ଦ୍ୱିତୀୟ ଐତିହ୍ୟ କ୍ୟାବିନେଟ ବୈଠକରେ ୭ ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ୱର() ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଐତିହ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଦ୍ୱିତୀୟ ଐତିହ୍ୟ କ୍ୟାବିନେଟ ବୈଠକରେ ୭ଗୋଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏନେଇ ରାଜ୍ୟ ସଂସ୍କୃତି ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ଓଡ଼ିଶା ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଏକ ସଂସ୍କୃତି ସମ୍ପର୍ଣ୍ଣ ପରିଚିତ ରାଜନୈତିକ ଆୟତ୍ତନା । ଭାରତ ସରକାର ୧୯୬୪ ମସିହାରେ ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ନୃତ୍ୟ ଓ ୨୦୧୪ ମସିହାରେ ଓଡ଼ିଆ ଭାଷାକୁ ଷଷ୍ଠତମ ଶାସ୍ତ୍ରୀୟ ଭାଷା ମାନ୍ୟତା ପ୍ରଦାନ କରିଛନ୍ତି । ଓଡ଼ିଶା ସରକାର ୨୦୦୮ ମସିହାରେ ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ସଂଗୀତର ମାନ୍ୟତା ପ୍ରଦାନ କରିଛନ୍ତି । ଓଡ଼ିଶାର ଏହି ପରମ୍ପରା ସଂଗୀତ, ଶୈଳ, ଶୈଳୀ ପୁରାତନ ଓ ଶାସ୍ତ୍ରାନୁସାରୀ । ଏହାର ଗାୟନ ପଦ୍ଧତି ମଧ୍ୟ ଭାରତର ଅନ୍ୟ ଶାସ୍ତ୍ରୀୟ ସଂଗୀତ ମଧ୍ୟରେ ସ୍ୱତନ୍ତ୍ର । ତେଣୁ, ଓଡ଼ିଶା ନୃତ୍ୟ ପରି ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ ନିମନ୍ତେ ପ୍ରସ୍ତାବ ଅନୁମୋଦନ ମିଳିଛି ।

ଓଡ଼ିଶାର ଐତିହ୍ୟ ଓ ଏହାର କୀର୍ତ୍ତିରାଜ, ପ୍ରାଚୀନ ମନ୍ଦିର, ସ୍ତୁପ ଓ ଭାସ୍କର୍ୟ୍ୟ ଗୁଡ଼ିକର ରକ୍ଷାଣବେକ୍ଷଣ ଓ ଅନ୍ୟ ସମସ୍ତ କାର୍ୟ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ସମ୍ପାଦିତ ହେଉଥିବାରୁ ପ୍ରତ୍ୟେକ କାର୍ୟ୍ୟର ଗୁଣବତ୍ତା, ଅନୁଶୀଳ ଓ ତଦାରଖ କାର୍ୟ୍ୟ ସଂସ୍କୃତି ନିର୍ଦ୍ଦେଶାଳୟର ଜଣେ ମାତ୍ର ନିର୍ଦ୍ଦେଶକଙ୍କ ଅଧୀନରେ ପରିଚାଳିତ ହେଉଛି । ଫଳରେ ପରିଚାଳନା ଅତ୍ୟନ୍ତ କଷ୍ଟସାଧ୍ୟ ହେଉଛି । ତେଣୁ, ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ସୁପରିଚାଳାନ ପାଇଁ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ ସହ ସ୍ୱତନ୍ତ୍ର ନିର୍ଦ୍ଦେଶକ ପଦବୀ ନିମନ୍ତେ ପ୍ରସ୍ତାବ ଅନୁମୋଦିତ ହୋଇଛି ।

ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଅଧିନରେ ୧୫ଗୋଟି ଗୁରୁତ୍ୱପୂର୍ଣ୍ଣ ଉପ ବିଭାଗ ସମେତ ରାଜ୍ୟର ସମସ୍ତ ଜିଲ୍ଲା ସଂଗ୍ରହାଳୟ ହେଉଛି । ରାଜ୍ୟ ସଂଗ୍ରହାଳୟରେ ଗଚ୍ଛିତ ଥିବା ପ୍ରାଚୀନ ସାମଗ୍ରୀ ବିଶ୍ୱରେ ଅନନ୍ୟ । ଏଗୁଡ଼ିକର ରକ୍ଷାଣବେକ୍ଷଣ ସମେତ ପ୍ରାଚୀନ ପୋଥିଗୁଡ଼ିକ ଡଜିଟାଇଜେସନ୍, ପଞ୍ଜିକରଣ, ସଂରକ୍ଷଣ ଓ ପ୍ରକାଶନ ଦିଗରେ କାର୍ୟ୍ୟ କରୁଛୁ । ଏତଦବ୍ୟତୀତ କଟକ ଆନନ୍ଦଭବନ, କେନ୍ଦୁବିଲି ସ୍ଥିତ ଜୟଦେବ ଭବନ ପରିଚାଳନା ଓ ରକ୍ଷାଣବେକ୍ଷଣ ରାଜ୍ୟ ସଂଗ୍ରହାଳୟ କରୁଛି । ତେଣୁ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ସୁପରିଚାଳନା ପାଇଁ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ପଦବୀ ନିମନ୍ତେ ପ୍ରସ୍ତାବକୁ ମିଳିଛି ଐତିହ୍ୟ କ୍ୟାବିନେଟ ଅନୁମୋଦନ ।

ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଗଚ୍ଛିତ ପୁରାତନ କୀର୍ତ୍ତିରାଜି, ପ୍ରାଚୀନମୁଦ୍ରା ଓ ଅଭିଲେଖ, ତାଳପତ୍ର ପୋଥି, ନୃତତ୍ତ୍ୱ, ଖଣି ଓ ଭୂତତ୍ତ୍ୱ ଆଦି ଅମୂଲ୍ୟ ସମ୍ପଦ, ନୌବାଣିଜ୍ୟ ପରମ୍ପରା, ହାତୀଦାନ୍ତ ଓ କାରୁକଳା, ଅସ୍ତ୍ରଶସ୍ତ୍ର, ବ୍ରୋଞ୍ଜମୂର୍ତ୍ତି ଓ ପାରମ୍ପରିକ ଚିତ୍ର ପୃଥିବୀର କୋଣ ଅନୁକୋଣରେ ପହଞ୍ଚାଇବା ଉଦ୍ଦେଶ୍ୟରେ, ସାମ୍ପ୍ରତିକ ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ରାଜ୍ୟ ସଂଗ୍ରହାଳୟକୁ ଭର୍ଚୁଆଲ୍ କରାଯିବା ସଂଗେ ସଂଗେ ଅନୁରୂପ ଢାଞ୍ଚାରେ ପ୍ରବାଦପୁରୁଷ ବିଜୁ ବାବୁଙ୍କ ଆନନ୍ଦଭବନ ସଂଗ୍ରହାଳୟକୁ ମଧ୍ୟ ଭର୍ଚୁଆଲ୍ କରାଯିବା ନିମନ୍ତେ ପ୍ରସ୍ତାବ ଅନୁମୋଦନ ହୋଇଛି ।

ବିଭିନ୍ନ ସାଂସ୍କୃତିକ କ୍ଷେତ୍ରରେ ଯୋଗ୍ୟ ବିବେଚିତ କଳାକାରମାନଙ୍କୁ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରଦାନ କରୁଥିବା ଏକାଡେମୀ ପୁରସ୍କାର ଗୁଡ଼ିକର ଅର୍ଥରାଶି ବୃଦ୍ଧି ନିମନ୍ତେ ପ୍ରସ୍ତାବ ଅନୁମୋଦିତ କରାଯାଇଛି । ପୁରସ୍କୃତ ବ୍ୟକ୍ତିବିଶେଷଙ୍କ ଗୁରୁତ୍ୱକୁ ଉପଲବ୍ଧି କରି ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ଧର୍ମପଦ ସମ୍ମାନ ଏବଂ ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନ ନିମନ୍ତେ ଅର୍ଥରାଶି ଏକଲକ୍ଷ ଟଙ୍କାରୁ ପାଞ୍ଚ ଲକ୍ଷ ଟଙ୍କା, ଏକାଡେମୀଗୁଡ଼ିକର ପୁରସ୍କାର ପାଇଁ ଅର୍ଥରାଶି ପଚାଶହଜାର ଟଙ୍କାରୁ ଦୁଇ ଲକ୍ଷ ଟଙ୍କା ତଥା ଏକାଡେମୀ ସମ୍ବର୍ଦ୍ଧନା ରାଶି ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନସ୍ଥ ବିଭିନ୍ନ ଏକାଡେମୀ, ଅନ୍ୟାନ୍ୟ ପ୍ରତିଷ୍ଠାନ ଓ କେନ୍ଦ୍ର ଗୁଡ଼ିକରେ ଖାଲି ପଡ଼ିଥିବା କର୍ମକର୍ତ୍ତା ନିଯୁକ୍ତି ପ୍ରକ୍ରିୟା ଏକ ମୁକ୍ତ ବିଜ୍ଞାପନ ମାଧ୍ୟମରେ ଓ ଆବଶ୍ୟକସ୍ଥଳେ ମନୋନୟନ ମାଧ୍ୟମରେ ଚୟନ କରାଯିବା ପାଇଁ ପ୍ରସ୍ତାବ ଅନୁମୋଦନ ହୋଇଛି ।

ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ ଭାରତବର୍ଷର ଜଣେ ବିଶିଷ୍ଟ ମାନବବାଦୀ ବ୍ୟକ୍ତିତ୍ୱ । ଓଡ଼ିଶା ଓ ଭାରତର ମୁକ୍ତି ସଂଗ୍ରାମର ଅନ୍ୟତମ ଅଗ୍ରଣୀ ସୈନିକ । ନବଉତ୍କଳର ସ୍ଥପତି । ସତ୍ୟବାଦୀ ବକୁଳ ବନବିଦ୍ୟାଳୟ ଓ ସମ୍ବାଦପତ୍ର ‘ସମାଜ’ର ପ୍ରତିଷ୍ଠାତା । ଶିକ୍ଷା, ରାଜନୀତି, ସାହିତ୍ୟ, ସଂସ୍କୃତି ଓ ଅଧ୍ୟାତ୍ମବୋଧକୁ ସମୀକୃତ କରିବାରେ ତାଙ୍କ ସାଧନା ଅନନ୍ୟ । ତାଙ୍କ ଜନ୍ମପୀଠ (ସୁଆଣ୍ଡୋ)ର ସାମଗ୍ରୀକ ବିକାଶ ଓ ଉନ୍ନତିକରଣ ପାଇଁ ସରକାର ଏକ ପ୍ରକଳ୍ପ ପ୍ରସ୍ତୁତ କରୁଛନ୍ତି, ଯାହାର ଆନୁମାନିକ ଆକଳନ ସାଢ଼େ ଏଗାର କୋଟି ଟଙ୍କା । ଏହି ପଦକ୍ଷେପ ପାଇଁ ପ୍ରସ୍ତାବ ଅନୁମୋଦନ କରାଗଲା ।

Share

Leave a Reply

Your email address will not be published. Required fields are marked *

18 + twenty =