ଆଣିଛି । ଏହି କନକ୍ଲେଭ ଜରିଆରେ 4.20 ଲକ୍ଷ କୋଟି ଟଙ୍କାର ପୁଂଜିନିବେଶ ପ୍ରସ୍ତାବ ଆସିଥିବା ବେଳେ ଏହାଦ୍ବାରା 5 ଲକ୍ଷ 91ହଜାର ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଷ୍ଟାର୍ଟ ଅପ କ୍ଷେତ୍ରରେ ମଧ୍ୟ ଓଡିଶା ସର୍ବୋତ୍କୃଷ୍ଟ ପ୍ରଦର୍ଶନକାରୀ ରାଜ୍ୟର ମାନ୍ୟତା ପାଇଛି । ଦକ୍ଷତା ବିକାଶ ପାଇଁ ସିଙ୍ଗାପୁରର ଏକ କମ୍ପାନୀ ସହ ରାଜ୍ୟ ସରକାର ଚୁକ୍ତି କରିଛନ୍ତି । ଏହି ସଂସ୍ଥା ଜରିଆରେ ଯୁବକ ଯୁବତୀଙ୍କୁ ବିଶ୍ବସ୍ତରୀୟ ବୈଷୟିକ ତାଲିମ ଦିଆଯିବ । ରାଜ୍ୟ ସରକାର ସବୁବେଳେ ବିଶ୍ବପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ବିକାଶ ପାଇଁ ଚେଷ୍ଟା କରୁଛନ୍ତି ବୋଲି ସେ କହିଛନ୍ତି ।

ଭୁବନେଶ୍ବରରେ ବିଶ୍ବକପ ହକିର ସଫଳ ଆୟୋଜନା ପରେ ରାଜ୍ୟ ସରକାର ବିଶ୍ବ ଦରବାରରେ ନିଜର ଦକ୍ଷତାର ପରିଚୟ ଦେଇଛି । ରାଜ୍ୟରେ କ୍ରିଡା କ୍ଷେତ୍ରର ବିକାଶ ପାଇଁ ଆଥଲେଟିକ, ସନ୍ତରଣ, ସୁଟିଂ, ଫୁଟବଲ, ହକି, ବ୍ୟାଡମିଣ୍ଟନ ଓ ଭାରଉତ୍ତୋଳନ ପାଇଁ ମଧ୍ୟ ବିଶ୍ବସ୍ତରୀୟ ସୁଯୋଗ ସୃଷ୍ଟି କରିବାକୁ ଯୋଜନା କରିଛନ୍ତି । ସ୍ବଚ୍ଛତା ସହ ରାଜ୍ୟ ସରକାର ସବୁବେଳେ ବିକାଶ ପ୍ରକ୍ରିୟାରେ ସାଧାରଣ ଲୋକଙ୍କୁ ଯୋଡିବାକୁ ଚେଷ୍ଟା କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

16 + thirteen =