ପହଁଚିଲେ କେନ୍ଦ୍ରୀୟ ଟିମ୍, କାଲିଠୁ କ୍ଷେତ୍ର ପରିଦର୍ଶନ

ଭୁବନେଶ୍ୱର (): ଗତ ୩ ତାରିଖରେ ଓଡ଼ିଶାକୁ ଧ୍ୱସ୍ତବିଧ୍ୱସ୍ତ କରିଥିବା ବାତ୍ୟା ଫନିର କ୍ଷୟକ୍ଷତି ଆକଳନ ପାଇଁ ଆଜି ଭୁବନେଶ୍ୱରରେ ପହଁଚିଛନ୍ତି କେନ୍ଦ୍ରୀୟ ଟିମ୍ । ଗୃହ ବିଭାଗର ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ଏହି ଟିମ୍ ଭୁବନେଶ୍ୱରରେ ପହଁଚିଛନ୍ତି । ଆସନ୍ତାକାଲିଠାରୁ ଦୁଇ ଦିନ ଧରି ଏହି ଟିମ୍ ସବୁୂଠାରୁ ଅଧିକ କ୍ଷତିଗ୍ରସ୍ତ ପୁରୀ, ଭୁବନେଶ୍ୱର, ଖୋର୍ଦ୍ଧାର ଅର୍ଦ୍ଧାଧିକ ଅଞ୍ଚଳ ଓ କଟକ ପରିଦର୍ଶନ କରିବେ ।

ଆଜି ବିଳମ୍ବିତ ସଂଧ୍ୟାରେ ଏହି ଟିମ୍ ଭୁବନେଶ୍ୱରରେ ପହଁଚିଛନ୍ତି । ଆସନ୍ତାକାଲି ଏହି ଟିମ୍ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସହ ଆଲୋଚନା ପରେ ଦୁଇ ଭାଗରେ ବିଭକ୍ତ ହୋଇ କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଭିନ୍ନ ଭିନ୍ନ ଅଞ୍ଚଳ ଗସ୍ତ କରିବେ । ଆସନ୍ତାକାଲି ଗୋଟିଏ ଟିମ୍ ପୁରୀ ଯିବେ । ଅନ୍ୟ ଏକ ଟିମ୍ ଖୋର୍ଦ୍ଧା ଜିଲ୍ଲାର କ୍ଷୟକ୍ଷତି ଆକଳନ କରିବେ । ଟିମ୍ ଏ’ ୧୪ ତାରିଖରେ ପୁରୀ ଅନୁଧ୍ୟାନ ପରେ କଟକ ଗସ୍ତ କରିବେ । ଟିମ୍ ବି’ ସେହିଭଳି ଭାବେ ପୁରୀ ପରେ ଭୁବନେଶ୍ୱରର କ୍ଷୟକ୍ଷତି ଆକଳନ କରିବେ । ୧୫ ତାରିଖ ପୂର୍ବାହ୍ନ ୧୧ ଟାରେ ଏହି ଟିମ୍ ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ କ୍ଷୟକ୍ଷତି ଓ ରିଲିଫ ତଥା ପୁନର୍ଗଠନ କାର୍ଯ୍ୟର ସମୀକ୍ଷା କରି ଦିଲ୍ଲୀ ଫେରିଯିବେ ।

ଟିମ୍ ଏ’ରେ ବିବେକ ଭରଦ୍ୱାଜଙ୍କ ସହ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟର ମୁଖ୍ୟଯନ୍ତ୍ରୀ ବିବେକ ଗୋଏଲ, କୃଷି, ସମବାୟ ଓ କୃଷକ ବିକାଶ ବିଭାଗର ମୁଖ୍ୟ ନାରିକେଳ ଉନ୍ନୟନ ଅଧିକାରୀ ସମରେନ୍ଦୁ ଦାସ, ଗୃହ ଓ ନଗର ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ରାକେଶ କୁମାର ସାମି, କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଯୁଗ୍ମ ନିର୍ଦ୍ଦେଶକ ସୂରଜ କୁମାର ପ୍ରଧାନ ସଦସ୍ୟ ଭାବେ ଗସ୍ତ କରିବେ । ସେହିଭଳି ଟିମ୍ ବି’ରେ କେନ୍ଦ୍ର ପାନୀୟ ଜଳ ଓ ପରିମଳ ମନ୍ତ୍ରଣାଳୟର ନିର୍ଦ୍ଦେଶକ ଅଜୟ କୁମାର, କେନ୍ଦ୍ର ଜଳସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଅମ୍ରିସପାଲ୍ ସିଂ, ବିହାର କୃଷି ଓ ସମବାୟ ବିଭାଗର ନିର୍ଦ୍ଦେଶକ ବିରେନ୍ଦ୍ର ସିଂ, ରାଜ୍ୟ ସଡକ ପରିବହନ ଓ ଜାତୀୟରାଜପଥ ଆଞ୍ଚଳିକ ଅଧିକାରୀ ରାକେଶ କୁମାର, କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗର ଉପ ସଚିବ ଏସ୍ ଏସ ମୋଦି, କେନ୍ଦ୍ର ମତ୍ସ୍ୟ ସମ୍ପଦ ବିଭାଗର ସହକାରୀ କମିଶନର ଏସ୍ କେ ରଥ ସଦସ୍ୟ ଭାବେ ଅଛନ୍ତି । ଏହି ଆନ୍ତଃବିଭାଗୀୟ ଟିମ୍ ଆସନ୍ତା ୧୩ ରୁ ୧୫ ତିନି ଦିନ ଧରି ବିଭିନ୍ନ ଅଞ୍ଚଳ ଗସ୍ତ କରି ଦିଲ୍ଲୀ ଫେରିଯିବେ ।

Share

Leave a Reply

Your email address will not be published. Required fields are marked *

four + eighteen =