ରାଜଧାନୀ ହେବ ପ୍ଲାଷ୍ଟିକ ବର୍ଯ୍ୟ ମୁକ୍ତ

ଭୁବନେଶ୍ୱର (): ଏକ ସ୍ୱତନ୍ତ୍ର ସହଭାଗିତା ଭିତ୍ତିରେ ବିଏମ୍ସି, ୟୁଏନ୍ଡିପି ଏବଂ ହିନ୍ଦୁସ୍ତାନ କୋକାକୋଲା ବେଭରେଜ ମଧ୍ୟରେ ସ୍ୱାକ୍ଷରିତ ହୋଇଛି ରାଜିନାମା । ଭୁବନେଶ୍ୱରରେ ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନାର ଦୀର୍ଘସ୍ଥାୟୀ ସମାଧାନ ପାଇଁ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି ।
ଏହି ସହଭାଗିତା ପ୍ରକଳ୍ପଟି ସୈନିକ ସ୍କୁଲ ନିକଟରେ ୬ହଜାର ବର୍ଗଫୁଟ ସ୍ଥାନରେ କରାଯାଇ ସ୍ୱଚ୍ଛତା କେନ୍ଦ୍ରର ପରିଚୟନର ପ୍ରାଥମିକ ଭାବେ ଏଥିରେ ୧୦ଟି ୱାର୍ଡକୁ ସାମିଲ କରାଯିବ । ଏହି ପ୍ରକଳ୍ପରେ ସ୍ୱଚ୍ଛତା କେନ୍ଦ୍ର ମାଧ୍ୟମରେ ବିଭିନ୍ନ ବର୍ଗର ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନା କରାଯିବ । ଦୈନିକ ୫ମେଟ୍ରିକ ଟନ୍ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ ଏବଂ ପରିଚାଳନା ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଏହି ପ୍ରକଳ୍ପରେ ୧୦ଟନ୍ ବର୍ଜ୍ୟ ପରିଚାଳନାର କ୍ଷମତା ରହିବ । ସ୍ୱଚ୍ଛତା କେନ୍ଦ୍ର ପ୍ରକଳ୍ପକୁ ୪ବର୍ଷ ପୂରଣ ହେବାବେଳକୁ ଏହାର ସୁପରିଚାଳନା ଦ୍ୱାରା ସଂଗ୍ରହ, ପୃଥକୀକରଣ ଦ୍ୱାରା ଅନ୍ୟୁନ ୬୮୦୦ ଟନ୍ର ପ୍ଲାଷ୍ଟିକ ଦ୍ରବ୍ୟ ପରିଚାଳନା ଲକ୍ଷ୍ୟ ରହିଛି । ଏହାଦ୍ୱାରା ଭାରତ ସରକାରଙ୍କ ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନା ନିୟମ ୨୦୧୬ ଅନୁଯାୟୀ ବର୍ଜ୍ୟ ସଂଗ୍ରହକାରୀ ବା ସ୍ୱଚ୍ଛ ସାଥୀଙ୍କ ସାମାଜିକ ଓ ଆର୍ଥିକ ବିକାଶ ଏବଂ ସେମାନଙ୍କ ସ୍ଥିତିରେ ଉନ୍ନତି ଆଣି ୭୦୦ ସ୍ୱଚ୍ଛସାଥୀ ଉପକୃତ ହୋଇପାରିବେ ।
ସମୁଦାୟ ୬ବର୍ଷ ପାଇଁ ସ୍ୱାକ୍ଷରିତ ହୋଇଥିବା ପ୍ରକଳ୍ପରେ ୟୁଏନ୍ଡିପି ଭୂମିକା ପ୍ରଥମ ପର୍ଯ୍ୟାୟରେ ୪ବର୍ଷ ପାଇଁ ରହିବ । ଏଥିରେ ସିଧାସଳଖ ପ୍ରକଳ୍ପ ରୂପାୟନରେ ୟୁଏନ୍ଡିପି ଅନୁଦାନ ଯୋଗାଇ ଦେବ । ପରବର୍ତ୍ତୀ ପର୍ଯ୍ୟାୟରେ ଦୁଇବର୍ଷରେ ପ୍ରକଳ୍ପ ରୂପାୟନରୁ ଦୂରେଇ ପ୍ରକଳ୍ପର କାୟାବିସ୍ତାର ଏବଂ ସଫଳତା କିଭଳି ଭୁବନେଶ୍ୱରର ସମସ୍ତ ଅଞ୍ଚଳକୁ ସମ୍ପ୍ରସାରିତ ହେବ ସେଥିପାଇଁ ବାଟ ବତାଇବ । ବିଏମ୍ସି ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସହଯୋଗରେ ୫୦ ମାଇକ୍ରୋନ୍ ତଳକୁ ଥିବା ପ୍ଲାଷ୍ଟିକ ଦ୍ରବ୍ୟକୁ ରାସ୍ତାନିର୍ମାଣ ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ବିନିଯୋଗ କରିବାକୁ ଚେଷ୍ଟା କରାଯିବ । ଏହାବ୍ୟତୀତ ବିଭିନ୍ନ ସିମେଣ୍ଟ କାରଖାନା ଏବଂ ପାୱାର ପ୍ଲାଣ୍ଟ ସହ ଯୋଗାଯୋଗ କରି ପ୍ଲାଷ୍ଟିକକୁ ବିକଳ୍ପ ଜାଳେଣୀ ଭାବେ ବ୍ୟବହାର କରିବାର ପ୍ରକ୍ରିୟା ଜାରି ରହିବ ।
Share

Leave a Reply

Your email address will not be published. Required fields are marked *

twelve − 6 =