ଶିବିର ସଜାଡିଲା ବିଜେଡି

ଭୁବନେଶ୍ୱର: ଶିବିର ସଜାଡିଲା ବିଜେଡି । ଛାମୁଆ ନେତାଙ୍କୁ ସଂଗଠନ ଦାୟିତ୍ୱ ଦେଇ ମନ୍ତ୍ରୀମଣ୍ଡଳ ଅଦଳବଦଳର ଆଭାସ ଦେଲେ ନବୀନ । ଗୋଟିଏ ଦିନରେ ୨୬ ଜଣ ନେତାଙ୍କୁ ୩୦ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଥିବା ବେଳେ ୬ ବରିଷ୍ଠ ନେତାଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତି ମିଳିଛି । ପଚାଂୟତ ନିବାଚନରେ ଦଳକୁ ଅଧିକ ସଶକ୍ତ, ସୁଦୃଢ ଓ କ୍ରିୟାଶୀଳ କରିବା ପାଇଁ ଏହା ନବୀନଙ୍କ ରଣକୌଶଳ ବୋଲି କୁହାଯାଉଥିବା ବେଳେ ପର୍ଯ୍ୟବେକ୍ଷକ ନିଯୁକ୍ତି ପାଇଥିବା ନେତାଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡିପାରେ ବୋଲି ଚର୍ଚ୍ଚା ହେଉଛି । ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଗତଥର କେବଳ ମୟୂରଭଞ୍ଜ ଦାୟିତ୍ୱ ମିଳିଥିବା ବେଳେ ଏଥର ଅତିରିକ୍ତ କେନ୍ଦୁଝର ଜିଲ୍ଲା ଦାୟିତ୍ୱ ମିଳିଛି । ସେହିପରି ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ଗତଥର ବିଲକୁଲ ପଯ୍ୟବେକ୍ଷକ ଦାୟିତ୍ୱ ମିଳିନଥିବା ବେଳେ ଏଥର ଗଜପତି ଓ ରାୟଗଡା ଜିଲ୍ଲା ଦାୟିତ୍ୱ ମିଳିଛି । ସେହିଭଳି ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଦେଓଗଡ ଓ ବଲାଙ୍ଗିର ଏବଂ ଚନ୍ଦ୍ରସାରଥୀ ବେହେରାଙ୍କୁ କୋରାପୁଟ ଓ ମାଲକାନଗିରି ଜିଲ୍ଲା ପଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି । ସେପଟେ ବିକ୍ରମ କେଶରୀ ଆରୁଖ, ଦେବୀପ୍ରସାଦ ମିଶ୍ର, ନିରଞ୍ଜନ ପୂଜାରୀ ଓ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ୨୨ ଜିଲ୍ଲାରୁ ଦାୟିତ୍ୱ ମିଳିଛି । ତେବେ ବାଦ୍ ପଡିଥିବା ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିବାର ଯଥେଷ୍ଟ ସମ୍ଭାବନା ରହିଥିବା କହିଛନ୍ତି ରାଜନୀତି ବିଶେଷଜ୍ଞ ।

ଚର୍ଚ୍ଚା ହେଉଛି ମନ୍ତ୍ରୀମଣ୍ଡଳର କିଛି ଗୁରୁତ୍ୱପୂର୍ଣ ବିଭାଗରେ ଅଦଳବଦଳ କରିବା ସହ କିଛି ନୂଆ ମୁହଁକୁ ସାମିଲ କରିପାରନ୍ତି ନବୀନ । ଅଭିଜ୍ଞ ନେତାଙ୍କୁ ଜିଲ୍ଲା ସଙ୍ଗଠନ ଦାୟିତ୍ୱ ଦେଇ ଯୁବ ଚେହେରାଙ୍କୁ ମନ୍ତ୍ରୀପଦ ମିଳିପାରେ । ପୁରୀରୁ ଉମାକାନ୍ତ ସାମନ୍ତରାୟ, କେନ୍ଦ୍ରାପଡାରୁ ଶଶୀଭୂଷଣ ବେହେରା କିମ୍ବା ଧ୍ରୁବଚରଣ ସାହୁ , କେନ୍ଦୁଝରରୁ ବଦ୍ରିନାରାୟଣ ପାତ୍ର କିମ୍ବା ଭାଗିରଥୀ ସେଠୀ, ଭୁବନେଶ୍ୱରରୁ ସୁଶାନ୍ତ ରାଉତ, ସୁନ୍ଦରଗଡରୁ ଶାରଦା ପ୍ରସନ୍ନ ନାୟକ, ମୟୂରଭଞ୍ଜରୁ ରାଜକିଶୋର ଦାଶଙ୍କ ନାଁ ବେଶୀ ଚର୍ଚ୍ଚାରେ ଥିବା ବେଳେ ମନୋହର ରାନ୍ଧାରୀ, ରଘୁରାମ ପୋଡାଲ, ମିନାକ୍ଷୀ ମହନ୍ତ, କିଶୋର ମହାନ୍ତି, ସମ୍ବିତ୍ ରାଉତରାୟ, ବିକ୍ରମ ପଣ୍ଡା , ବିଜୟରଂଜନ ସିଂ ବରିହାଙ୍କ ନାଁ ବି ମନ୍ତ୍ରୀମଣ୍ଡଳ ଦୌଡରେ ରହିଛି । ତେବେ ଅସନ୍ତୁଷ୍ଟ ନେତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇ ସନ୍ତୁଷ୍ଟ କରାଯିବାକୁ ଦଳ ଯଥା ସମ୍ଭବ ଚେଷ୍ଟା କରିଥିବା ବି କୁହାଯାଉଛି ।

ତେବେ ଗତ ପଚାୟତ ନିବାଚନ ବେଳେ ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ବିଜେଡିର ଗଡ ଦୁର୍ବଳ ଥିଲା ବେଳେ ଏବେ ଏହାକୁ ଫୋକସ କରାଯାଇଛି । ସେହିଭଳି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ମନ୍ତ୍ରୀ ପଦ ଦେଇ ତାଙ୍କ ସ୍ଥାନରେ ପ୍ରଦୀପ ଅମାତଙ୍କୁ ବାଚସ୍ପତି କରାଯାଇପାରେ ବୋଲି କ୍ଷମତା ଅଳିନ୍ଦରେ ଆଲୋଚନା ଜୋର ଧରିଛି । ସେହିପରି ପର୍ଯ୍ୟବେକ୍ଷକ ଦାୟିତ୍ୱ ପାଇନଥିବା ମନ୍ତ୍ରୀ ଅରୁଣ ସାହୁ, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ଏବଂ କଳିକେଶ ନାରାୟଣ ସିଂଦେଓଙ୍କ ରାଜନୈତିକ ଭବିଷ୍ୟତ କଣ ହେବ ତାକୁ ନେଇ ବି କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ତେବେ ସବୁ ପରେ ବି ସମସ୍ତେ ଜାଣନ୍ତି ଏସବୁ ଆକଳନ ଆଲୋଚନା ଗୋଟେ ରାସ୍ତାରେ ଆଉ ନବୀନଙ୍କ ନିଷ୍ପତି ଅନ୍ୟ ରାସ୍ତାରେ ।

Share

Leave a Reply

Your email address will not be published. Required fields are marked *

five − 4 =