ବାତ୍ୟା ମୁକାବିଲାରେ ଓଡିଶାକୁ କେନ୍ଦ୍ରୀୟ ଟିମର ପ୍ରଶଂସା

ଭୁବନେଶ୍ବର () ରାଜ୍ୟ ସରକାରଙ୍କୁ ପୁଣି ଥରେ କେନ୍ଦ୍ରର ପ୍ରଶଂସା । ବାତ୍ୟା ଫୋନି ମୁକାବିଲାରେ ଓଡିଶା ସରକାର ସଫଳ ହୋଇଛନ୍ତି। ପ୍ରାକ ପ୍ରସ୍ତୁତିଠାରୁ ଆରମ୍ଭ କରି ବାତ୍ୟା ପରବର୍ତ୍ତୀ ପ୍ରସ୍ତୁତି ସବୁଥିରେ ସରକାର ଭଲ କାମ କରିଛନ୍ତି। ତିନି ଦିନ ଧରି ବିଭିନ୍ନ ଜିଲ୍ଲା ଗସ୍ତ କରି ସ୍ଥିତି ଅନୁଧ୍ୟାନ କରି ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରିବା ପରେ ଏଭଳି ସାର୍ଟିଫିକେଟ ଦେଇଛି କେନ୍ଦ୍ରୀୟ ଆନ୍ତଃବିଭାଗୀୟ ଟିମ।

ବାତ୍ୟା ପ୍ରଭାବିତ ଅଂଚଳରେ ସମସ୍ତଙ୍କୁ ରିଲିଫ ମିଳିଛି। ରହିବାକୁ ପଲିଥିନ ଦିଆଯାଇଛି। ସହାୟତା ରାଶି ବି ଦିଆଯାଇଛି। କେନ୍ଦ୍ର ଗୃହ ବିଭାଗ ଅତିରିକ୍ତ ସଚିବ ବିବେକ ଭରଦ୍ବାଜଙ୍କ ଅଧ୍ୟକ୍ଷତାରେ ଆସିଥିବା ଏହି ଟିମ ରାଜଧାନୀ ଭୁବନେଶ୍ବର ସମେତ ପୁରୀ, କଟକ ଓ ଖୋର୍ଦ୍ଧାର ବିଭିନ୍ନ କ୍ଷତିଗ୍ରସ୍ତ ଅଂଚଳ ବୁଲି ଦେଖିଥିଲେ। ବାତ୍ୟା ସ୍ଥିତି ଅନୁଧ୍ୟାନ କରିବା ପରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରୀୟ ଟିମ। ଖୁବଶୀଘ୍ର ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯିବ ବୋଲି କହିଛନ୍ତି ବିବେକ ଭରଦ୍ବାଜ। ପ୍ରଥମ ଥର ପାଇଁ ବିପର୍ଯ୍ୟୟ ହେବାର ମାତ୍ର 10 ଦିନ ଭିତରେ କେନ୍ଦ୍ର ସରକାର ଏକ ବଡ ଟିମ ପଠାଇଛନ୍ତି ଏବଂ ଏକ୍ଷେତ୍ରରେ ଉଭୟ କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ କାର୍ଯ୍ୟ କରିଛନ୍ତି ।

ଏହାରି ଭିତରେ ଓଡିଶା ସରକାର 12 ହଜାର କୋଟି ଟଙ୍କାର ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ କେନ୍ଦ୍ରୀୟ ଟିମ କୁ ପ୍ରଦାନ କରିଛନ୍ତି। ମାସକ ମଧ୍ୟରେ ଚୁଡାନ୍ତ ରିପୋର୍ଟ କେନ୍ଦ୍ରକୁ ପଠାଯିବ ବୋଲି କହିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର। ଯେହେତୁ ଓଡିଶା ଅନେକ ସମୟରେ ବାତ୍ୟା ସମନା କରୁଛି ତେଣୁ ଏକ ଦୀର୍ଘସୂତ୍ରୀ ଖସଡ଼ା ପ୍ରସ୍ତୁତ କରିବାକୁ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି। ସେହିପରି ହାଇ ଟ୍ରାନ୍ସମିଶନ ବିଦ୍ୟୁତ ଲାଇନ ଓ କୁକୁଡ଼ା ଚାଷୀଙ୍କୁ ଅଧିକ ପ୍ରୋତ୍ସାହନ ରାଶି ଦେବାକୁ  ନିୟମରେ କୋହଳ କରିବାକୁ ଓଡିଶା କହିଛି।

ଏହାପୂର୍ବରୁ ଆଜି ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳର କ୍ଷୟକ୍ଷତି ବୁଲି ଦେଖିଛନ୍ତି କେନ୍ଦ୍ରୀୟ ଟିମ। ପ୍ରଥମେ କଳିଙ୍ଗ ଷ୍ଟାଡିଅମ ଯାଇ ବାତ୍ୟାରେ ପ୍ରଭାବିତ ସ୍ଥାନ ବୁଲି ଦେଖିଥିଲା ଟିମ। ତା ପରେ କଳିଙ୍ଗ ନଗରରେ ବିଭିନ୍ନ ବାତ୍ୟା ପ୍ରଭାବିତ ସ୍ଥାନ ଓ ବିଏମସି ୱାର୍ଡ ନଂ ୩୧ ରସୁଲଗଡ଼ ସ୍ଥିତ କଲରାପୁଟ ବସ୍ତିରେ ଲୋକଙ୍କ ସହ ବାତ୍ୟାରେ କ୍ଷୟକ୍ଷତି ତଥା ପରବର୍ତ୍ତି ରିଲିଫ ବଣ୍ଟନ ନେଇ ଆଲୋଚନା କରିଥିଲେ। ଏହି ଟିମ ମୁଖ୍ୟତଃ ବାତ୍ୟାରେ ପ୍ରଭାବିତ ହୋଇଥିବା ଗୃହ, ବିଦ୍ୟୁତ ସରବରାହ, ପାନୀୟ ଜଳ ଯୋଗାଣ, କଳିଙ୍ଗ ଷ୍ଟାଡିଅମର କ୍ଷୟକ୍ଷତିର ଆକଳନ କରିଛନ୍ତି।

Share

Leave a Reply

Your email address will not be published. Required fields are marked *

3 × 4 =