ଆର୍ଥିକ ପରିଚାଳନା ନେଇ ସିଏଜି ଉଠାଇଲେ ପ୍ରଶ୍ନ

ମାର୍ଚ୍ଚ ୨୦୧୮ରେ ଶେଷ ହୋଇଥିବା ଆର୍ଥିକ ବର୍ଷ ପାଇଁ ସିଏଜି ରିପୋର୍ଟ ଗୃହରେ ଉପସ୍ଥାପନ ହୋଇଛି। ଯଦିଓ ରାଜସ୍ୱ ସଂଗ୍ରହ ଓ ଟିକସ ହାର ନେଇ ରିପୋର୍ଟ ସନ୍ତୋଷ ଜନକ ରହିଛି ତେବେ ୮୩୬ ଜଣ ବ୍ୟକ୍ତିଗତ ଜମା ଖାତାରେ ୧୩୫୦୯ କୋଟି ଟଙ୍କା ଖର୍ଚ୍ଚ ହୋଇ ନପାରି ପଡ଼ି ରହିଥିଲା।

ଓଡିଶା ମିନେରଲ ବିୟରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନର ବ୍ୟକ୍ତିଗତ ଜମା ଖାତାରେ ୧୧୫୩୮ କୋଟି ଟଙ୍କା ପଡି ରହିଥିଲା। ଆଦିବାସୀ ଜିଲ୍ଲାର ବିକାଶ ପାଇଁ ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶ କ୍ରମେ ଏହା ଗଠନ କରାଯାଇଥିଲା। ସେହି ଅନୁସାରେ ଟଙ୍କା ଖର୍ଚ୍ଚ ପାଇଁ ଉଦ୍ଦିଷ୍ଟ ଥିଲା। ସିଏଜି ଅର୍ଥ ବିଭାଗକୁ ପରାମର୍ଶ ଦେଇଛନ୍ତି, ବିଭାଗ ଏହାର ସମୀକ୍ଷା କରୁ। ଏକତ୍ରିତ ପାଣ୍ଠିକୁ ପଠାଯାଉ। ବିତ୍ତୀୟ ନିୟମକୁ ଦୋହରାନ୍ତୁ। ଯେଉଁ ଅଧିକାରୀ ପାଳନ କରି ନାହାନ୍ତି ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବାକୁ ସୁପାରିଶ କରିଛନ୍ତି ସିଏଜି।

ୟୁସି ଦେବାରେ ପଛରେ
୨୦୧୭-୧୮ ବର୍ଷରେ ୨୧୭୮୦ କୋଟି ଟଙ୍କା ଅନୁଦାନ ଦେଇଥିଲେ ସରକାର। ହେଲେ ଏହାର ୭୫ ପ୍ରତିଶତ ଅର୍ଥାତ ୧୬, ୩୯୧ କୋଟି ଟଙ୍କାର ପ୍ରମାଣ ପତ୍ର ଦେଇଲରିନଥିଲେ। ୩୫ଟି ବିଭାଗର ମୋଟ ୩୮, ୪୨୭ କୋଟି ଟଙ୍କାର ୟୁସି ୨୦୧୮ ମାର୍ଚ୍ଚ ସୁଦ୍ଧା ବକେୟା ରହିଛି।

ଆକଷ୍ମିକ ବିଲରେ ବକେୟା
ଆକସ୍ମିକ ବିଲ ପୈଠ କ୍ଷେତ୍ରରେ ସରକାର ନିୟମ ଉଲଂଘନ କରିଛନ୍ତି। ୨୦୧୭-୧୮ ଆର୍ଥିକ ବର୍ଷରେ ସରକାର ୧୬ଟି ବିଭାଗାର ୭୬୪ ଆକଷ୍ମିକ ବିଲ ବାବଡ଼କୁ ୧୭.୬୩ କୋଟି ଟଙ୍କା ଉଠାଇଥିଲେ। ଏଥିରୁ ମାତ୍ର ୩ କୋଟି ଟଙ୍କାର ବିଲ ଉପସ୍ଥାପନ କରିଛନ୍ତି। ବାକି ୧୨ ଟି ବିଭାଗର ୧୪ କୋଟି ଟଙ୍କାର ବିଲ ଉପସ୍ଥାପନ କରା ଯାଇ ନାହିଁ। ଯାହାକି ତୋଷରପାଟ ହୋଇଥିବା ସନ୍ଦେହ କରିଛନ୍ତି ସିଏଜି।

ଅନୁଦାନ ଫେରସ୍ତ
ଅନୁଦାନ ଅର୍ଥ ଖର୍ଚ୍ଚ କରିବାରେ ସରକାର ବିଫଳ। ୨୦୧୭-୧୮ ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ୯ଟି ବିଭାଗର ୮ ହଜାର ୩୧୨ କୋଟି ୧୭ ଲକ୍ଷ ଟଙ୍କା ଫେରସ୍ତ କରିଛନ୍ତି। ୧୭ଟି ଅନୁଦାନରେ ଅର୍ଥ ଶତ ପ୍ରତିଶତ ଖର୍ଚ୍ଚ ହୋଇ ପାରି ନାହିଁ। ବିଭିନ ଯୋଜନା ବାବଡ଼କୁ ଦିଆନାଇଥିଲା ଅନୁଦାନ। ସେହିପରି ୨୦୧୫-୧୬ ରେ ୨୧ଟି ଯୋଜନାର ୨୭୩୧ କୋଟି ଟଙ୍କା, ଓ ୨୦୧୬-୧୭ରେ ୧୭୮୮ କୋଟି ଟଙ୍କା ଅନୁଦାନ ଫେରସ୍ତ ହୋଇଛି।

ରାଜ୍ୟ ଆଳୁ ମିଶନ ଫେଲ
ଆଳୁ ମିଶନର ବିଫଳତାକୁ ନେଇ ସିଏଜି ପ୍ରଶ୍ନ କରିଛନ୍ତି। ୨୦୧୫ ୧୬ରେ ଏହି ମିଶନ ଆରମ୍ଭ ହୋଇଥିଲା। ୫୦ କୋଟି ଟଙ୍କାର ବଜେଟ ପ୍ରସ୍ତୁତ ହୋଇଥିଲା। ୨୦୧୭ ୧୮ ସୁଧା ଆଳୁ ଉତ୍ପାଦନ ସ୍ୱାବଲମ୍ବୀ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଲକ୍ଷ ପୂରଣରେ ବିଭାଗ ଫେଲ ମାରି ୪୮.୧୦% ଅର୍ଥ ଖର୍ଚ୍ଚ କରିଛି। ୫୫ଟି ଶୀତଳ ଭଣ୍ଡାର ପ୍ରତିଷ୍ଠା ଲକ୍ଷ୍ୟ ଥିବା ବେଳେ ମାତ୍ର ୨୩ଟି ପ୍ରତିଷ୍ଠା ହୋଇଛି। ରାଜ୍ୟ ସରକାର ମଧ୍ୟ ଏହି ବିଫଳତାକୁ ଗ୍ରହଣ କରିଛନ୍ତି।

ଜାତୀୟ ଖାଦ୍ୟ ସୁରକ୍ଷା ମିଶନରେ କେନ୍ଦ୍ରୀୟ ଅନୁଦାନ ନମିଳିବାରୁ ରାଜ୍ୟ ନିଜ ଭାଗ ଅର୍ଥ ଖର୍ଚ୍ଚ କରିପାରି ନାହିଁ। ୧୪୫ କୋଟି ୫୧ ଲକ୍ଷ ଟଙ୍କା ଖର୍ଚ୍ଚ ଲକ୍ଷ୍ୟ ଥିବା ବେଳେ ମାତ୍ର ୯୧ କୋଟି ୬୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।

Share

Leave a Reply

Your email address will not be published. Required fields are marked *

16 − eight =