ସାରା ଓଡିଶା ସେଦିନ ଝୁରୁଥିଲା, ଆଜି ବି ଝୁରୁଛି, ଆସନ୍ତା ଦିନରେ ବି ଝୁରିବ

ଭୁବନେଶ୍ବର () ବିଜୁ ପଟ୍ଟନାୟକ କଳିଙ୍ଗର ଶେଷ ଅପ୍ରତିଦ୍ବନ୍ଦ୍ବୀ, ଅପରାଜେୟ ଓ ଅଦମନୀୟ ମୁକୁଟ ବିହୀନ ସମ୍ରାଟ। ଅବର୍ତ୍ତମାନର 22 ବର୍ଷ ବିତିଲାଣି । ଓଡିଶାର ଜନମାନସରେ କିନ୍ତୁ ସେ ଜୀବିତ, ଜୀବନ୍ତ ଓ ଜ୍ବଳନ୍ତ । ଓଡିଶା ଲୋକଙ୍କ ହୃଦୟରେ ତାଙ୍କ ସ୍ଥାନ ନେବାକୁ କେହି ଜନ୍ମ ହୋଇନାହାଁନ୍ତି, ଜନ୍ମ ହେବେ କି ନାହିଁ ସନ୍ଦେହ । ଅନେକ ଘାତ, ସଂଘାତ ଓ ପ୍ରତିଘାତ ଭିତରେ ତାଙ୍କ ଜୀବନକାଳରେ ସେ ସାଧାରଣ ଲୋକଙ୍କ ଭିତରେ ଏମିତି ଏକ ଜାଗା ସୃଷ୍ଟି କରିଯାଇଛନ୍ତି, ଯେଉଁଠି ପାଦ ଥାପିବା ତ ଦୂରରେ ଥାଉ ସ୍ମୃତିଟିଏ ଛାଡିବା କଷ୍ଟକର । ଏବର୍ଷ ଓଡିଶାର ସେହି ପ୍ରବାଦ ପୁରୁଷଙ୍କ 103ତମ ଜନ୍ମ ବାର୍ଷିକି  ପାଳନ ହେଉଛି । ଯିଏ ଯାହା କହୁ ବିଜୁଙ୍କ ସ୍ବପ୍ନର ସମ୍ବୃଦ୍ଧ ଓ ବିକଶିତ ଓଡିଶା ହିଁ ତାଙ୍କ ପ୍ରତି ଏବର୍ଷର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ।

ବିଜୁ ବାବୁ ବିଜେଡିର କିମ୍ବା ବିଜୁ ବିଚାର ମଂଚର ନୁହଁନ୍ତି । ବିଜୁ ବାବୁ ନବୀନ ପଟ୍ଟନାୟକ, ବିଜୟ ମହାପାତ୍ର କିମ୍ବା ଦାମୋଦର ରାଉତଙ୍କର ନୁହଁନ୍ତି । ବିଜୁ ବାବୁ ଓଡିଶାର, ଓଡିଶାବାସୀଙ୍କର । କେବଳ ଓଡିଶା ନୁହେଁ, ଜାତୀୟ ସ୍ତରରେ ଓ ବିଦେଶରେ ତାଙ୍କ ବୀରତ୍ବଗାଥାର ଅଲିଭା ସ୍ବାକ୍ଷର ରହିଛି । ଭାରତର ମୁକ୍ତି ସଂଗ୍ରାମ, ଇଣ୍ଡୋନେସିଆର ମୁକ୍ତି ସଂଗ୍ରାମ, ନେପାଳର ଅଖଣ୍ଡତା ରକ୍ଷା ଓ ରୁଷିଆର ସୁରକ୍ଷା ସବୁଥିରେ ତାଙ୍କର ଅବଦାନ ଅବିସ୍ମରଣୀୟ । ତାଙ୍କୁ କେହି ପୂଜା କରୁ ଅବା ନକରୁ, ଇତିହାସ କଦାପି ଅପୂଜା ରଖିପାରିବ ନାହିଁ । ଆଜି ନହେଲେ ବି କାଲି ସାରା ବିଶ୍ବ ତାଙ୍କର ବୀରତ୍ବ ଓ ଅବଦାନ ପାଇଁ ତାଙ୍କୁ ପ୍ରଣାମ କରିବ । କାରଣ ସେଥିଲେ ସାହସୀ, ସ୍ବାଭାମାନୀ, ଯୁଗସଷ୍ଟ୍ରା ଓ ଦୂରଦ୍ରଷ୍ଟା ।

ଜନ୍ମ ବାର୍ଷିକିରେ ନିଜକୁ ବିଜୁ ଅନୁଗତ ଦାବି କରିବାର ଲଢେଇ ଚାଲିଛି । ବିଜୁ ଜୀବଦଶାରେ ବିରୋଧ କରିଥିବା ଲୋକେ ଆଜି ବିଜୁଙ୍କ ବାନା ଧରିଛନ୍ତି । କିଏ କେତେ କଥା କହୁଛି । ସ୍ବାଗତମ କରାଯାଉଛି, ବଦନାମ ବି କରାଯାଉଛି । କିନ୍ତୁ ଏହା ସତ୍ୟ ଯେ, ବିଜୁ ବାବୁ ଏସବୁର ଉର୍ଦ୍ଧ୍ବରେ । ବିଜୁ ବାବୁଙ୍କୁ କେନ୍ଦ୍ରାପଡା ମାଟିରୁ ଆରମ୍ଭ କରି ଗଂଜାମର ମାଟି ପର୍ଯ୍ୟନ୍ତ ସାରା ଓଡିଶା ସେଦିନ ଝୁରୁଥିଲା, ଆଜି ବି ଝୁରୁଛି, ଆସନ୍ତା ଦିନରେ ବି ଝୁରିବ ।

ଆଜି ଯଦି ବିଜୁ ବାବୁ ବଂଚିଥାନ୍ତେ, ତେବେ ଓଡିଶା କାହିଁକି ସାରା ଭାରତ ତାଙ୍କ ନେତୃତ୍ବରେ ପରିଚାଳିତ ହେଉଥାନ୍ତା ଆଉ ବିକାଶର ଏକ ନୂଆ ଦିଗନ୍ତ ସୃଷ୍ଟି କରିଥାନ୍ତା । 1946ରୁ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ ହୋଇଥିଲା । ପ୍ରଥମ ଥର ପାଇଁ କେନ୍ଦ୍ରୀୟ କଟକ ସଦର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଶେଷ ପର୍ଯ୍ୟନ୍ତ ଆଉ ପଛକୁ ଫେରି ଚାହିଁନାହାଁନ୍ତି । ଲଗାତର ବିଧାୟକ, ସାଂସଦ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ରହିଛନ୍ତି । ତାଙ୍କର ସ୍ପଷ୍ଟବାଦିତା, ଦୃଢତା ଓ ସାହସ ତାଙ୍କୁ ଏକ ଦୁର୍ବାର ଜନନାୟକର ପରିଚୟ ଦେଇଥିଲା ।

ରାଜ୍ୟର ଆର୍ଥିକ ଓ ସାମଗ୍ରୀକ ବିକାଶ ସାଙ୍ଗକୁ ଶିଳ୍ପ ଓ ମହିଳା ସଶକ୍ତିକରଣ ଥିଲା ତାଙ୍କର ମାନସସନ୍ତାନ । ତାଙ୍କ ମୃତ୍ୟୁ ପରେ ତାଙ୍କ ସୁପୁତ୍ର ଟଲ ମ୍ୟାନଙ୍କ ଏହି ସ୍ବପ୍ନକୁ ସାକାର କରିବାକୁ ଅବିରତ ସଂଗ୍ରାମ କରିଚାଲିଛନ୍ତି । ଗୋଟେ ସମୟରେ ଯେତେବେଳୋ ଓଡିଶା ଦେବାଳିଆ ସ୍ଥିତିକୁ ଆସିଥିଲା ସେହି ସମୟରେ ନବୀନ ପଟ୍ଟନାୟକ ଓଡିଶାର ଶାସନ ଭାର ଧରିଥିଲେ । ଏବେ ଆଉ ଓଡିଶା କାହା ପାଖରେ ହାତ ପତେଇବା ସ୍ଥିତିରେ ନାହିଁ । ରାଜ୍ୟର ବଜେଟ 1ଲକ୍ଷ 30 ହଜାର କୋଟି ଟପିଲାଣି । ଶିଳ୍ପାୟନରେ ରାଜ୍ୟକୁ କେବଳ ଗତ 5 ବର୍ଷରେ 7 ଲକ୍ଷ କୋଟି ଟଙ୍କାର ପୁଂଜି ନିବେଶ ପ୍ରସ୍ତାବ ଆସିଛି । ମହିଳା ସଶକ୍ତିକରଣରେ ବିଜୁ ବାବୁ ସାରା ଦେଶ ପାଇଁ ମାର୍ଗଦର୍ଶକ ସାଜି ପଂଚାୟତରେ ମହିଳାଙ୍କ ପାଇଁ 33 ପ୍ରତିଶତ ସ୍ଥାନ ସଂରକ୍ଷଣର ଯେଉଁ ପ୍ରକ୍ରିୟା ଆରମ୍ଭ କରିଥିଲା ତାହା ଆଜି ଏକ ମହାନ ବିପ୍ଳବରେ ପରିଣତ ହୋଇଛି । ବିଜୁଙ୍କ ଏହି ଆଦର୍ଶରେ ଅନୁପ୍ରାଣିତ ହୋଇ ନବୀନ ପଟ୍ଟନାୟକ ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ 33 ପ୍ରତିଶତ ସ୍ଥାନ ସଂରକ୍ଷଣର ପ୍ରସ୍ତାବ ଦେଇଛନ୍ତି । ଆଉ ଯଦି ଓ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୁଏ ତେବେ ତାହା ହିଁ ଏହି ମହାନ ଜନନାୟକଙ୍କ ପ୍ରତି ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ।

Share

Leave a Reply

Your email address will not be published. Required fields are marked *

4 + five =