ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପାଇଁ ବ୍ୟବସାୟ ସୁଯୋଗ

ଭୁବନେଶ୍ବର () ଓଡିଶାର ବିକାଶ ଓ ରୂପାନ୍ତରଣରେ ମହିଳା ସଶକ୍ତିକରଣ ଏକ ପ୍ରମୁଖ ସ୍ତମ୍ଭ । ପରିବାର, ଗୋଷ୍ଠୀ ଏବଂ ରାଜ୍ୟର ବିକାଶ ଓ ପରିବର୍ତ୍ତନରେ ମହିଳାମାନଙ୍କର ଭୂମିକାକୁ ସ୍ବୀକୃତି ଦେଇ ରାଜ୍ୟ ସରକାର ବିଭିନ୍ନ ମହିଳା କେନ୍ଦ୍ରିକ ନୀତି ଓ କାର୍ଯ୍ୟକ୍ରମକୁ ଗୁରୁତ୍ବ ପ୍ରଦାନ କରିଛନ୍ତି । ମିଶନ ଶକ୍ତି – ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଆନ୍ଦୋଳନ ରାଜ୍ୟ ସରକାରଙ୍କ ଏକ ପ୍ରମୁଖ କାର୍ଯ୍ୟକ୍ରମ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 6 ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ 70 ଲକ୍ଷ ମହିଳା ମିଶନ ଶକ୍ତିରେ ସାମିଲ ହୋଇଛନ୍ତି । ସାରା ରାଜ୍ୟରେ ମହିଳା ସଶକ୍ତିରଣ ଦିଗରେ ଏହି ବିପ୍ଳବ ସୃଷ୍ଟିକାରୀ କାର୍ଯ୍ୟକ୍ରମକୁ ଆହୁରି ସୁଦୃଢ କରିବା ପାଇଁ ଆଜି କ୍ୟାବିନେଟରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ଏକ ଚିରସ୍ଥାୟୀ ରୋଜଗାରର ପନ୍ଥା ସୃଷ୍ଟି କରି ଦୀର୍ଘମିଆଦୀ ଜୀବିକା ପ୍ରଦାନ ପାଇଁ ମିଶନ ଶକ୍ତି ପ୍ରୟାସ କରୁଛି । ଓଡିଶା ସ୍ବୟଂ ସହାୟକ ଗୋଷ୍ଠୀ ମଡେଲର ସ୍ବତନ୍ତ୍ରତା ହେଉଛି ମହିଳା ଉଦ୍ୟୋଗୀମାନଙ୍କୁ ସରକାରୀ କାର୍ଯ୍ୟକ୍ରମ ସହିତ ସଂଯୋଗୀକରଣ କରିବା ।

ଏହାର ଏକ ଜ୍ବଳନ୍ତ ଉଦାହାରଣ ହେଉଛି ସାରା ରାଜ୍ୟରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ 72 ଲକ୍ଷ 587ଟି ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ଘରକୁ ନେବା ଶୁଖିଲା ଖାଦ୍ୟ ପ୍ରସ୍ତୁତ କରି ଯୋଗାଇଦେଉଛନ୍ତି । ସମନ୍ବିତ ଶିଶୁ ବକାଶ କାର୍ଯ୍ୟକ୍ରମ ଅଧୀନରେ 25 ଲକ୍ଷ 63 ହଜାର 952 ଜଣ ଗର୍ଭବତୀ ମହିଳା, ପ୍ରସୁତି, 6 ମାସରୁ 6 ବର୍ଷ ଅତିଶୟ ପୃଷ୍ଟିହୀନ ଶିଶୁଙ୍କୁ ଘରକୁ ନେବା ଶୁଖିଲା ଖାଦ୍ୟ ଯୋଗାଇଦିଆଯାଉଛି ।

ଆଜିର କ୍ୟାବିନେଟରେ 10ଟି ବିଭାଗରୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଏକ ହଜାର କୋଟି ଟଙ୍କାର ବ୍ୟବସାୟର ସୁଯୋଗ ପ୍ରଦାନ ନିମନ୍ତେ ନିଷ୍ପତ୍ତି ନିଆଯାଇଛି । ଏହି ବିଭାଗ ଗୁଡିକ ହେଲା ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି (ଅଙ୍ଗନୱାଡି କେନ୍ଦ୍ରକୁ ପ୍ରାକ ବିଦ୍ୟାଳୟ ୟୁନିଫର୍ମ ଯୋଗାଣ), ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ାଣ ବିଭାଗ (ଧାନ ସଂରକ୍ଷଣ, କିରୋସିନ ଡିଲସିପ), କୃଷି ଓ କୃଷକ ସଶକ୍ତିକରଣ (ମଂଜି ଉତ୍ପାଦନ), ବିଦ୍ୟାଳୟ ଓ ଗଣଶିକ୍ଷା (ମଧ୍ୟାହ୍ନ ଭୋଜନ ପରିଚାଳନା, ମାଣ୍ଡିଆ ଲଡୁ ଯୋଗାଣ), ମତ୍ସ୍ୟ ଓ ପ୍ରାଣୀ ସମ୍ବଳ (ଗ୍ରାମପଂଚାୟତ ପୋଖରୀରେ ମାଛ ଚାଷ), ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ (ହସପିଟାଲକୁ ଖାଦ୍ୟ ଯୋଗାଣ, ସାନିଟାରି ନ୍ୟାପକିନ, ମଶାରୀ ଯୋଗାଣ), ଗ୍ରାମ୍ୟ ଉନ୍ନୟନ (ଗ୍ରାମ୍ୟ ସଡକ ରକ୍ଷଣାବେକ୍ଷଣ) ଓ ଶକ୍ତି ବିଭାଗ (ଇଲେକ୍ଟ୍ରି ମିଟର ରିଡିଂ ଏବଂ ବିଲ ଆଦାୟ) ।

ସବିଶେଷ ବୁଝାମଣାପତ୍ର ଅନୁଯାୟୀ ନିର୍ଦ୍ଧିଷ୍ଟ ବିଭାଗ ଦ୍ବାରା ଏହା କାର୍ଯ୍ୟକାରୀ କରାଯିବ । ଆବଶ୍ୟକ ସ୍ଥଳେ ଯଥାର୍ଥ କୋହଳ ନୀତି, ତଦାରଖ ଏବଂ ନିୟମିତ ଦକ୍ଷତା ବୃଦ୍ଧି କରାଯିବ । ଏହି କାର୍ଯ୍ୟକ୍ରମ ସଫଳ ରୂପାୟନ ହେଲେ ଲକ୍ଷ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ସ୍ଥାୟୀ ରୋଜଗାର ସୃଷ୍ଟିର ମାଧ୍ୟମ ହୋଇପାରିବ ।

Share

Leave a Reply

Your email address will not be published. Required fields are marked *

four + nine =