ସଂସଦରେ ଉଠିବ ଓଡିଶାର ଦାବି

ଭୁବନେଶ୍ବର () ରାଜ୍ୟର ସ୍ବାର୍ଥ ପାଇଁ ସଂସଦରେ ସ୍ବର ଉତ୍ତୋଳନ କରିବ ବିଜେଡି । ଏଥିପାଇଁ ଦଳର ଉଭୟ ରାଜ୍ୟସଭା ଓ ଲୋକସଭା ସାଂସଦଙ୍କୁ ଗୁରୁତ୍ବପୂର୍ଣ୍ଣ ଟିପ୍ସ ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ଦୁଇଟି ପର୍ଯ୍ୟାୟରେ ଉଭୟ ରାଜ୍ୟସଭା ଓ ଲୋକସଭା ସାଂସଦଙ୍କ ସହ ଆଲୋଚନା କରିଛନ୍ତି । ରେଳବାଇରେ ଓଡିଶାକୁ ଅବହେଳାଠାରୁ ଆରମ୍ଭ କରି କେନ୍ଦୁପତ୍ର ଉପରେ ଜିଏସଟିକୁ ୫୦ ପ୍ରତିଶତ ହ୍ରାସ କରିବା ଯାଏଁ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ନିକଟରେ ବିଜେଡି ସାଂସଦମାନେ ଦାବି ଦୋହରାଇବେ । 

ପୁରୀରେ ଶ୍ରୀ ଜଗନ୍ନାଥ ବିମାନବନ୍ଦର ପ୍ରତିଷ୍ଠା ପାଇଁ ନିକଟରେ ମୁଖ୍ୟମନ୍ତ୍ରୀ କରିଥିବା ଦାବି ନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବିଜେଡି ସାଂସଦ । ସେହିପରି ରେଳବାଇରେ ଓଡିଶା ସବୁବେଳେ ଅବହେଳିତ ହୋଇଆସୁଛି । ପୂର୍ବରୁ କାର୍ଯ୍ୟକ୍ଷମ ଥିବା ୩୦୦ ଷ୍ଟେସନ ଏବେ ଅକାମୀ ହୋଇପଡିଛି । ଏହିସବୁ ଷ୍ଟେସନକୁ ପୁଣି କାର୍ଯ୍ୟକ୍ଷମ କରିବାକୁ ବିଜେଡି ଦାବି ରଖିବ । ଖୋର୍ଦ୍ଧା-ବଲାଙ୍ଗିର ସମେତ ଅନ୍ୟାନ ରେଳପଥ ପାଇଁ ରାଜ୍ୟ ସରକାର ମାଗଣା ଜମି ସହ ୫୦ ପ୍ରତିଶତ ବ୍ୟୟଭାର ବହନ କରୁଛନ୍ତି । ତଥାପି ରେଳ ଲାଇନ କାମ ସରୁନି । ବାରମ୍ବାର ଦାବି ପରେ ମଧ୍ୟ କେନ୍ଦ୍ରାପଡା ଓ ଅନୁଗୁଳ-ସୁକିନ୍ଦା ରେଳପଥରେ ଯାତ୍ରୀବାହୀ ଟ୍ରେନ ଚଳାଚଳା କରୁନି ।

ସୀତଳପଲ୍ଲୀ ୱାଗନ ମରାମତି କାରଖାନା ଓ କଳାହାଣ୍ଡିରେ ଲୋକୋମୋଟିଭ ୱାର୍କସପ ଘୋଷଣା ଏଯାଏଁ କାର୍ଯ୍ୟକାରୀ ହୋଇପାରୁନି । ମହିଳାଙ୍କୁ ବିଧାନସଭା ଓ ସଂସଦରେ ୩୩ ପ୍ରତିଶତ ସଂରକ୍ଷଣ ଦାବି, ହୋ ଏବଂ କୋଶଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସ୍ଥାନୀତ କରିବା ଆଦି ଦାବି ମଧ୍ୟ ବିଜେଡି ଉତଥାପନ କରିବ । ଗତ ୨୦ ବର୍ଷ ଧରି ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଏବଂ ପ୍ରାୟ ପ୍ରତିବର୍ଷ ଦୈବି ଦୁର୍ବିପାକର ଶିକାର ହେଉଥିବାରୁ ରାଜ୍ୟକୁ ସ୍ବତନ୍ତ୍ର ପ୍ୟାକେଜ ପ୍ରଦାନ ଦାବି ହେଉଥିଲେ ବି କେନ୍ଦ୍ର ସରକାର କର୍ଣ୍ଣପାତ କରୁନାହାଁନ୍ତି । ବିଧାନ ପରିଷଦ ଗଠନ ପାଇଁ ଓଡିଶା ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇଥିଲେ ମଧ୍ୟ କେନ୍ଦ୍ର ଏଦିଗରେ କୌଣସି ପଦକ୍ଷେପ ନେଉନାହିଁ ।

କେନ୍ଦପତ୍ର ଉପରେ ରାଜ୍ୟର ପ୍ରାୟ ୧୦ ଲକ୍ଷ ଲୋକ ନିର୍ଭର କରୁଛନ୍ତି । ସେମଧ୍ୟରେ ଅଛନ୍ତି ୮୦ ମହିଳା ନିର୍ଭର କରୁଛନ୍ତି । ତେଣୁ କେନ୍ଦୁପତ୍ର ଉପରୁ ଜିଏସଟି ୧୦ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରିବାକୁ ଦାବି କରିଥିଲେ ମୁଖ୍ୟମନ୍ତ୍ରୀ । ଏଦିଗରେ ଏଯାଏଁ କେନ୍ଦ୍ର ସରକାର ନିରବ । ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରିବା ପାଇଁ ମୁଖ୍ୟମନ୍ତ୍ରୀ କରିଥିବା ଦାବି ମଧ୍ୟ ପୂରଣ ହୋଇନି । ସେହିଭଳି ବ୍ୟାଙ୍କିଙ୍ଗ, ଟେଲିଫୋନ ସେବା ଏବଂ କୋଷ୍ଟାଲ ହାଇୱେ କ୍ଷେତ୍ରରେ ମଧ୍ୟ ଓଡିଶା ଅବହେଳିତ । ଏହିସବୁ ପ୍ରସଙ୍ଗକୁ ବିଜେଡି ସଂସଦରେ ଉଠାଇବ ।

Share

Leave a Reply

Your email address will not be published. Required fields are marked *

nineteen − 13 =