ଆୟାରଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ

ବିରୋଧୀ ଦଳ ନେତାଙ୍କ ଅଧ୍ୟକ୍ଷତାରେ ଗୃହ କମିଟି

ଭୁବନେଶ୍ବର () ଓଡିଶାର ଜଗନ୍ନାଥ ସଂସ୍କୃତି, କଳା, ଐତିହ୍ୟ ଉପରେ ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାରଙ୍କ ବିରୋଧରେ ଆଜି ପୂରା ବିଧାନସଭା ଏକ ହୋଇଛି । କୋଣାର୍କ ଓ ପୁରୀ ଶ୍ରୀଜଗନ୍ନାଥଙ୍କ ଅପମାନ କରିଥିବାରୁ ଆୟାରଙ୍କ ବିରୋଧରେ ଓଡିଶା ବିଧାନସଭାରେ ଉଦବେଗ ପ୍ରକାଶ ପାଇଥିଲା । ଏନେଇ ଆୟାର ଏକ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଓଡିଶା ବିଧାୟକଙ୍କୁ ବୋକା ଓ ନିର୍ବୋଧ ବୋଲି କହିଛନ୍ତି । ଏପରିକି ସେ ଓଡିଶାର ଗଣମାଧ୍ୟମକୁ ମଧ୍ୟ ବିକ୍ରି ହୋଇଥିବା ବେଶ୍ୟା ବୋଲି କହିଛନ୍ତି । ଏ ସଂପର୍କରେ ବିଧାନସଭାର ଉଦବେଗକୁ ଦୃଷ୍ଟିରେ ରଖି ବାଚସ୍ପତି ବିରୋଧୀ ଦଳ ନେତାଙ୍କ ଅଧ୍ୟକ୍ଷତାରେ ଏକ ଗୃହ କମିଟି ଗଠନ କରିଛନ୍ତି । କମିଟି ତଦନ୍ତ କରି କୋଠର କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରି ଆସନ୍ତା ବିଧାନସଭା ଅଧିବେଶନର ପ୍ରଥମ ଦିନ ସୁଦ୍ଧା ରିପୋର୍ଟ ଦେବ ।

ଆୟାରଙ୍କ ଏଭଳି ବିବୃତିକୁ ନେଇ ଆଜି ଉଭୟ ବିଧାୟକ ଓ ସାମ୍ବାଦିକମାନେ ଏହା ପ୍ରତିବାଦ କରିଥିଲେ । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ଦଳ ନେତା ଆୟାରଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଗତ କରିଥିଲେ । ସେ କହିଥିଲେ ଯେ, ଓଡିଶା ବିଧାନସଭାରେ ବିଧାୟକମାନେ କେଉଁ ପ୍ରସଙ୍ଗରେ କଣ କହିବେ ସେନେଇ କୌଣସି ବ୍ୟକ୍ତି ଚାପ ସୃଷ୍ଟି କରିପାରିବେ ନାହିଁ କିମ୍ବା ବିଧାୟକଙ୍କ ବିବୃତି ଉପରେ ଅଙ୍ଗୁଳି ଉଠାଇବାର ଅଧିକାର ନାହିଁ । କୋଣାର୍କ ଓ ପୁରୀ ପ୍ରସଙ୍ଗରେ ସୋସିଆଲ ମିଡିଆରେ ଅଭିଜିନ ଛାଡିଥିବା ନିଜ ଭିଡିଓ ରାଜ୍ୟରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବାର ଆଶଙ୍କା ଥିଲା । ଏଥିସହିତ ସେ ଓଡିଶାର ପରମ୍ପରା ଓ ସଂସ୍କୃତିକୁ ଅପମାନ କରିଥିଲେ । ତେଣୁ ବିଧାୟକମାନେ ଏନେଇ ଉଦବେଗ ପ୍ରକାଶ କରିଥିଲେ । କିନ୍ତୁ ଏଥିପାଇଁ ଓଡିଶା ବିଧାନସଭା ଓ ଏହାର ସଦସ୍ୟଙ୍କ ଗାରିମାକୁ କ୍ଷୁର୍ଣ୍ଣ କରିବା ଭଳି ମନ୍ତବ୍ୟ ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ । ତାଙ୍କୁ ବିଧାନସଭାକୁ ସମନ କରି ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାର ଅଧିକାର ବାଚସ୍ପତିଙ୍କର ରହିଛି ।

ଏହି ପ୍ରସଙ୍ଗରେ ବିଧାନଭାରେ ଦଳ ମତ ନିର୍ବିଶେଷରେ ଏକ ସ୍ବରରେ ସବୁ ବିଧାୟକ ଅସନ୍ତୋଷ ପ୍ରକାଶ କରିବା ସହ ଅଭିଜିତ ଏବଂ ତାଙ୍କୁ ହେଲିକ୍ୟାପ୍ଟରରେ ଓଡିଶା ବୁଲାଇଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା । କଂଗ୍ରେସ ଓ ବିଜେପି ବିଧାୟକମାନେ ମଧ୍ୟ ଅଭିଜିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ।

ବିଜେଡି ବିଧାୟକ ଅରୁଣ ସାହୁ କହିଥିଲେ ଯେ, ଅଭିଜିତ ଓଡିଶାର ପୂର୍ବ ସୂରୀ, ସାହିତ୍ୟ ଓ ସଂସ୍କୃତିକୁ ପଦାଘାତ କରିଛନ୍ତି । ବିରୋଧୀ ଦଳ ନେତା ଯେଉଁ ପ୍ରସଙ୍ଗ ଉଠାଇଛନ୍ତି ତାହା ଓଡିଆ ଜାତିର ଭାବାବେଗ ସହ ଜଡିତ । ଯଦି ଅଭିଜିତ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆନଯାଏ ତେବେ ଆମକୁ ଇତିହାସ କ୍ଷମା ଦେବନି । ସେ ଓଡିଆ ଜାତିର ଅସ୍ମିତାକୁ କୁଠାରଘାତ କରିବା ସହ ସାଂପ୍ରଦାୟିକତାର ବୀଜ ବୁଣିବାକୁ ଚେଷ୍ଟା କରିଛନ୍ତି । କଳାପାହାଡ ଯାହା କରିପାରିନଥିଲା, ଅଭିଜିତ ଆୟାର ତାହା କରିଛନ୍ତି । 2017ରୁ ସେ ବାରମ୍ବାର ଓଡିଶାକୁ ଅପମାନିତ କରୁଥିବା ବେଳେ ତାଙ୍କୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ପୁରୀ କୋଣାର୍କ ବୁଲାଉଛନ୍ତି । ଶ୍ରୀଜଗନ୍ନାଥ ମନ୍ଦିର, କୋଣାର୍କ ଓ ଗଣତନ୍ତ୍ରର ମନ୍ଦିରକୁ ବିଦ୍ରୁପ କରିବାକୁ ପୂର୍ବତନ ସାଂସଦ ତାଙ୍କୁ ଡାକି ଆଣିଥିଲେ ।

ସେହିପରି ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ ମଧ୍ୟ ଅଭିଜିତଙ୍କ ଅଭିପ୍ରାୟ ଏବଂ ତାଙ୍କୁ ସୁରକ୍ଷା ଦେଉଥିବା ପୂର୍ବତନ ସାଂସଦଙ୍କ ଉପରେ ବର୍ଷିଥିଲେ । ଯିଏ ଓଡିଶାର ଅସ୍ମିତାକୁ କୁଠାରଘାତ କରୁଛନ୍ତି ତାଙ୍କୁ ଆଣି ବୈଜୟନ୍ତ ଓଡିଶା ବୁଲାଉଛନ୍ତି । ତେଣୁ ଅଭିଜିତଙ୍କ ସହ ତାଙ୍କ ବନ୍ଧୁଙ୍କୁ ବି ଦଣ୍ଡବିଧାନ କରାଯିବାର ଆବଶ୍ୟକତା ରହିଛି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି କହିଥିଲେ ଯେ, ଓଡିଶା ମାଟିକୁ ଯିଏ ଅପମାନିତ କରିଛି ତାଙ୍କୁ କ୍ଷମା ଦିଆଯିବା ଉଚିତ ନୁହେଁ । ସେଭଳି ବ୍ୟକ୍ତିକୁ ଫାଶି ଦିଆଯିବା ଆବଶ୍ୟକ । ବିଜେପି ବିଧାୟକ ପ୍ରଦୀପ ପୁରୋହିତ, ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ଗୃହର ମତ ସହ ଏକମତ ହୋଇଥିଲେ ।

ବିଧାୟକଙ୍କ ଉଦବେଗକୁ ଦେଖି ବାଚସ୍ପତି ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଗୃହ କମିଟି ଗଠନ କରିଛନ୍ତି । ଏହି କମିଟିରେ ଦେବି ମିଶ୍ର, କନକ ବର୍ଦ୍ଧନ ସିଂହଦେଓ, ପ୍ରମିଳା ମଲ୍ଲିକ, ଅରୁଣ ସାହୁ ଓ ସଂଜୟ ଦାସବର୍ମା ସଦସ୍ୟ ଅଛନ୍ତି । କମିଟି ଏହାର ତଦନ୍ତ କରି ଆସନ୍ତା ବିଧାନସଭା ଅଧିବେଶନର ପ୍ରଥମ ଦିନ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

8 − 4 =