ପରିବେଶ ବନ୍ଧୁ ସହର ଭାବେ ବିଏମସିକୁ ମିଳିଲା ସ୍କଚ ସମ୍ମାନ

ଭୂବନେଶ୍ୱର () ପରିଚ୍ଛନ୍ନତା ଏବଂ ପରିବେଶ ବଂଧୁ ସହର ଭୁବନେଶ୍ୱର ପୁଣିଥରେ ନିଜର ଯୋଗ୍ୟତା ପ୍ରତିପାଦନ କରିଛି  । ଏଥିପାଇଁ ଭୁବନେଶ୍ୱର (ବିଏମସି)କୁ ଆଜି ନୂଆଦିଲ୍ଲୀରେ ମିଳିଛି ସମ୍ମାନ ଜନକ ସ୍କଚର ରୌପ୍ୟ ଏବଂ କାଂସ୍ୟ ସମ୍ମାନ  ।
ରାଜ୍ୟର ଅଗ୍ରଣୀ ତଥା ସର୍ବବୃହତ ସ୍ୱାୟତସଂସ୍ଥା ଭାବେ  ଉନ୍ନତ କଠିନ ବର୍ଜ୍ୟ ସଂଗ୍ରହ ଏବଂ ପରିବହନ ପାଇଁ ରୌପ୍ୟ ଉପାଧି ମିଳିଥିବା ବେଳେ ସହରରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ ଏବଂ ପରିଚାଳନା ନିମନ୍ତେ ସ୍ୱଚ୍ଛ ଭାରତ ପ୍ରକଳ୍ପର ଉଚ୍ଚ ସ୍ତରରେ ଥିବା ସହର ମାନଙ୍କ ମଧ୍ୟରେ ବିଏମ୍ସିକୁ ବ୍ରୋଂଚ ଉପାଧି ମିଳିଛି  ।
ସହରରୁ ହାରାହାରି ଦୈନିକ ହାରାହାରି ୫୫୦ ମେଟ୍ରିକ୍ ଟନ୍ କଠିନ ବର୍ଜ୍ୟବସ୍ତୁ ଉତ୍ପନ୍ନ ହେଉଥିବା ଭାର ରହିଥିବା ବେଳେ, ସ୍ୱାୟତ ସଂସ୍ଥାର ଏହି ବିରାଟ ଚାପକୁ ସମ୍ଭାଳିବା କଷ୍ଟକର ହୋଇଥାଏ  । ତେବେ ଦକ୍ଷ ପରିଚାଳନା କୌଶଳ ଯାହାକି; ଦ୍ୱାରରୁ ଦ୍ୱାର ବର୍ଯ୍ୟ ସଂଗ୍ରହ  ଏବଂ ଏହାର ପରିଚାଳନା, ଭୁବନେଶ୍ୱର ଅପରେସନ ସେଂଟର ମାଧ୍ୟମରେ ବର୍ଜ୍ୟ ପରିବହନ ଯାନ ଗୁଡିକର ନିୟମିତ ଟ୍ରାକିଙ୍ଗ୍, ଆସୁଥିବା ଅଭିଯୋଗ ଗୁଡିକୁ ୨୪ଘଂଟା ମଧ୍ୟରେ ସମାଧାନ କରିବା, ହକି ବିଶ୍ୱକପ ସମୟରେ ଜିରୋ େଓଷ୍ଟ ପଦକ୍ଷେପ, ଯାନ୍ତ୍ରିକ ସଫେଇର ପ୍ରବର୍ତନ, ମଳ ଉପଚାର ଓ ପରିଚାଳନାକୁ ବିଜ୍ଞାନ ସମ୍ମତ ଭାବେ କରିବା, ସହରର ସବୁଜିମାକୁ ବଢାଇବା ପାଇଁ ବୃକ୍ଷ ରୋପଣ ଏବଂ ପରିଷ୍କାର ପରିଚ୍ଛନ୍ନତାକୁ ନିୟମିତ କରିବାରେ ପୂର୍ବ ଭାରତରେ ବିଏମ୍ସିର କାର୍ଯ୍ୟ ସମୂହ ଆଗୁଆ ରହିଛି  ।
ଅନୁରୁପ ଭାବେ, ୧୬୪ଟି ଗୋଷ୍ଟୀ ଶୌଚାଳୟର ପ୍ରବର୍ତନ କରାଇ ପରିମଳ ଅବସ୍ଥାରେ ଗୋଷ୍ଟୀର ଦକ୍ଷତା ବୃଦ୍ଧି କରିବା ମଧ୍ୟ ଏକ ଗର୍ବର ବିଷୟ  । ପୂର୍ବ ରହିଥିବା ପୁରୁଣା ଶୌଚାଳୟ ଗୁଡିକର ନବୀକରଣ ଏବଂ ଏହାକୁ ସମୟ ଉପଯୋଗୀ କରିବାରେ ବିଏମ୍ସିର ଭୁମିକା ପ୍ରଶଂସନୀୟ  । ସମୁଦାୟ ୬୬୭ଟି  ସିଟର ମରାମତି ନବୀକରଣ ଏବଂ ଉପଭୋକ୍ତା ଉପଯୋଗୀ କରାଯାଇଛି  ।  ସମସ୍ତ ଶୌଚାଳୟ ଗୁଡିକୁ ଗୁଗଲ୍ ଅର୍ନ୍ତଭୁକ୍ତ କରାଯାଇ ଏହାକୁ ଠାବ କରିବାର ପ୍ରୟାସ କରାଯାଇଛି  । ପରିମଳ କମିଟି ସହିତ ସଂଯୋଗ ରକ୍ଷା କରାଯାଇ, ଏହି ସବୁ ଶୌଚାଳୟ ଗୁଡିକର ପରିଚ୍ଛନ୍ନତା ବଜାୟ ରଖିବାର ପ୍ରୟାସ କରାଯାଇଛି  । ସର୍ବସାଧାରଣ ଏହି ସେବାର ଉପଯୋଗ କରିବା ପାଇଁ ନିରନ୍ତର ପ୍ରବର୍ତାଇବାର ପ୍ରୟାସ ଜାରି ରହିଛି  ।
ନିଜର ନାଗରିକ ମାନଙ୍କ ନିମନ୍ତେ ସ୍ୱଚ୍ଛତା ଏବଂ ପରିମଳ ରକ୍ଷା ନିମନ୍ତେ ବିଏମ୍ସି ଗୁଣାତ୍ମକ ପରିମଳ ସେବା ଯୋଗାଇବା ପାଇଁ ବ୍ୟୟମାତ୍ରାକୁ ବଢାଇଛି  । ଏପରି ବ୍ୟବସ୍ଥା ପାଇଁ ନାଗରିକ ମାନଙ୍କଠାରୁ ଉପଯୋଗ ପଇଠ ଆଦାୟ କରିବାରେ ସଲିଡ୍ ୱେଷ୍ଟ୍ ମ୍ୟାନେଜମେଂଟ ରୁଲ ୨୦୧୬ ଅନୁସାରେ ୟୁଜର୍ସ ଚାର୍ଜେସ ଆଦାୟ କରିବାର ବ୍ୟବସ୍ଥା ରହିଛି  ।
ସୂଚନାଯୋଗ୍ୟ, ସ୍କଚ୍ ସମ୍ମାନ ୨୦୦୩ ମସିହାରେ ପ୍ରତିଷ୍ଠିତ ହୋଇଛି  । ଏହା ଏକ ସ୍ୱାଧିନ ସଂଗଠନ । ବ୍ୟକ୍ତି, ପ୍ରକଳ୍ପ ଏବଂ ଅନୁଷ୍ଟାନକୁ ଭିତିକରି ଏହି ସମ୍ମାନ ଦିଆଯାଏ  । ଭାରତର ମର୍ଯ୍ୟାଦା ବଢାଇ ଏହାକୁ ଉନ୍ନତ ଦେଶରେ ଗଢି ତୋଳିବା ସ୍କଚର ଉଦ୍ଦେଶ୍ୟ  । ଡିଜିଟାଲ ବୈଷୟିକ ବିଜ୍ଞାନ, ଆର୍ଥିକ ଏବଂ ସାମାଜିକ ସଂଗଠନକୁ ନେଇ ଏହି ସମ୍ମାନ ଦିଆଯାଏ  । ସୁଶାସନ ପଦ୍ଧତି, ଅର୍ନ୍ତଭୁକ୍ତି କରଣ, ବୈଷୟିକ ବିଜ୍ଞାନ, ଏହାର ପ୍ରୟୋଗ, ପରିଚାଳନାଗତ ଯୁଗ ଉପଯୋଗୀ ପରିବର୍ତନ, ବ୍ୟବସାୟିକ ନେତୃତ୍ୱ, ବ୍ୟବସାୟିକ ପ୍ରଶାସନ ନାଗରିକକୁ ସେବା ଯୋଗାଣ ଦକ୍ଷତା ବୃଦ୍ଧି, ସଶକ୍ତ କରଣ ଏବଂ ବୃହତର  ପ୍ରସାର ଆଢୁଆଳରେ ରହିଥିବା ସମସ୍ୟାର ସମାଧାନ ପାଇଁ ଏହି ସମ୍ମାନ ଦିଆଯାଇଥାଏ  ।
Share

Leave a Reply

Your email address will not be published. Required fields are marked *

1 × 2 =