ବିଧାନ ପରିଷଦ ଥୋପ, ଆନ୍ଧ୍ର ଓ ବିହାର ଗସ୍ତରେ ଯିବ କମିଟି

ଭୁବନେଶ୍ବର, 05/06 (ନିପ୍ର) ନିର୍ବାଚନ ପାଖେଇ ଆସୁଥିବାରୁ ବିଜେଡି ପ୍ରତି ବିମୁଖ ହୋଇଥିବା କିଛି ଅସନ୍ତୁଷ୍ଟ ନେତା ଏବଂ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ବିଜେଡି ପ୍ରତି ଆକୃଷ୍ଟ ହେବାକୁ ପୁଣି ଥରେ ବିଧାନ ପରିଷଦର ଥୋପ । ଏଥିପାଇଁ ରାଜ୍ୟରେ ବିଧାନ ପରିଷଦ ଗଠନ ପ୍ରକ୍ରିୟା ପୁଣି ଥରେ ଜୋର ଧରିଛି । ଏ ନେଇ ଗଠିତ କମିଟି ପରିଷଦ ଗଠନ ସଂପର୍କିତ ପ୍ରସ୍ତାବ ଉପରେ ଅଧିକ ଅନୁଧ୍ୟାନ ପାଇଁ ଆନ୍ଧ୍ରପ୍ରଦେଶ ଓ ବିହାର ଗସ୍ତରେ ଯିବ । ଏହି ଦୁଇ ରାଜ୍ୟରେ ପରିଷଦର କାର୍ଯ୍ୟଧାରା ଓ ପରିଚାଳନା ସଂପର୍କରେ ଅନୁଧ୍ୟାନ କରି ରିପୋର୍ଟ ଦେବେ । ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି ।

ଅନ୍ୟ ରାଜ୍ୟମାନଙ୍କ ପରି ଓଡିଶାରେ ମଧ୍ୟ ବିଧାନ ପରିଷଦ ଗଠନ କରିବାକୁ ବିଭିନ୍ନ ମହରୁ ଦାବି ହୋଇଆସୁଛି । ବିହାର, ଜାମ୍ମୁ କାଶ୍ମୀର, ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ଉତ୍ତର ପ୍ରଦେଶ ପରି ରାଜ୍ୟରେ ବିଧାନ ପରିଷଦ ଗଠନ କରାଯାଇ ସେସବୁ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଆଇନ ପ୍ରଣୟନରେ ଭାଗ ନେବାର ସୁଯୋଗ ସୃଷ୍ଟି କରାଯାଇଛି । ଏହି ପରିପ୍ରେକ୍ଷୀରେ ଓଡିଶାରେ ମଧ୍ୟ ବିଧାନ ପରିଷଦ ଗଠନ କରିବାକୁ ଏକ ସଂକଳ୍ପ ଉପସ୍ଥାପିତ ହୋଇଛି ।

୨୦୧୫ରେ ମୁଖ୍ୟମନ୍ତ୍ରୀ ଏ ସଂପର୍କରେ ଅଧିକ ଅନୁଧ୍ୟାନ ପାଇଁ ଡାକ୍ତର ନୃସିଂହ ସାହୁଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି । ଏହି କମିଟିରେ କଂଗ୍ରେସ ବିଧାୟକ ଭୁଜବଳ ମାଝୀ, ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ, ମନୋହର ରାନ୍ଧାରୀ ଓ ବିଜେପି ବିଧାୟକ ନିତେଶ ଗଙ୍ଗଦେବ ସଦସ୍ୟ ରହିଛି । ପୂର୍ବରୁ ଏହି କମିଟି କର୍ଣ୍ଣାଟକ ଓ ମହାରାଷ୍ଟ୍ର ଗସ୍ତରେ ଯାଇ ବିଧାନ ପରିଷଦର କାର୍ଯ୍ୟଧାରା ଅନୁଧ୍ୟାନ କରି ରିପୋର୍ଟ ଦେଇଛନ୍ତି ।

ସମ୍ବିଧାନର ୧୬୯ ଧାରା ଅନୁଯାୟୀ ବିଭିନ୍ନ ରାଜ୍ୟରେ ବିଧାନ ପରିଷଦ ଗଠନର ବ୍ୟବସ୍ଥା ରହିଛି । ଓଡିଶା ପରି ଅଳ୍ପ କେତେକ ରାଜ୍ୟକୁ ବାଦ ଦେଲେ ପ୍ରାୟ ସବୁ ବଡ ରାଜ୍ୟ ବିଧାନ ପରିଷଦ ଗଠନ କରିଛନ୍ତି । ବିଧାନ ପରିଷଦକୁ ସଦସ୍ୟମାନେ ପରୋକ୍ଷ ଭାବେ ନିର୍ବାଚିତ ହୋଇଥାନ୍ତି ଏବଂ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିମାନେ ଆଇନ ପ୍ରଣୟନ ପ୍ରକ୍ରିୟାରେ ସେମାନଙ୍କ ମହତ୍ବପୂର୍ଣ୍ଣ ଯୋଗଦାନ ରଖିବାର ସୁଯୋଗ ପାଇଥାନ୍ତି ।

Share

Leave a Reply

Your email address will not be published. Required fields are marked *

3 × 3 =