ବିଜେପିର ୪୮ ବନାମ ବିଜେଡିର ୮୪ ଉପଲବ୍ଧି

ଧର୍ମେନ୍ଦ୍ରଙ୍କୁ ବିଜେଡିର ୫ଟି ପ୍ରଶ୍ନ

ଏନଡିଏର ୪ବର୍ଷର ରିପୋର୍ଟ କାର୍ଡ ବାସ୍ତବତା ଦୂରରେ

ଚତୁର୍ଦଶ ଅର୍ଥ କମିଶନରେ ଓଡିଶାକୁ ଟିକସ ଭାଗ କମିଛି

ଭୁବନେଶ୍ବର () କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ପ୍ରତି କେନ୍ଦ୍ର ସରକାର ଗତ ୪ ବର୍ଷରେ ଦେଇଥିବା ସହଯୋଗ ଓ ସହାୟତା ସଂପର୍କରେ ରଖିଥିବା ତଥ୍ୟର ଜବାବ ରଖିଛି ବିଜେଡି । ଧର୍ମେନ୍ଦ୍ର ଓଡିଶା ପ୍ରତି ୪୮ଟି ଉପଲବ୍ଧିର ତାଲିକା ଦେଇଥିବା ବେଳେ ଆଜି ବିଜେଡି ରାଜ୍ୟ ପ୍ରତି କେନ୍ଦ୍ରୀୟ ଅବହେଳାର ୮୪ଟି ଉପଲବ୍ଧି ଦର୍ଶାଇଛି । ରେଳବାଇଠାରୁ ଆରମ୍ବ କରି କେନ୍ଦ୍ରୀୟ ଟିକସ ହ୍ରାସ ଏବଂ ରାଜପଥ ନିର୍ମାଣରେ ରାଜ୍ୟ ପ୍ରତି ହୋଇଥିବା ଅବହେଳାର ଲମ୍ବା ତାଲିକା ଦେଇଛି ବିଜେଡି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମ ସାମ୍ନାରେ ଏନଡିଏ ସରକାରଙ୍କ ୪ବର୍ଷର ଯେଉଁ ରିପୋର୍ଟ କାର୍ଡ ଉପସ୍ଥାପନ କରିଛନ୍ତି, ସେଥିରେ ମୋଟାମୋଟି ଭାବରେ କେନ୍ଦ୍ର ସରକାରଙ୍କ ବିଫଳତାକୁ ଏଡେଇ ଦେଇ ଏକ କାଳ୍ପନିକ ଗୋଲାପୀ ଚିତ୍ର ରଖିଛନ୍ତି । ଏନ୍ଡିଏ ସରକାରଙ୍କ ୪ବର୍ଷର ରିପୋର୍ଟ କାର୍ଡରେ ଓଡ଼ିଶା ସଂପର୍କିତ ତଥ୍ୟ ବାସ୍ତବତା ଠାରୁ ବହୁ ଦୂରରେ । ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତାମାନେ କେନ୍ଦ୍ର ମନ୍ତ୍ରୀଙ୍କ ଦ୍ୱାରା ଉପସ୍ଥାପିତ ୫ଟି ପ୍ରସଂଗରେ ସ୍ପଷ୍ଟୀକରଣ ଦାବି କରିବା ସହ ୫ଟି ପ୍ରଶ୍ନ ପଚାରିଛି ବିଜେଡି ।

“ଓଡ଼ିଶାକୁ ସ୍ବତନ୍ତ୍ର ମାନ୍ୟତା ନେଇ ଆଭିମୁଖ୍ୟ ସ୍ପଷ୍ଟ କରିବେ କି ଧର୍ମେନ୍ଦ୍ର? ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ଲାଗି ସମୟ ଧାର୍ଯ୍ୟ କରିବେକି? ଶିଳ୍ପ କରିଡରରେ ଓଡ଼ିଶାକୁ ସାମିଲ କରିବା ଲାଗି ଉଦ୍ୟମ କରିବେକି? ମହାନଦୀ ଉପରେ ବ୍ୟାରେଜ ନିର୍ମାଣ ବନ୍ଦ କରିବାକୁ ରମଣ ସିଂହଙ୍କୁ କହିବେକି? ତେଲ ଦର ବୃଦ୍ଧିକୁ ନିୟନ୍ତ୍ରଣ କରି ଓଡ଼ିଶାବାସୀଙ୍କୁ ଆଶ୍ବସ୍ତି କରାଇବେ କି ? ବୋଲି ଦଳର ସାଧାରଣ ସଂପାଦକ ସଂଜୟ କୁମାର ଦାସବର୍ମା ପ୍ରଶ୍ନ କରିଛନ୍ତି ।

ଚତୁର୍ଦଶ ଅର୍ଥ କମିଶନଙ୍କ ଟିକସ ହାର ଦ୍ବାରା ଓଡିଶା ପ୍ରତି ହୋଇଥିବା ଅବହେଳା ସଂପର୍କରେ ବିସ୍ତ୍ରୁତ ତଥ୍ୟ ପ୍ରଦାନ କରିଥିଲେ ଦଳର ସାଧାରଣ ସଂପାଦକ ଅରୁଣ କୁମାର ସାହୁ । ସେ କହିଥିଲେ ଯେ, ତ୍ରୟୋଦଶ ଅର୍ଥ କମିଶନଙ୍କ ଦ୍ବାରା ଓଡ଼ିଶା ୪.୭୮ ପ୍ରତିଶତ ଟିକସର ଭାଗ ପାଉଥିଲା ବେଳେ ଚତୁର୍ଦ୍ଦଶ ଅର୍ଥ କମିଶନ ଏହାକୁ ହ୍ରାସ କରିବା ପରେ ଟିକସ ଭାଗ ୪.୬୪ ପ୍ରତିଶତରେ ପହଂଚିଛି । ସେଥିଯୋଗୁ ଓଡ଼ିଶାକୁ ପ୍ରାୟ ୫ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡୁଛି । ସେପଟେ ମଧ୍ୟପ୍ରଦେଶରେ ଟିକସ ହାର ବଢ଼ି ୭.୫୪ ପ୍ରତିଶତ ହୋଇଛି । ମହାରାଷ୍ଟ୍ରରେ ୫.୫୨, କର୍ଣ୍ଣାଟକରେ ୪.୭୧ ଓ ପଶ୍ଚିମବଙ୍ଗରେ ଏହା ୭.୩୨ ପ୍ରତିଶତ ରହିଛି । ବିଜେପି ଶାସିତ ରାଜ୍ୟ ବିହାର ୯.୬୬, ଉତ୍ତରପ୍ରଦେଶ ୧୭.୯୫ ଓ ରାଜସ୍ଥାନ ୫.୪୯ ପ୍ରତିଶତ ଟିକସ ପାଉଛି । ଏହି ପରିସଂଖ୍ୟାନ ଜଣାଇ ଦେଉଛି ଯେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଯଥେଷ୍ଟ କମ ଟିକସ ଭାଗ ପାଉଛି । ଏସବୁ ବାଦେ ସଂଘୀୟ ବ୍ୟବସ୍ଥାରେ ବିତ୍ତୀୟ କାର୍ଯ୍ୟକ୍ରମ ସାମ୍ବିଧାନିକ ବିଧିବ୍ୟବସ୍ଥା ଅନ୍ତର୍ଭୁକ୍ତ ହୋଇଥିବାରୁ କେନ୍ଦ୍ରମନ୍ତ୍ରୀ ବା କେନ୍ଦ୍ର ସରକାର ବାରମ୍ବାର ‘ଆମେ ଦେଉଛୁ’ ବୋଲି କହିବା ଯେପରି ଲଜ୍ଜାଜନକ ସେପରି ହାସ୍ୟାସ୍ପଦ ମଧ୍ୟ । ଓଡ଼ିଶା ପାଇଁ ଏହି ବ୍ୟବସ୍ଥାରେ ଟିକସ କମ ଥିବାରୁ ୨ଲକ୍ଷ ୧୬୩୨ କୋଟି ଟଙ୍କା ପାଇବା ପରିବର୍ତ୍ତେ ୧ଲକ୍ଷ ୯୬ ହଜାର ୬୩୨ କୋଟି ଟଙ୍କା ପାଉଛି ।

ସେହିପରି ଜିଏସଟି ଯୋଗୁ ଓଡ଼ିଶା କ୍ଷତିରେ ପଡିଛି । ଟିକସ ସଂଗ୍ରହରେ ୩୧ ପ୍ରତିଶତ କମ ଆଦାୟ ହୋଇଛି । ଅଥଚ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଜିଏସଟିରେ ଓଡ଼ିଶା ଲାଭବାନ ହୋଇଛି । ସେ ଜାଣିରଖିବା ଉଚିତ ଯେ ଟିକସ ସଂଗ୍ରହ ପରିମାଣ କମିଛି । କେନ୍ଦ୍ର ସରକାର ଆମକୁ ଏ ବାବଦ ଯେତିକି କ୍ଷତିପୂରଣ ଦେଉଛନ୍ତି, ତାହା ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁଯାୟୀ ବୋଲି ସେ କହିଥିଲେ ।

ସଂଜୟ ଦାସବର୍ମା କହିଥିଲେ ଯେ ଜାତୀୟ ରାଜପଥ ନିର୍ମାଣ ଓ ବିକାଶ କ୍ଷେତ୍ରରେ ଓଡ଼ିଶାରେ ୪ବର୍ଷ ମଧ୍ୟରେ ୫୪୯୯ କିଲୋମିଟର ରାଜପଥ ନିର୍ମାଣ ନେଇ ଏହା ଏକ ରେକର୍ଡ ବୋଲି କେନ୍ଦ୍ରମନ୍ତ୍ରୀ ଯୁକ୍ତି ବାଢ଼ିବା ସଂପୂର୍ଣ୍ଣ ଭ୍ରମାତ୍ମକ । ୨୦୧୪ରୁ ୨୦୧୮ ମଧ୍ୟରେ ନିର୍ମିତ ମୋଟ ରାସ୍ତା ମଧ୍ୟରୁ ଏନଏଚଓ (ଓଡ଼ିଶା ସରକାରଙ୍କ ସହଭାଗିତାରେ) ୧୦୫୮ କିମି ଓ ଏନଏଚଏଆଇ (ଭାରତ ସରକାରଙ୍କ ଅଧୀନ) ମାତ୍ର ୨୫୪ କିମି ରାସ୍ତା ନିର୍ମାଣ କରିଛି । ମୋଟ ୧୩୧୨ କିମି ରାସ୍ତା ନିର୍ମାଣ କରାଯାଇଥିଲା ବେଳେ ୫୪୯୯ କିମି ରାସ୍ତା ନିର୍ମାଣ ହୋଇଛି ବୋଲି କହିଥିବା କେନ୍ଦ୍ରମନ୍ତ୍ରୀ ଏଥିନେଇ ସ୍ପଷ୍ଟୀକରଣ ଦେବା ଆବଶ୍ୟକ । ୨୦୧୫ରେ ରାଜ୍ୟ ସରକାରଙ୍କ ଏନଏଚ-୫ର ୧୨୦ କିମି ବାଇପାସ ରାସ୍ତା ନେଇ ରାଜ୍ୟ ସରକାରଙ୍କ ତରଫରୁ ଦିଆଯାଇଥିବା ପ୍ରସ୍ତାବ ଏବେ କେନ୍ଦ୍ର ସରକାରଙ୍କ ନିକଟରେ ଅଟକି ରହିଛି କାହିଁକି? ଓଡ଼ିଶାର ୭ଟି ଜିଲ୍ଲାକୁ ସଂଯୁକ୍ତ କରିବା ଲାଗି ୨୫୦ କିମି ଆଉଟର ରିଙ୍ଗ ରୋଡ ତିଆରି ହେବା କଥା ଏବେ ଦିବାସ୍ବପ୍ନ ପାଲଟି ଗଲାଣି । ଏହାର ସର୍ଭେ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇନାହିଁ । ୨୦୧୫ରୁ କେନ୍ଦ୍ର ଗୋପାଳପୁର-ଦୀଘା କୋଷ୍ଟାଲ ହାଇୱେ ସ୍ବପ୍ନ ଦେଖାଇଆସିଛି । ୪ବର୍ଷ ବିତିସାରିଥିଲେ ମଧ୍ୟ କୋଷ୍ଟାଲ ହାଇୱେ ସ୍ବପ୍ନ ଏ ପର୍ଯ୍ୟନ୍ତ ଆସିନାହିଁ ।

ରେଳବାଇ କ୍ଷେତ୍ରରେ ଶ୍ରୀ ପ୍ରଧାନ ଦର୍ଶାଇଛନ୍ତି ଯେ ୨୦୧୪-୧୫ରୁ ୨୦୧୮-୧୯ ମଧ୍ୟରେ ଓଡ଼ିଶାକୁ ସମୁଦାୟ ଆବଣ୍ଟିତ ଅର୍ଥ ପରିମାଣ ୨୦୨୧୩ କୋଟି ଟଙ୍କା । କେନ୍ଦ୍ରମନ୍ତ୍ରୀ ଏହା ମଧ୍ୟ ଜାଣିବା ଉଚିତ ଯେ ଏହି ୪ବର୍ଷ ମଧ୍ୟରେ ପୂର୍ବତଟ ରେଳବାଇ ମାଧ୍ୟମରେ ଓଡ଼ିଶା ରାଜସ୍ୱ ଆକାରରେ ପ୍ରାୟ ୫୩.୭୯୫ କୋଟି ଟଙ୍କା ଦେଇଛି । ଓଡ଼ିଶା ଦେଇଥିବା ରାଜସ୍ବ ତୁଳନାରେ କେତେ ପାଇଛି, ସେ ସଂପର୍କରେ କେନ୍ଦ୍ରମନ୍ତ୍ରୀ ହିସାବ କରି ଦେଖିବେ କି? ଦେବାକୁ ଯେପରି ଶ୍ରୀ ପ୍ରଧାନ କହୁଛନ୍ତି, ନେବାକୁ ମଧ୍ୟ ସେହିପରି ଗୁରୁତ୍ୱ ଦେବା ଦରକାର ।

ପ୍ରସ୍ତାବିତ ଜୟପୁର-ନବରଙ୍ଗପୁର ରେଳ ଲାଇନ ପାଇଁ ଓଡ଼ିଶା ସରକାର ପ୍ରକଳ୍ପ ଖର୍ଚ୍ଚର ୫୦ ପ୍ରତିଶତ ଅର୍ଥ ବହନ କରିବେ ଓ ଜମି ମାଗଣାରେ ଯୋଗାଇ ଦେବେ । ଉଭୟକୁ ଏକାଠି କଲେ ପ୍ରାୟ ୭୦ ପ୍ରତିଶତ ବ୍ୟୟଭାର ରାଜ୍ୟ ସରକାର ବହନ କରିବେ । ସେହିପରି ପ୍ରସ୍ତାବିତ ଜୟପୁର-ମାଲକାନଗିରି ରେଳ ଲାଇନ କ୍ଷେତ୍ରରେ ମଧ୍ୟ ରାଜ୍ୟ ସରକାର ମାଗଣାରେ ଜମି ଯୋଗାଇବା ସହ ପ୍ରକଳ୍ପ ଖର୍ଚ୍ଚର ୨୫ ପ୍ରତିଶତ ଅର୍ଥ ବହନ କରିବେ । ଏପରିସ୍ଥଳେ ବିଗତ ୪ବର୍ଷର ହିସାବ ଦେଖିଲେ କେନ୍ଦ୍ର ସରକାର ବଜେଟର ସଂଗଠିତ ପାଣ୍ଠିରୁ ମାତ୍ର ୧୦ ହଜାର କୋଟି ଟଙ୍କା ଦେଇଛନ୍ତି, ଯାହା କେନ୍ଦ୍ର ଘୋଷିତ ଅର୍ଥର ୫୦ ପ୍ରତିଶତ ବୋଲି ଦାସବର୍ମା କହିଛନ୍ତି ।

ମନ୍ତ୍ରୀ ପ୍ରତାପ ଜେନା କହିଥିଲେ, କେନ୍ଦ୍ରମନ୍ତ୍ରୀ ଖଣି ରୟାଲିଟି ନେଇ ଓଡ଼ିଶାବାସୀଙ୍କୁ ଆଉ ଚକମା ନଦେଖାନ୍ତୁ ଓ ସ୍ବପ୍ନ ନବିକନ୍ତୁ । ଆଗାମୀ ୫୦ବର୍ଷରେ କୋଇଲା ରୟାଲିଟି ବାବଦ ଓଡ଼ିଶା ୭୧ ହଜାର କୋଟି ଟଙ୍କା ପାଇବ ବୋଲି ଶ୍ରୀ ପ୍ରଧାନ କହୁଥିବା ବେଳେ ସେ ଜାଣି ରଖିବା ଉଚିତ, ଅର୍ଦ୍ଧଶତାବ୍ଦୀ ମଧ୍ୟରେ କୋଇଲା ଜନିତ ପ୍ରଦୁଷଣ ଯୋଗୁ ଓଡ଼ିଶାର ପରିବେଶ ଉଚ୍ଛନ୍ନ ହେବା ସହ ନାନା ପ୍ରଦୁଷଣ ଜନିତ ରୋଗର ଶିକାର ରାଜ୍ୟବାସୀ ହୋଇପାରନ୍ତି ।

Share

Leave a Reply

Your email address will not be published. Required fields are marked *

five × 4 =