ରାଜନୀତିରେ ମହିଳାଙ୍କ ସ୍ଥାନ ସଂରକ୍ଷଣ ପାଇଁ ଲଢ଼େଇ କରିବ ବିଜେଡି

ଭୁବନେଶ୍ବର () ମହିଳାଙ୍କୁ ରାଜନୀତିରେ ୩୩ ପ୍ରତିଶତ ସଂରକ୍ଷଣ ଦାବିକୁ ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡି ଉଠାଇଥିବା ଦାବିକୁ ଏକ ଆନ୍ଦୋଳନରେ ପରିଣତ କରାଯିବ । ସଂସଦର ସବୁ ଅଧିବେଶନରେ ବିଜେଡି ସାଂସଦମାନେ ଏହି ଦାବି କରିବେ । ମହିଳାଙ୍କୁ ରାଜନୀତିରେ ସେମାନଙ୍କ ନ୍ୟାର୍ଯ୍ୟ ହକ ପ୍ରଦାନ ପର୍ଯ୍ୟନ୍ତ ଲଢେଇ କରିବ ବିଜେଡି । ଦଳର ୨୪ତମ ପ୍ରତିଷ୍ଠା ଦିବସରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି ।

ବିଜୁ ଜନତା ଦଳର 24ତମ ପ୍ରତିଷ୍ଠା ଦିବସରେ ଲକ୍ଷ ଲକ୍ଷ କର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଦଳର ସଭାପତି । ମହିଳା ସଶକ୍ତିକରଣ ତାଙ୍କର ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ । କାରଣ ତାଙ୍କର ବିଶ୍ବାସ ମା ଆଗେଇଲେ ଦେଶ ଆଗେଇବ ଓ ସମାଜ ଆଗେଇବ । ବିଜୁବାବୁଙ୍କ ଭାଷାରେ ମା ଭଉଣୀମାନେ ଯେଉଁମାନେ ନିଜର ଘରକୁ ଦକ୍ଷତାର ସହ ଚଳାଉଛନ୍ତି ସେମାନେ ପଂଚାୟତ ସମିତି ଓ ଜିଲ୍ଲା ପରିଷଦକୁ ମଧ୍ୟ ସମାନ ଦକ୍ଷତାର ସହ ଚଳାଇପାରିବେ । ମା ମାନେ ହେଉଛନ୍ତି ସମାଜ ଚକର ଅଖ । ସେମାନଙ୍କ ବିନା ପ୍ରଗତିର ରଥ ଆଗକୁ ବଢ଼ି ପାରିବ ନାହିଁ । ୧୯୯୨ରେ ବିଜୁବାବୁ ମହିଳାମାନଙ୍କ ପାଇଁ ପଂଚାୟତ, ପୌରାଞ୍ଚଳ ଏବଂ ସରକାରୀ ଚାକିରୀରେ ୩୩ ପ୍ରତିଶତ ସଂରକ୍ଷଣ କରି ସାରା ଦେଶରେ ଇତିହାସ ସୃଷ୍ଟି କରିଥିଲେ ।

ସେ କହିଛନ୍ତି ବିଜୁବାବୁଙ୍କ ଆଦର୍ଶରେ ଚାଲିଥିବା ସରକାର ପଂଚାୟତ ଓ ପୌରାଞ୍ଚଳମାନଙ୍କରେ ମା ମାନଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ କରିଛନ୍ତି । କେବଳ ସେତିକି ନୁହେଁ ବିଜୁ ଜନତା ଦଳ ସଂସଦ ଓ ବିଧାନସଭାରେ ମହିଳା ମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ଲଢ଼େଇ କରୁଛି । ବିଜେଡି କଥା ନୁହେଁ କାମରେ ବିଶ୍ଵାସ କରେ । ବିଜୁ ଜନତା ଦଳ ଦେଶର ଏକମାତ୍ର ଦଳ ଯିଏ କି ୨୦୧୯ ସାଧାରଣ ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ୍ ଦେଇଥିଲା । ନିର୍ବାଚନ ଆସିଲେ ଜାତୀୟ ଦଳମାନେ ସେମାନଙ୍କ ଇସ୍ତାହାରରେ ମହିଳା ସଂରକ୍ଷଣ ବିଷୟରେ ବଡ଼ ବଡ଼ କଥା କହୁଛନ୍ତି । କିନ୍ତୁ ନିର୍ବାଚନ ସରିଗଲେ ଆରାମରେ ସେ କଥା ଭୁଲି ଯାଉଛନ୍ତି.

ଆମେ ଆମ ଜନସଂଖ୍ୟାର ୫୦ ପ୍ରତିଶତ ଲୋକଙ୍କୁ ସେମାନଙ୍କ ଅଧିକାରରୁ ବଂଚିତ କରିପାରିବା ନାହିଁ । ସେମାନଙ୍କୁ ଆମ ଦେଶର ରାଜନୀତିରେ ସେମାନଙ୍କ ଅଧିକାର ପାଇବା ଦରକାର । ବିଜୁ ଜନତା ଦଳ ଗୋଟିଏ ଆଞ୍ଚଳିକ ଦଳ ହେଲେ ମଧ୍ୟ ସଂସଦ ଓ ବିଧାନସଭାରେ ମହିଳାମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବାକୁ ତାର ସ୍ୱରକୁ ଆହୁରି ଜୋରଦାର କରିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଏବେଠାରୁ ଲୋକସଭା, ରାଜ୍ୟସଭା ଏବଂ ବିଧାନସଭାର ପ୍ରତି ଅଧିବେଶନରେ ବିଜୁ ଜନତା ଦଳ ମହିଳା ସଂରକ୍ଷଣ ବିଷୟ ଜାତୀୟ ଦଳମାନଙ୍କୁ ମନେପକାଇଦେବ । ପ୍ରତ୍ୟେକ କ୍ଷେତ୍ରରେ ଏ ବିଷୟ ଆମେ ଉଠାଇବୁ । ମହିଳାମାନଙ୍କୁ ସେମାନଙ୍କ ହକ୍ ମିଳିବା ପର୍ଯ୍ୟନ୍ତ ବିଜୁ ଜନତା ଦଳ ଉଭୟ ରାଜ୍ୟ ଓ ଜାତୀୟ ସ୍ତରରେ ଲଢ଼େଇ ଜାରି ରଖିବ । ଭାରତର ସବୁ ମହିଳାଙ୍କ ନିକଟରେ ଏ ବାର୍ତ୍ତା ପହଞ୍ଚାଇବ । ଗାଁ ଗାଁରେ ଘରେ ଘରେ ମା ମାନଙ୍କୁ ସଚେତନ କରାଇବୁ । ଏହାକୁ ଆମେ ଏକ ଆନ୍ଦୋଳନର ରୂପ ଦେବୁ । ସମାଜରେ ନାରୀର ଗୁରୁତ୍ୱ କେତେ ଅଧିକ ତାହା ଆମ ଲକ୍ଷ୍ମୀ ପୁରାଣରେ ହିଁ କହିଥାଏ । ନିଜେ ମହାପ୍ରଭୁଙ୍କ ମଧ୍ୟ ଏହା ସ୍ବୀକାର କରିଛନ୍ତି ।

ଆମ ଓଡ଼ିଶାରେ ୮୦ ଲକ୍ଷ ମହିଳା ମିଶନ ଶକ୍ତି ଆନ୍ଦୋଳନରେ ସାମିଲ ହେଲେଣି । ସେମାନେ ବିଭିନ୍ନ କ୍ଷେତ୍ରରେ ଯେପରି ଦକ୍ଷତାର ସହ ସେମାନଙ୍କ ଦାୟିତ୍ୱ ତୁଲାଉଛନ୍ତି ନ ଦେଖିଲେ ବିଶ୍ବାସ କରିହେବ ନାହିଁ । ମହିଳା ସଶକ୍ତିକରଣ ବିନା ଦେଶର ପ୍ରଗତି ଅସମ୍ଭବ । କୌଣସି ଘର, ସମାଜ, ରାଜ୍ୟ କିମ୍ବା ଦେଶ ମହିଳା ସଶକ୍ତିକରଣ ବିନା ଆଗେଇପାରିନି । ଆମକୁ ଯଦି ବିଶ୍ଵର ଆଗୁଆ ଦେଶମାନଙ୍କ ସହ ସମକକ୍ଷ ହେବାକୁ ଆମ ମା ମାନଙ୍କୁ ସେମାନଙ୍କ ହକ୍ ଦେବାକୁ ହେବ । ଏ ଦିଗରେ ବିଜୁ ଜନତା ଦଳ ସବୁବେଳେ ଆଗରେ ରହିଛି ଏବଂ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବିଜୁବାବୁଙ୍କ ଆଦର୍ଶରେ ଗଠିତ, ସାଢ଼େ ଚାରି କୋଟି ଓଡ଼ିଆଙ୍କ ପ୍ରିୟ ଦଳ, ବିଜୁ ଜନତା ଦଳ, ଓଡ଼ିଶାବାସୀଙ୍କ ବିଶ୍ୱାସ ଓ ଲକ୍ଷ ଲକ୍ଷ କର୍ମୀ ଭାଇଭଉଣୀଙ୍କ ପରିଶ୍ରମ ଯୋଗୁଁ, ଆଜି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇପାରିଛି । ଏହି ସାମାଜିକ ଆନ୍ଦୋଳନର ଆମ୍ବା ହେଉଛନ୍ତି, ଆମର ମା ମାନେ । ଏକ ସଶକ୍ତ ମହିଳା ସମାଜ ହିଁ ଏକ ସଶକ୍ତ ଓଡ଼ିଶା ଗଠନ କରିପାରିବ । ତେଣୁ ଆମ ସମାଜ ପାଇଁ, ଆମ ରାଜ୍ୟ ପାଇଁ, ମା ମାନେ ଚାହୁଁଥିବା ପରିବର୍ତ୍ତନକୁ ସାକାର କରିବା ପାଇଁ ଏହି ସାମାଜିକ ଆନ୍ଦୋଳନରେ ବହୁ ସଂଖ୍ୟାରେ ସାମିଲ ହେବା ପାଇଁ ମା ମାନଙ୍କୁ ମୁଁ ଆହ୍ବାନ କରିଛନ୍ତି ନବୀନ ପଟ୍ଟନାୟକ ।

Share

Leave a Reply

Your email address will not be published. Required fields are marked *

one × 5 =