ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଏମ୍ସ ସାମିଲ

ଘରୋଇ ଡାକ୍ତରଖାନା ଦେବେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଚିକିତ୍ସା ରିପୋର୍ଟ

ଭୁବନେଶ୍ବର () ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା ସେବା ପ୍ରଦାନ କରିବା ନିମନ୍ତେ ଆଜି ଏଆଇଆଇଏମ୍ଏସ୍ ଭୁବନେଶ୍ବର ଓ ସ୍ବାସ୍ଥ୍ୟ ବିଭାଗ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ମିଳନୀ କକ୍ଷରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ , ବିଭାଗର କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଦା , ଏଆଇଆଇଏମ୍ଏସ୍ ଭୁବନେଶ୍ବର  ନିର୍ଦ୍ଦେଶିକା ଡାଃ ଗୀତାଞ୍ଜଳୀ ବି ଏବଂ ଅନ୍ୟାନ୍ୟ ପଦାଧିକାରୀଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ରାଜ୍ୟରେ ଗତ ୨୦୧୮ ଅଗଷ୍ଟ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିଥିଲେ । ସେଥିରେ ୧୯୬ ଘରୋଇ ଡାକ୍ତରଖାନା ତାଲିକାଭୁକ୍ତ ହୋଇଥିବା ବେଳେ ଆଜି ଏଆଇଆଇଏମ୍ଏସ୍ ଭୁବନେଶ୍ବର ସେଥିରେ ଯୋଡି ହୋଇଛି ।

ସ୍ବାସ୍ଥ୍ୟ ମନ୍ତ୍ରୀ ଆଜି ବିଭିନ୍ନ ଘରୋଇ ଡାକ୍ତରଖାନା ଗୁଡିକର କର୍ମକର୍ତାମାନଙ୍କ ସହିତ ଲୋକଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ବିନାମୂଲ୍ୟରେ ଚିକିତ୍ସା ପ୍ରଦାନ ସଂକ୍ରାନ୍ତରେ ଆଲୋଚନା କରିଥିଲେ । କୌଣସି ପରିସ୍ଥିତିରେ ଗରିବ ଲେକମାନେ ଯେପରି ଘରୋଇ ଡାକ୍ତରଖାନାମାନଙ୍କରେ ଚିକିତ୍ସା ପାଇଁ ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛନ୍ତି । ଘରୋଇ ଡାକ୍ତରଖାନା ଗୁଡିକ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସେମାନଙ୍କ ଡାକ୍ତରଖାନାରେ ଯୋଗାଇ ଦେଉଥିବା ଚିକିତ୍ସା ସଂପର୍କିତ ରିପୋର୍ଟ, ପ୍ରତି ମାସରେ କେତେଜଣ, କେଉଁ ଅଂଚଳର, କେଉଁ ପ୍ରକାର ରୋଗ, ସିଧାସଳଖ ଆଡମିଶନ ହୋଇଛନ୍ତି କିମ୍ବା ସିଡିଏମ୍ଓଙ୍କ ଦ୍ବାରା ରେଫର ହୋଇ ଆସିଛନ୍ତି ,ସେ ସବୁର ଟିକିନିଖ୍ ବିବରଣି ପ୍ରଦାନ କରିବାକୁ ବିଭାଗୀୟ ମନ୍ତ୍ରୀ କହିଛନ୍ତି । ସେହିପରି ଘରୋଇ ଡାକ୍ତରଖାନା ମାନଙ୍କର ଏ ବାବଦ ବିଲ୍ ପ୍ରଦାନକୁ ଡିଏମ୍ଇଟି ତ୍ବରାନ୍ବିତ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ସବୁ ବିଲ୍ ବାକି ରହିଛି ବା ଆସିବ ସେ ସବୁକୁ ତୁରନ୍ତ ପ୍ରଦାନ କରିବାକୁ ପଦକ୍ଷେପ ଗ୍ରହଣ କରାଯିବ ।

ଏଥିସହିତ ସ୍ବାସ୍ଥ୍ୟମନ୍ତ୍ରୀ ରାଜ୍ୟରେ କର୍କଟ ରୋଗ ରୋଗ କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରିଥିଲେ । ବୈଠକରେ ଓଡିଶା କ୍ୟାନସର କେୟାର ଫାଉଣ୍ଡେସ ଗଠନ ନିମନ୍ତେ ନିଷ୍ପତି ହୋଇଛି । ଏହି ଫାଉଣ୍ଡେସଲର ପ୍ରଥମ ବୈଠକ ଆସନ୍ତା ଜୁଲାଇ ମାସ ୧୫ ତାରିଖରେ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି । ବାରଙ୍ଗଠାରେ ପ୍ରତିଷ୍ଠା ହେବାକୁ ଯାଉଥିବା ଆପେକ୍ସ କର୍କଟ କେନ୍ଦ୍ର ନିର୍ମାଣକାର୍ଯ୍ୟ ତ୍ବରାନ୍ବିତ କରିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏତଦ୍ବ୍ୟତିତ ଆଚାର୍ଯ୍ୟ ହରିହର କର୍କଟ ପ୍ରତିଷ୍ଠାନରେ ରାଗୀଙ୍କ ଭାର ହ୍ରାସ କରିବା ନିମନ୍ତେ ଏହାର ସଂପ୍ରସାରଣ କାର୍ଯ୍ୟ ଆରମ୍ଭ କରାଯିବା ନିମନ୍ତେ ବୈଠକରେ ଆଲୋଚନା ହୋଇଛି । ସେ ରାଜ୍ୟର ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ମାନଙ୍କରେ ଆରମ୍ଭ ହୋଇଥିବା କୋମୋଥେରାପି କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇ ଏହାକୁ ଅଧିକ ଲୋକାଭିମୁଖୀ କରିବା ଉପରେ ସେ ଗୁରୁତ୍ବ ଆରୋପ କରିଥିଲେ ।

ଭବାନୀପାଟଣା ଠାରେ ବେଦାନ୍ତ ତରଫରୁ ପିପିପି ମୋଡରେ ପ୍ରତିଷ୍ଠା ହେବାକୁ ଥିବା ଡାକ୍ତରଖାନା ନିର୍ମାଣ କାର୍ଯ୍ୟ ସଂପର୍କରେ ମଧ୍ୟ ବେଦାନ୍ତର ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ସଚିବାଳୟ ଠାରେ ଅନୁଷ୍ଠିତ ଏହି ସବୁ ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତ ପ୍ରମୋଦ କୁମାର ମେହେର୍ଦ୍ଦା, ରାଜ୍ୟ ଔଷଧ ନିଗନ ଏମ୍.ଡି ଅର୍ଚ୍ଚନା ପଟ୍ଟନାୟକ, ସ୍ବତନ୍ତ୍ର ସଚିବ ଶରତ ଚନ୍ଦ୍ର ମିଶ୍ର , ଡାଃ ବି.କେ ବ୍ରହ୍ମା, ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାଃ ହରପ୍ରସାଦ ପଟ୍ଟନାୟକ,  ଯୁଗ୍ମ ସଚିବ ୟାମିନୀ ଷଢଙ୍ଗୀ, ଆଚାର୍ଯ୍ୟ ହରିହର ପ୍ରତିଷ୍ଠାନ ନିର୍ଦ୍ଦେଶକ ଡାସ୍ଲଲାଟେନ୍ଦୁ ଷଢଙ୍ଗୀ ଏବଂ ଡାଃ ଦିନେଶ ପେଣ୍ଡାରକରଙ୍କ ସମେତ ଘରୋଇ ଡାକ୍ତରଖାନାଗୁଡିକର କର୍ମକର୍ତାମାନେ ଓ ସ୍ବାସ୍ଥ୍ୟ ବିଭାଗର ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

sixteen − six =