ସ୍ବାସ୍ଥ୍ୟ ସେବାରେ ଆଉ ଏକ ଫର୍ଦ୍ଦ : ଆରମ୍ଭ ହେଲା ବୋଟ ଆମ୍ବୁଲାନ୍ସ

ଭୁବନେଶ୍ବର () ଆଜିଠାରୁ ସ୍ବାସ୍ଥ୍ୟସେବାରେ ଯୋଡି ହେଲା ଆଉ ଏକ ଫର୍ଦ୍ଦ । ଆରମ୍ଭ ହେଲା ବୋଟ ଆମ୍ବୁଲାନ୍ସ ସେବା  । ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ରାପଡାର ବତୀଘର ଠାରେ ଏହି ବୋଟ ଆମ୍ବୁଲାନ୍ସ ସେବାର ଲୋକପର୍ଣ ହୋଇଛି  । ପରବର୍ତ୍ତି ସମୟରେ ଅନ୍ୟ ଜିଲ୍ଲାରେ ଏହି ସେବା ଆରମ୍ଭ ହେବ ।

ରାଜ୍ୟରେ 108 ଆପଦକାଳୀନ ଆମ୍ବୁଲାନ୍ସ ସେବା କାର୍ଯ୍ୟରତ ଅଛି, ଯେଉଁଥିରେ ମୋଟ 512ଟି 108 ଆମ୍ବୁଲାନ୍ସ ଓ 500ଟି 102 ଆମ୍ବୁଲାନ୍ସ ଗାଡିର ବ୍ୟବସ୍ଥା କରାଯାଇଛି । ଏଗୁଡିକ ସଡକପଥରେ ଗତାଗତ କରୁଥିବାରୁ ନଦୀ କୂଳ ତଥା ଜଳଭଣ୍ଡାର ନିକଟରେ ଥିବା ଉପାନ୍ତ/ବିଛିନ୍ନାଞ୍ଚଳମାନଙ୍କରେ ରୋଗୀଙ୍କୁ 108 କିମ୍ବା 102 ଆମ୍ବୁଲାନ୍ସରେ ସ୍ଥାନାନ୍ତରଣ ସମୟରେ ଅସୁବିଧା ପରିଲକ୍ଷିତ ହେଉଛି । ସଧାରଣତଃ ଏହି ସ୍ଥାନମାନଙ୍କରୁ ରୋଗୀଙ୍କୁ ସ୍ଥାନାନ୍ତରଣ ନିମିତ୍ତ ଜନସାଧାରଣଙ୍କ ପାଇଁ ଉପଲବ୍ଧ ଥିବା ଯାତ୍ରୀବାହୀ ଡଙ୍ଗା କିମ୍ବା ନୌକା ମାଧ୍ୟମରେ 108 କିମ୍ବା 102 ଆମ୍ବୁଲାନ୍ସ ଗାଡି ଗତାଗତ କରିପାରୁଥିବା ସ୍ଥାନକୁ ନିଆଯାଉଛି  ଏବଂ ସେଠାରୁ ସେମାନଙ୍କୁ ଚିକିତ୍ସାଳୟକୁ ନିଆଯାଉଛି ।

ଏହି ଆବଶ୍ୟକତାକୁ ଅନୁଭବ କରି ରାଜ୍ୟ ସରକାର 108 ଆମ୍ବୁଲାନସ ସେବା ଅଧିନରେ ଛଅଟି ବୋଟ ଆମ୍ବୁଲାନ୍ସର ବ୍ୟବସ୍ଥା କରିଛନ୍ତି , ଯାହାଦ୍ବାରା ଜଳ ଭିତରେ ଆପଦକାଳୀନ ଆମ୍ବୁଲାନ୍ସ ସେବା ଯୋଗାଇଦିଆଯିବ । ଏହି ବୋଟ ଆମ୍ବୁଲାନ୍ସ ଗୁଡିକ ପାଇଁ ରାଜ୍ୟ ପାଣ୍ଠିରୁ 5.40 କୋଟି ଟଙ୍କା ଯୋଗାଇ ଦିଆଯାଇଛି, ଯାହାକି 6ଟି ବୋଟ ଆମ୍ବୁଲାନ୍ସ ଏବଂ 60ଟି ଭାସମାନ ଜେଟି ଓ ୱାକୱେ ନିର୍ମାଣ ପାଇଁ ଉଦ୍ଦିଷ୍ଟ । ଏତଦ ବ୍ୟତିତ ଏହି ଛଅଟି ବୋଟ ଆମ୍ବୁଲାନ୍ସର ପରିଚାଳନା ଖର୍ଚ୍ଚ ବାବଦରେ 90 ଲକ୍ଷ ଟଙ୍କାର ବାର୍ଷିକ ବ୍ୟୟବରାଦ କରାଯାଇଛି । ଏହି ଛଅଟି ବୋଟି ଆମ୍ବୁଲାନ୍ସ ମଧ୍ୟରୁ ଦୁଇଟି ମାଲକାନଗିରି ଜିଲ୍ଲାକୁ, ଦୁଇଟି କେନ୍ଦ୍ରାପଡା ଜିଲ୍ଲାକୁ, ଗୋଟିଏ କୋରାପୁଟ ଓ ଗୋଟିଏ କଳାହାଣ୍ଡି ଜିଲ୍ଲାକୁ ଯୋଗାଇ ଦିଆଯିବ ।

ଏହି ଆମ୍ବୁଲାନ୍ସ ନିର୍ମାଣରେ ଫାଇବର ଗ୍ଲାସ ବ୍ୟବହାର କରାଯାଇଛି ଏବଂ ଏଥିରେ ମୋଟ ସାତ ଜଣ ଲୋକ ସୁବିଧାରେ ଯାଇପାରିବେ । ଏହା ମଧ୍ୟରେ ଆପଦକାଳୀନ ରୋଗୀ ସେବା ପାଇଁ ଔଷଧ ଓ ଜୀବନ ବଞ୍ଚାଇବା ପାଇଁ ଉପକରଣ ଉପଲବ୍ଧ କରାଯାଇଛି । ପ୍ରଥମ ବୋଟ ଆମ୍ବୁଲାନ୍ସଟି ଆଜି କେନ୍ଦ୍ରାପଡାର ବତୀଘର ଠାରେ ଲୋକପର୍ଣ କରାଯାଇଥିବା ବେଳେ ଅବଶିଷ୍ଟ ପାଂଚଟି ପର୍ଯ୍ୟାୟକ୍ରମେ କାର୍ଯ୍ୟକ୍ଷମ ହେବ ।

Share

Leave a Reply

Your email address will not be published. Required fields are marked *

4 × 2 =