ଅନାସ୍ଥା ଆଲୋଚନାରୁ ଓହରିବ ବିଜେଡି

ଭୁବନେଶ୍ବର (ନିପ୍ର): ଆସନ୍ତାକାଲି କେନ୍ଦ୍ର ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ସଂସଦରେ ଆଲୋଚନା ହେବ । ସଂଖ୍ୟା ଖେଳରେ ଏନଡିଏ ସୁରକ୍ଷିତ ଅଛି । ତେବେ ସମସ୍ତଙ୍କ ନଜର ବିଜେଡିର ଆଭିମୁଖ୍ୟ ଉପରେ । ମିଳୁଥିବା ସୂଚନା ଅନୁଯାୟୀ ବିଜେଡି ଅନାସ୍ଥା ଆଲୋଚନାରେ ଭାଗ ନେବ ନାହିଁ । ବିଜେଡି ସଂସଦୀୟ ଦଳ ଏଭଳି ଏକ ନିଷ୍ପତ୍ତି ନେଇଥିବା ଜଣାପଡିଛି । ତେବେ ଦଳ ତରଫରୁ ଏ ସଂପର୍କରେ ଏଯାଏଁ ବିଧିବଦ୍ଧ ଭାବେ ଘୋଷଣା କରାଯାଇନି । ଆସନ୍ତାକାଲି ସଂସଦରେ ଅନାସ୍ଥା ପ୍ରସ୍ତାବ ଆଗତ ହେଲେ ବିଜେଡି କାହିଁକି ଆଲୋଚନାରେ ଭାଗନେବ ନାହିଁ ସେ ସଂପର୍କରେ ଗୃହର ମଧ୍ୟଭାଗରେ ଘୋଷଣା କରି ଆଲୋଚନାରୁ ଓହରିବ । ଆଲୋଚନାରୁ ଓହରି ବିଜେଡି ପୁଣି ଥରେ ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ବଜାର ରଖୁଥିବାର ବାର୍ତ୍ତା ଦେବାକୁ ଚାହୁଁଛି ।

ଅନାସ୍ଥା ପ୍ରସ୍ତାବକୁ ତେଲୁଗୁ ଦେଶମ ପାର୍ଟି ଆଗତ କରିଥିବା ବେଳେ କଂଗ୍ରେସ ଏହାକୁ ସମର୍ଥନ କରିଛି । ଆନ୍ଧ୍ର ପ୍ରଦେଶ ସରକାରଙ୍କ ପୋଲାଭରମ ପ୍ରକଳ୍ପକୁ ନେଇ ରାଜ୍ୟ ସରକାର ବାରମ୍ବାର ଆପତ୍ତି ଉଠାଇଛନ୍ତି । ଏଭଳି ପ୍ରକଳ୍ପର ଡିଜାଇନ ପରିବର୍ତ୍ତନ ପାଇଁ ଓଡିଶା ଦାବି କରିଛି । ପ୍ରକଳ୍ପକୁ ନେଇ ଏକ ମାମଲା ଏବେ ବି ସୁପ୍ରିମ କୋର୍ଟଙ୍କ ବିଚାରଧୀନ । ଏହି ପ୍ରକଳ୍ପ ଯୋଗୁ କୋରାପୁଟ ଓ ମାଲକାନଗିରିର ଏକାଧିକ ଆଦିମ ଅଧିବାସୀ ଗାଁ ପ୍ରଭାବିତ ହେବେ ବୋଲି ରାଜ୍ୟ ସରକାର ଆଶଙ୍କା କରୁଛନ୍ତି । ରାଜ୍ୟର ଏହି ଆଶଙ୍କା ଏବଂ ପ୍ରକଳ୍ପର ଡିଜାଇନ ପରିବର୍ତ୍ତନ ଦାବିକୁ ନା କେନ୍ଦ୍ର ସରକାର ନା ଆନ୍ଧ୍ର ସରକାର ଶୁଣୁଛନ୍ତି ।

ଏହି ପ୍ରକଳ୍ପକୁ ତକ୍ରାଳିନ ୟୁପିଏ ସରକାର ଅମଳରେ ଅନୁମତି ମିଳିଥିବା ବେଳେ କଂଗ୍ରେସ ହିଁ ଏହି ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପର ମାନ୍ୟତା ଦେଇଛି । ଓଡିଶା ବିରୋଧୀ ପ୍ରକଳ୍ପକୁ ବିନା ରାଜ୍ୟ ସରକାରଙ୍କ ସହ ସହମତିରେ ଆଗେଇ ନେଉଥିବା ଆନ୍ଧ୍ରର ସରକାରୀ ଦଳ ସଂସଦରେ ଆଗତ କରିଥିବା ଅନାସ୍ଥା ପ୍ରସ୍ତାବକୁ ବିଜେଡି କେଉଁ ସ୍ୱାର୍ଥରେ ସମର୍ଥନ କରିବ । ଏଭଳି ପ୍ରଶ୍ନ ଉଠାଇବେ ବିଜେଡି ସାଂସଦମାନେ । ସେହିଭଳି କେନ୍ଦ୍ରରେ ୟୁପିଏ ସରକାରରେ ଥିବା ସମୟରେ ଓଡିଶା ସ୍ବାର୍ଥକୁ ଅଣଦେଖା କରି ପୋଲାଭରମକୁ ଜାତୀୟ ପ୍ରକଳ୍ପର ମାନ୍ୟତା ଦେଇଥିବାରୁ କଂଗ୍ରେସ ସମର୍ଥିତ ଅନାସ୍ଥାକୁ ମଧ୍ୟ ବିଜେଡି ସମର୍ଥନ କରିବ ନାହିଁ ।

ସେପଟେ ସେହି ପୋଲାଭରମ ଏବଂ ମହାନଦୀ ବିବାଦରେ ମଧ୍ୟ ବିଜେପି ନେତୃତ୍ବାଧୀନ ଏନଡିଏ ସରକାର ଓଡିଶାର ସ୍ବାର୍ଥକୁ ଆଖି ବୁଜିଦେଇଛନ୍ତି । ମହାନଦୀ ବିବାଦରେ ଛତିଶଗଡକୁ କେନ୍ଦ୍ରର ଏକପାଖିଆ ସମର୍ଥନ ଓଡିଶାର ସ୍ବାର୍ଥ ବିରୋଧୀ । ଦଳୀୟ ସ୍ବାର୍ଥରେ ଗୋଟିଏ ରାଜ୍ୟର ସ୍ବାର୍ଥକୁ ସଂପୂର୍ଣ୍ଣ ଭାବେ ଆଖିବୁଜି ଦେଇ କେନ୍ଦ୍ର ସରକାର ସଂଘୀୟ ବ୍ୟବସ୍ଥାର ଉଲଂଘନ କରୁଛନ୍ତି ବୋଲି ବାରମ୍ବାର ବିଜେଡି ଅଭିଯୋଗ କରିଆସୁଛି । ଏହି ଦୃଷ୍ଟିରୁ ଅନାସ୍ଥା ବିରୋଧରେ ଏନଡିଏକୁ ସମର୍ଥନ କରି ବିଜେଡି ରାଜ୍ୟବାସୀଙ୍କ ପ୍ରତି ବିଶ୍ବାସଘାତକତା କରିବାକୁ ଚାହୁଁନି । ଏହି ଦୃଷ୍ଟିରୁ ବିଜେଡି ଅନାସ୍ଥାକୁ ବିରୋଧ ମଧ୍ୟ କରିବ ନାହିଁ ।

Share

Leave a Reply

Your email address will not be published. Required fields are marked *

2 × 3 =